ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏକ ପ୍ରକାର ହଟଚମଟ ସୃଷ୍ଟି ହୋଇଛି । ଆର୍ଥିକ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଜେଲରେ ଥିବା ତାମିଲନାଡୁ କ୍ୟାବିନେଟ ମନ୍ତୀ ସେନ୍ଥିଲ ବାଲାଜୀଙ୍କ ବରଖାସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଛି । ବରଖାସ୍ତ ନିର୍ଦ୍ଦେଶ ଉପରେ ରାଜ୍ୟପାଳ ଆର.ଏନ ରବି ବର୍ତ୍ତମାନ ପାଇଁ ରୋକ ଲଗାଇଛନ୍ତି । ଗୃହ ମନ୍ତ୍ରଣାଳୟର ପରାମର୍ଶ ପରେ ରାଜ୍ୟପାଳ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି ।
ରାଜଭବନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟପାଳ ଆର.ଏନ ରବି ଆଉ ଏକ ପତ୍ର ଲେଖି କହିଛନ୍ତି ଏବେ ଏହି ମାମଲାରେ ଆଟର୍ଣ୍ଣି ଜେନେରାଲଙ୍କଠାକୁ ଆଇନଗତ ପରାମର୍ଶ ନିଆଯାଉଛି । ଏବେ ସେନ୍ଥିଲ ବାଲାଜୀଙ୍କ ବରଖାସ୍ତ କରାଯିବାର ନିଷ୍ପତ୍ତି ନିଆଯାଇନାହିଁ ଫଳରେ ସେନ୍ଥିଲ ବାଲାଜୀଙ୍କ ମନ୍ତ୍ରୀପଦ ଏବେ ବି ବଜାୟ ରହିଛି । ଗତକାଲି (ଗୁରୁବାର) ସେନ୍ଥିଲ ବାଲାଜୀଙ୍କୁ ମନ୍ତ୍ରୀମଣ୍ଡଳରୁ ରାଜ୍ୟପାଳ ବରଖାସ୍ତ କରିଥିବା ନେଇ ନେଇ ଖବର ଆସିଥିଲା । ସେନ୍ଥିଲଙ୍କ ବରଖାସ୍ତ ନେଇ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଆପତ୍ତି ଉଠାଇଥିଲେ । ସେନ୍ଥିଲଙ୍କ ବରଖାସ୍ତ ନେଇ ଆଟର୍ଣ୍ଣି ଜେନେରାଲଙ୍କଠୁ ଆଇନଗତ ପରାମର୍ଶ ନିଆଯାଉଛି । ଯେ ପର୍ଯ୍ୟନ୍ତ ଏଜି ପକ୍ଷରୁ ଆଇନଗତ ରାୟ ଆସିନାହିଁ ସେବେଯାଏ କ୍ୟାବିନେଟରୁ ସେନ୍ଥଲଙ୍କୁ ବରଖାସ୍ତ କରାଯିବ ନାହିଁ ।
ଜୁନ 14 ତାରିଖରେ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିଲେ ତାମିଲନାଡୁ ମନ୍ତ୍ରୀ ଭି. ସେନ୍ଥିଲ ବାଲାଜୀ । ଗତକାଲି (ଗୁରୁବାର) ରାଜ୍ୟପାଳ ଆର.ଏନ ରବି ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରିଥିବା ଖବର ପ୍ରକାଶିତ ହୋଇଥିଲା । ଟଙ୍କା ନେଇ ଚାକିରି ଦେବା, ମନି ଲଣ୍ଡିରିଂ ଓ ଦୁର୍ନୀତି ଭଳି ଗମ୍ଭୀର ଅପରାଧିକ ମାମଲାରେ ମନ୍ତ୍ରୀ ସେନ୍ଥିଲ ବାଲାଜୀ ସମ୍ପୃକ୍ତ ଅଛନ୍ତି । ତେଣୁ ତାଙ୍କର ମନ୍ତ୍ରୀମଣ୍ଡଳରେ ରହିବାର କୌଣସି ଅଧିକାର ନାହିଁ । ରାଜଭବନ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରୁ ଏହା ଜଣାପଡିଥିଲା । ଆର୍ଥିକ ହେରଫେର ମାମଲାରେ ଗିରଫ ପରେ ବି ସେନ୍ଥିଲଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରି ନଥିଲେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ।
ଏହା ବି ପଢନ୍ତୁ...ଗିରଫ ପରେ କାନ୍ଦି କାନ୍ଦି ଗଡି ଗଲେ ତାମିଲନାଡୁ ଶକ୍ତି ମନ୍ତ୍ରୀ
ଗତକାଲି ସେନ୍ଥିଲଙ୍କ ବରଖାସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଥିଲେ, ''ରାଜ୍ୟପାଳ ତାଙ୍କଠାରୁ କୌଣସି ପରାମର୍ଶ ନେଇନାହାନ୍ତି । କୌଣସି ମନ୍ତ୍ରୀଙ୍କୁ ବରଖାସ୍ତ କରିବା ରାଜ୍ୟପାଳଙ୍କ ଅଧିକାର ନୁହେଁ ଏହାକୁ ସେ ଆଇନଗତ ଭାବେ କୋର୍ଟରେ ଚାଲେଞ୍ଜ କରିବେ ।'' ପୂର୍ବରୁ ମଧ୍ଯ ରାଜ୍ୟପାଳ ଆର.ଏନ ରବି ଓ ଷ୍ଟାଲିନ ସରକାରଙ୍କ ମଧ୍ୟରେ ଏକାଧିକ ପ୍ରସଙ୍ଗରେ ବିବାଦ ଲାଗି ରହିଛି । ସେହିପରି ରାଜ୍ୟପାଳ ରବି ବିଜେପି ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲେ ଷ୍ଟାଲିନ ସରକାରଙ୍କ ମନ୍ତ୍ରୀ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ମନୀଷ ତିୱାରୀ ଜେଲରେ ଥିବା ମନ୍ତ୍ରୀଙ୍କ ବରଖାସ୍ତକୁ ନିନ୍ଦା କରିଥିଲେ । ଅନ୍ୟପଟେ ତାମିଲନାଡୁ ବିଜେପି ରାଜ୍ୟ ଉପ ସଭାପତି ନାରାୟଣ ତିରୁପତି ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସମର୍ଥନ କରି ସେ ଉପଯୁକ୍ତ ନିଷ୍ପତ୍ତି ନେଇଥିବା କହିଥିଲେ ।