ହାଇଦ୍ରାବାଦ: ନଭେମ୍ବର 30 ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ରାଜ୍ୟ ପିସିସି ସଭାପତି ରେବନ୍ତ ରେଡ୍ଡି । କଂଗ୍ରେସର ତେଲେଙ୍ଗାନା ବିଜୟ ପରେ, ମୁଖ୍ୟମନ୍ତ୍ରୀ ପଦକୁ ନେଇ ସାମାନ୍ୟ ଦ୍ବନ୍ଦ୍ବ ଉପୁଜିଥିବା ବେଳେ, ଶେଷରେ ସସପେନ୍ସରେ ଅନ୍ତ ଘଟାଇଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି । ରାହୁଲ ମୁହଁ ଖୋଲିବା ସହ କହିଛନ୍ତି ' ମୋର ପସନ୍ଦ ରେବନ୍ତ ' ।
ଡିସେମ୍ବର ୩ରେ ପ୍ରକାଶ ପାଇଥିଲା ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ । ୧୧୯ ଆସନ ବିଶିଷ୍ଟ ବିଧାନସଭାରେ ୬୪ ଆସନ ଜିତି ବହୁମତ ହାସଲ କଲା କଂଗ୍ରେସ ପାର୍ଟି । ଆଉ ଏହି ବିଜୟର ମହାନାୟକ ପିସିସି ସଭାପତି ରେବନ୍ତ ରେଡ୍ଡି । ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆରମ୍ଭରୁ ଚର୍ଚ୍ଚା ହେଉଥିବା ବେଳେ, ଫଳାଫଳ ବାହାରିବା ପରେ ବଢ଼ିଥିଲା ଆଶାୟୀଙ୍କ ତାଲିକା । ଯାହାକୁ ନେଇ କଳ୍ପନା ଜଳ୍ପନା ବଢ଼ିଥିଲା । ଯାହାକୁ ସମାଧାନ କରିବାକୁ ସ୍ବତନ୍ତ୍ର ରଣନୀତି କରିଥିଲେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ବ । ପ୍ରଥମେ ନିର୍ବାଚିତ ବିଧାୟକମାନଙ୍କ ଫିଡ୍ ବ୍ୟାକ୍ ଏବଂ ପରେ ବିଧାୟକ ଦଳ ବୈଠକରେ ସଂକଳ୍ପ ପାସ୍ । ତାପରେ ହାଇକମାଣ୍ଡଙ୍କ କୋର୍ଟକୁ ଯାଇଥିଲା ବଲ୍ ।
ରାହୁଲ ଶୁଣାଇଲେ ରାୟ !: ଦିଲ୍ଲୀରେ ହାଇକମାଣ୍ଡ ମଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ବସିଲା କଂଗ୍ରେସର ଉଚ୍ଚସ୍ତରୀୟ ବୈଠକ ।ଏଥିରେ ସାମିଲ ହୋଇଥିଲେ ରାହୁଲ ଗାନ୍ଧି ଏବଂ ଦଳର ମହାସଚିବ କେସି ବେଣୁଗୋପାଳଙ୍କ ସମେତ ଦଳର ତୁଙ୍ଗ ନେତା । ବୈଠକରେ ରାହୁଲ କହିଥିଲେ ଯେ, ' ତେଲେଙ୍ଗାନାରେ ଟପ୍ ପୋଷ୍ଟ ପାଇଁ ରେବନ୍ତ ରେଡ୍ଡି ହିଁ ଯୋଗ୍ୟ ବ୍ୟକ୍ତି । ସେ ହେଉଛନ୍ତି ମୋର ପ୍ରଥମ ପସନ୍ଦ । '
ଏହା ମଧ୍ୟ ପଢ଼ନ୍ତୁ: ସସପେନ୍ସର ଅନ୍ତ: ରେବନ୍ତ ହେବେ ମୁଖ୍ୟମନ୍ତ୍ରୀ, ୭ରେ ଶପଥ !
ସୋମବାର ସଂଧ୍ୟାରେ ହେବାର ଥିଲା ଶପଥ ଗ୍ରହଣ ସମାରୋହ । ମାତ୍ର ରାଜ୍ୟ କଂଗ୍ରେସ କିଛି ବରିଷ୍ଠ ନେତା, ମୁଖ୍ୟମନ୍ତ୍ରୀ ପଦ ପାଇଁ ରେଡ୍ଡିଙ୍କ ଚୟନକୁ ବିରୋଧ କରିବା ପରେ, ଶପଥ ସମାରୋହକୁ ଘୁଞ୍ଚାଇ ଦିଆଯାଇଥିଲା । ପରେ ଏଆଇସିସି ଏବଂ କଂଗ୍ରେସ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ରେବନ୍ତଙ୍କ ନାଁରେ ମୋହର ଲାଗିଛି । 54 ବର୍ଷୀୟ ଯୁବ ଏବଂ ଆଗ୍ରେସିଭ୍ ରାଜନେତା ରେବନ୍ତ । ତେଲେଙ୍ଗାନାରେ ୧୦ ବର୍ଷ ଧରି ଶାସନ କରି ଆସୁଥିବା ବିଆରଏସ ପାର୍ଟି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ସବୁ ପ୍ରସଙ୍ଗରେ ଚ୍ୟାଲେଞ୍ଜ କରୁଥିଲେ ରେବନ୍ତ । ବିଧାନସଭା ନିର୍ବାଚନ ସମେୟରେ ବହୁ ଘାତ ପ୍ରତିଘାତ ମଧ୍ୟରେ, ସିଏମ୍ କେସିଆରଙ୍କ ସରକାରୀ କଳ ଏବଂ ବଳକୁ ସଫଳ ମୁକାବିଲା କରି, ବିଆରଏସ ହାତରୁ କ୍ଷମତା ଛଡ଼ାଇ ଆଣିଥିଲେ ।
କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଭଳି ତେଲେଙ୍ଗାନାରେ କଂଗ୍ରେସର ଟଲ୍ ଲିଡର ହେଉଛନ୍ତି ରେବନ୍ତ ରେଡ୍ଡି । ' ଭାରତ ଯୋଡ଼଼ ଯାତ୍ରା ' ସମୟରେ ରେବନ୍ତଙ୍କ ନେତୃତ୍ବ ଏବଂ ସାଂଗଠନିକ ଦକ୍ଷତା ପରଖିଥିଲେ ରାହୁଲ ଗାନ୍ଧି । ତେଲେଙ୍ଗାନାରେ ୨୧ ଦିନ ଧରି ପଦଯାତ୍ରା କରିଥିଲେ ରାହୁଲ । ଆଉ ପୁରା ଯାତ୍ରାରେ ଉପସ୍ଥିତ ଥିଲେ ରେବନ୍ତ । ଭାରତ ଯୋଡ଼ ଯାତ୍ରା ସମୟରେ କଂଗ୍ରେସ ପ୍ରତି ବଢ଼ିଥିଲା ଜନ ସମର୍ଥନ । ୨୦୨୩ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଷ୍ଟାର କ୍ୟାମ୍ପେନର ଥିଲେ ରାହୁଲ ଗାନ୍ଧି ଏବଂ ଉଭଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଭାରତ ଯୋଡ଼ ଯାତ୍ରାର ସଫଳତା ଏବଂ ରେବନ୍ତଙ୍କ ନିର୍ବାଚନ ରଣନୀତି, ତେଲେଙ୍ଗାନାରେ କଂଗ୍ରେସକୁ ଜୟଯୁକ୍ତ କରିଥିବା ସ୍ବୀକାର କରିଥିଲେ ରାହୁଲ । ଯାହାର ପୁରସ୍କାର ରେବନ୍ତଙ୍କୁ ଦେଇଛନ୍ତି ରାହୁଲ ।
ଏହା ମଧ୍ୟ ପଢ଼ନ୍ତୁ:ଓଡ଼ିଶା କଂଗ୍ରେସର ତେଲେଙ୍ଗାନା ଫର୍ମୂଲା : ରାଜ୍ୟରେ ପରିବର୍ତ୍ତନ ନାରା ଦେଲେ ଶରତ
ରେବନ୍ତ ରେଡ୍ଡି ! : ଅନୁମୁଲା ରେବନ୍ତ ରେଡ୍ଡି । 1969 ନଭେମ୍ବର 8ରେ ମେହେବୁବନଗର କୋଣ୍ଡାରେଡ୍ଡିରେ ଜନ୍ମଗ୍ରହଣ । ଓସମାନିଆ ବିଶ୍ବବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରୀ ହାସଲ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP)ରୁ ଛାତ୍ର ରାଜନୀତି ଆରମ୍ଭ । ପରେ ତେଲୁଗୁ ଦେଶମ ପାର୍ଟି (ଟିଡିପି)ରୁ ସକ୍ରିୟ ରାଜନୀତି । ସେ ତିନିଥର ବିଧାୟକ ଏବଂ ଥରେ ସାଂସଦ ନିର୍ବାଚିତ ହୋଇଛନ୍ତି । 2009 ଏବଂ 2014ରେ ଟିଡିପି ଟିକେଟରେ କୋଣ୍ଡାଙ୍ଗଲ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । 2017 ଅକ୍ଟୋବରରେ ଟିଡିପି ଛାଡ଼ି କଂଗ୍ରେସରେ ହୋଇଥିଲେ ସାମିଲ । ସେ 2018ରେ କଂଗ୍ରେସ ଟିକେଟରେ କୋଣ୍ଡାଙ୍ଗଲ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । କୋଡ଼ାଙ୍ଗଲରୁ ଏହାଥିଲା ତାଙ୍କର ଲଗାତର ତୃତୀୟ ବିଜୟ । 2019 ଲୋକସଭା ନିର୍ବାଚନ ନିର୍ବାଚନ ଲଢ଼ି ସଫଳ ହୋଇଥିଲେ । ସେ ମାଲକାଜଗିରି ଆସନରୁ ବିଜୟୀ ହୋଇ ସାଂସଦ ହୋଇଥିଲେ । ରେବନ୍ତଙ୍କୁ 2021ରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦେଇଥିଲେ କଂଗ୍ରେସ ହାଇକମାଣ୍ଡ । ରେବନ୍ତଙ୍କ ନେତୃତ୍ବରେ 2023 ବିଧାନସଭା ନିର୍ବାଚନ ଲଢ଼ିଥିଲା କଂଗ୍ରେସ ପାର୍ଟି । ୨୦୨୩ ବିଧାନସଭା ନିର୍ବାଚନରେ ରେବନ୍ତ ଦୁଇଟି ଆସନ କୋଡଙ୍ଗଲ ଏବଂ କାମାରେଡ୍ଡିରୁ ଲଢ଼ିଥିବା ବେଳେ, କାମାରେଡ୍ଡି ଆନସରୁ ହାରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ