ପାଟନା: ମୁସଲିମ ଧର୍ମାବଲମ୍ବୀଙ୍କ ହନୁମାନ ଭକ୍ତି । ମନ୍ଦିର ପାଇଁ ଦାନ କରିଦେଲେ ଜମି । ଏଭଳି ମହତ କାର୍ଯ୍ୟ କରି ଭାଇଚାରର ପରିଚୟ ଦେଇଛନ୍ତି ବିହାର କିଶନଗଞ୍ଜର ୨ ମୁସଲିମ ଭାଇ । ମୁସଲିମ ବହୁଳ ଜିଲ୍ଲା କିଶନଗଞ୍ଜର ଏହି ୨ ଭାଇ ବଜରଙ୍ଗ ବଲ୍ଲୀଙ୍କ ମନ୍ଦିର ଲାଗି ଜମି ଦାନ କରିବା ପରେ ତାଙ୍କୁ ଅନେକ ଭୁରି ଭୁରି ପ୍ରଶଂସା କରିଛନ୍ତି । ସହରର ରୁଇଧାଶା ୱାର୍ଡ ୨୪ ସ୍ଥିତ ବାଜପେଇ କଲୋନୀରେ ହନୁମାନ ମନ୍ଦିର ଲାଗି ଏହି ଦୁଇ ଭାଇ ଜମି ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ।
ଏହି ୨ ଭାଇଙ୍କ ନାମ ହେଉଛନ୍ତି ଫୈଜ ଅହମ୍ମଦ ଓ ଫେଜଲ ଅହମ୍ମଦ । ହନୁମାନ ମନ୍ଦିର ନିର୍ମାଣ ଲାଗି ଗୁରୁବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଉଭୟ ମୁସଲିମ ଓ ହିନ୍ଦୁ ଧର୍ମର ଅନେକ ଲୋକ ଏହି କାର୍ଯ୍ୟ ବେଳେ ଉପସ୍ଥିତ ରହିଥିଲେ । ଗତ ଗୁରୁବାର ହନୁମାନ ଜୟନ୍ତୀ ଉପରେ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ଅବସରରେ ପତାକା ଉତ୍ତୋଳନ କରାଯାଇଥିଲା । ପୁରୋହିତ ଜଗନ୍ନାଥ ଝାଙ୍କ ଦ୍ବାରା ମନ୍ତ୍ର ପାଠ କରାଯାଇଥିଲା । ପୂଜା ପରେ ପ୍ରସାଦ ମଧ୍ୟ ବଣ୍ଟନ କରାଯାଇଥିଲା । ମୁସଲିମ ପରିବାରର ଏହି କାର୍ଯ୍ୟକୁ ସମଗ୍ର ଜିଲ୍ଲାରେ ପ୍ରଶଂସା କରାଯାଇଛି ।
ଏହା ବି ପଢନ୍ତୁ-Death Threat: ଧମକ ଦେଇଥିବା ଯୁବକ ଗିରଫ, ଅନ୍ୟ ନେତାଙ୍କୁ ବି କରିଥିଲା ଭୟଭୀତ
ଦୁଇ ଭାଇ ଫୈଜ ଏବଂ ଫଜଲ ଅହମ୍ମଦଙ୍କ ପିତା ସ୍ବର୍ଗତ ଜେ. ଅହମ୍ମଦ ସ୍ଥାନୀୟ ବାସିନ୍ଦାଙ୍କୁ ମନ୍ଦିର ନିର୍ମାଣ ପାଇଁ ନିଜ ଜମି ଦାନ କରିବାକୁ କହିଥିଲେ । କିନ୍ତୁ ତାଙ୍କର ଅକାଳରେ ମୃତ୍ୟୁ ଘଟିଥିଲା । ଏହାପରେ ଯେତେବେଳେ ସ୍ଥାନୀୟ ବାସିନ୍ଦା ତାଙ୍କ ପତ୍ନୀ ଏବଂ ପୁଅମାନଙ୍କୁ ଏହି ସୂଚନା ଦେଇଥିଲେ, ସେତେବେଳେ ସମସ୍ତେ ଖୁସିରେ ଜମିଦାନ ଲାଗି ପ୍ରସ୍ତୁତ ଥିବା କହିଥିଲେ । ଆଉ ଖୁସିଖୁସି ଜମିଦାନ କରିଥିଲେ । ଏବେର ଯୁଗରେ ଜମି ପାଇଁ ଭାଇ ଭାଇ ମଧ୍ୟରେ ବିବାଦ ଉପୁଜିଥିବା ବେଳେ ଏମାନେ ଭିନ୍ନ ଧର୍ମର ହୋଇ ମଧ୍ୟ ମନ୍ଦିର ନିର୍ମାଣ ପାଇଁ ଜମିଦାନ କରିଥିଲେ ।
ଭାରତ ହେଉଛି ସାର୍ବଭୌମତ୍ବ ରାଷ୍ଟ୍ର । ଏଠାରେ ଭିନ୍ନଭିନ୍ନ ଧର୍ମାବଲମ୍ବୀ ବାସ କରନ୍ତି । ଅଲଗା ଧର୍ମର ହୋଇଥିଲେ ମଧ୍ୟ ପରସ୍ପର ପରମ୍ପରା, ଜୀବନଶୈଳୀକୁ ସମ୍ମାନ କରିବା ସହ ଖୁସିରେ ପାଳନ କରିଥାନ୍ତି । ଏହା ଭାରତର ଏକତାର ପରିଚୟ ଦେଇଥାଏ । ଏହି କଥାକୁ ପୁଣି ଦୁଇ ଭାଇ ପ୍ରମାଣିତ କରିଛନ୍ତି । ମନ୍ଦିର ପାଇଁ ଜମି ଦାନ କରି ସେ ଅଲଗା ଧର୍ମାବଲମ୍ବୀ ଭାଇ ଭଉଣୀ ତଥା ପରମ୍ପରା ପ୍ରତି ଶ୍ରଦ୍ଧାଭାବ ଦେଖାଇଛନ୍ତି । ବାସ୍ତବରେ ଏମାନଙ୍କ ମହତ କାର୍ଯ୍ୟ ପ୍ରଶଂସନୀୟ ।