ବେଙ୍ଗାଲୁରୁ: ପତ୍ନୀ ପାଇଁ ନିଜ ଗଭୀର ପ୍ରେମର ପ୍ରମାଣ ଦେଇଛନ୍ତି କର୍ଣ୍ଣାଟକ ବେଲଗଭି ଅଞ୍ଚଳରେ ବାସିନ୍ଦୀ ଶିବା ଚୌଗୁଲେ । ସେ ନିଜ ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ଅନୁପସ୍ଥିତିକୁ ପୂରଣ କରିବା ପାଇଁ ନିଜ ଘରେ ସ୍ଥାପିତ କରିଛନ୍ତି ପ୍ରତିମୂର୍ତ୍ତି । ଜୀବନ୍ତ ବେଳେ ପତ୍ନୀକୁ ଭୁଲି ଯାଉଥିବା ବେଳେ ଏହି ବ୍ୟକ୍ତି ଜଣକ ମୃତ୍ୟୁ ପରେ ମଧ୍ୟ ନିଜ ପତ୍ନୀଙ୍କ ପ୍ରତି ଦେଖାଇଛନ୍ତି ଅତୁଟ ଭଲ ପାଇବା । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଶିବା ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ନିଜ ପତ୍ନୀଙ୍କ ଏକ ପ୍ଲାଷ୍ଟର ଅଫ ପ୍ୟାରିସ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ । ଆଲୋକର ପର୍ବ ଦୀପାବଳି ସନ୍ଧ୍ୟାରେ ସେ ଏହି ପ୍ରତିମୂର୍ତ୍ତିକୁ ସ୍ଥାପିତ କରିଥିଲେ । ଏଥିଲାଗି ସେ ନିଜ ଘରେ ଏକ ଉତ୍ସବର ଆୟୋଜନ କରିଥିଲେ, ଯେଉଁଥିରେ ଅନେକ ଅତିଥି ଯୋଗ ଦେଇଥିଲେ । ସେ ନିଜ ଘରର ଦ୍ବିତୀୟ ମହଲାରେ ପତ୍ନୀଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପିତ କରିଛନ୍ତି । ଏଥିରେ ତାଙ୍କ ପତ୍ନୀ ଏକ ଧଳା ରଙ୍ଗର ଶାଢୀ ପିନ୍ଧିବା ସହିତ ସୁନା ଅଳଙ୍କାର ପିନ୍ଧିଥିବା ଓ ସ୍ମିତହାସ୍ୟ ଦେଉଥିବା ଦେଖିବାକୁ ମିଳିଛି ।
ତେବେ ଚଳିତ ବର୍ଷ ମେ ମାସରେ ଶିବା କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ପତ୍ନୀ ମିନାବାଈ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ନିଜ ପତ୍ନୀଙ୍କ ଅନୁପସ୍ଥିତିକୁ ସହଜରେ ଗ୍ରହଣ କରିପାରିନଥିଲେ ଶିବା । ଏଥିଲାଗି ସେ ନିଜ ଘରେ ମିନାବାଈଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ।
ଘରେ ସ୍ଥାପିତ ହେଉଥିବା ପ୍ରତିମୂର୍ତ୍ତିଟି ସମ୍ପୂର୍ଣ୍ଣ ଭାବରେ ଜୀବନ୍ତ ଲାଗୁଛି ଏବଂ ଘର ମଧ୍ୟରେ ସେ ନିଜ ପତ୍ନୀଙ୍କୁ ପାଇ ବେଶ ଖୁସିଥିବା କହିଛନ୍ତି ଶିବା । ଏହି ଦମ୍ପତି ବେଲାଗଭି କର୍ପୋରେସନରେ ସଦସ୍ୟ ଥିଲେ । ମିନାଙ୍କ ପ୍ରତି ଶିବାଙ୍କ ଏହି ଭଲପାଇବାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ