ନୂଆଦିଲ୍ଲୀ: NIA କୋର୍ଟରେ ହାଜର ହୋଇଛି ବେଆଇନ ଘୋଷିତ ଜମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ ପ୍ରତିଷ୍ଠାତା ତଥା ଆତଙ୍କବାଦୀ ୟାସିନ ମଲ୍ଲିକ । ଆଜି (ବୁଧବାର) ଆଉ କିଛି ସମୟ ପରେ ମାମଲାର ରାୟ ପ୍ରକାଶ ପାଇବ । ପୂର୍ବରୁ ୟାସିନ ମାମଲାରେ ଶୁଣାଣି ଶେଷ ହୋଇଛି । ତେବେ ୟାସିନକୁ ଫାସି ଦଣ୍ଡାଦେଶ ପାଇଁ ଆବେଦନରେ ଦାବି କରିଛି ତଦନ୍ତକାରୀ ସଂସ୍ଥା NIA । ଆଜି ଅପରାହ୍ନରେ କଡା ସୁରକ୍ଷା ବଳୟ ମଧ୍ୟରେ ମଲ୍ଲିକକୁ ଦିଲ୍ଲୀର NIA ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା ।
ରାୟ ପ୍ରକାଶ ପାଇବା ପୂର୍ବରୁ କୋର୍ଟ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । 1990 ମସିହାରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ତଥା ସ୍ବାଧୀନ କାଶ୍ମୀର ଦାବି କରି କାଶ୍ମୀର ଲିବରେସନ ଫ୍ରଣ୍ଟ ଗଠନ କରିଥିଲା ୟାସିନ । ପୋଲିସ, ସୁରକ୍ଷାକର୍ମୀ ଓ ଭାରତୀୟ ବାୟୂସେନାର ଅଧିକାରୀଙ୍କୁ ହତ୍ୟା କରିବା ପରି ସଙ୍ଗୀନ ମାମଲା ୟାସିନ ବିରୋଧରେ ରହିଛି । ତାକୁ ପ୍ରଥମେ 1990 ରେ ଗିରଫ କରାଯାଇଥିଲା । 1993 ରେ ସେ ଆତଙ୍କୀ କାର୍ଯ୍ୟକଳାପ ଛାଡି ରାଜନୀତିରେ ପ୍ରବେଶ କରିବା ସହ ଅଲ ପାର୍ଟି ହୁରିୟତ କନଫରେନ୍ସ (APHC) ଗଠନ କରିଥିଲା ।
ତେବେ ୟାସିନ ମଲ୍ଲିକ ପ୍ରଥମ କାଶ୍ମୀର ଯୁବକ ଯିଏ, ସୀମା ପାର ଶତ୍ରୁ ସହାୟତାରେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପର ଧାରା ଆରମ୍ଭ କରିଥିଲା । ପରେ ସେ ଘାଟିରେ ଏକାଧିକ ଆକ୍ରମଣ ଓ ହତ୍ୟାକାଣ୍ଡରେ ମଧ୍ୟ ସାମିଲ ରହିଥିଲା । 2017 ମସିହାରେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ବିଚ୍ଛିନ୍ନତାବାଦୀଙ୍କ ଉପରେ ସ୍ବତନ୍ତ୍ର ଅପରେସନ ଆରମ୍ଭ କରିଥିଲା ।ପୂର୍ବରୁ ଗିରଫ ହୋଇ ଜାମିନରେ ଆସିଥିବା ମଲ୍ଲିକ 2019 ଏପ୍ରିଲ 10 ତାରିଖରେ ଆତଙ୍କବାଦୀ ପାଣ୍ଠି ସଂଗ୍ରହରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଣି ଥରେ NIA ଦ୍ବାରା ଗିରଫ ହୋଇଥିଲା ।
ୟାସିନଙ୍କ JKLF 2016 ରେ AHPC ସାମିଲ ହେବା ପରେ ବିଚ୍ଛିନ୍ନତାବାଦୀ ନେତାମାନେ ଘାଟିରେ ଭାରତ ବିରୋଧୀ ଚିନ୍ତାଧାରରେ ଯୁବକଙ୍କୁ ପ୍ରବର୍ତ୍ତାଇବା ସହ ଘାଟିରେ ସୁରକ୍ଷା ବଳ ଉପରେ ପଥର ମାଡ, ଭାରତ ବିରୋଧୀ ଆନ୍ଦୋଳନ ଆଦି ଆୟୋଜିତ କରିବାରେ ଲାଗିଥିଲେ । କାଶ୍ମୀରରେ ଅସ୍ଥିରତା ଓ ଆତଙ୍କ ସୃଷ୍ଟି କରିବାରେ ଏହି ବିଛିନ୍ନତାବାଦୀ ସଂଗଠନମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ତେବେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ନିଜେ ମଧ୍ୟ ଦୋଷ ସ୍ୱୀକାର କରିଛି ।
ବ୍ୟୁରୋ ରପୋର୍ଟ, ଇଟିଭି ଭାରତ