ଇସଲାମାବାଦ: ପାକିସ୍ତାନରେ ସଂଖ୍ୟାଲଘୁ ବା ଅଣମୁସଲିମମାନେ ନିର୍ଯାତିତ ହେବାର ଏକାଧିକ ଉଦାହରଣ ମିଳେ । କେବେ ସଂଖ୍ୟାଲଘୁ ସମୁଦାୟଙ୍କ ଉପରେ ଆକ୍ରମଣ ତ କେବେ ସେମାନଙ୍କ ଧାର୍ମିକସ୍ଥଳକୁ ଧ୍ବଂସ କରିବାର ଘଟଣା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଏ ପାକିସ୍ତାନ । ଏପରି ଏକ ଘଟଣା ପୁଣି ଦେଖିବାକୁ ମିଳିଛି ପାକିସ୍ତାନର କରାଚୀ ସହରରେ । ଏକ ହିନ୍ଦୁ ମନ୍ଦିରକୁ ସମ୍ପୂର୍ଣ୍ଣ ଧ୍ବଂସ କରିବା ସହ ମନ୍ଦିରରେ ଥିବା ହନୁମାନଙ୍କ ମୂର୍ତ୍ତିକୁ ମଧ୍ୟ ଭାଙ୍ଗି ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ ।
ସୂଚନା ଅନୁସାରେ, କରାଚୀର ଶ୍ରୀ ମାତା ମନ୍ଦିର ଓ ସେହି ପରିସରରେ ରହୁଥିବା ଜଣେ ପୂଜକଙ୍କ ଘର ଉପରେ ଗତକାଲି ରାତିରେ ଏହି ଆକ୍ରମଣ ହୋଇଛି । ମନ୍ଦିର ଭାଙ୍ଗିବା ସହ ମୂର୍ତ୍ତିକୁ ଭାଙ୍ଗି ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ । ସେହିପରି ପୂଜକଙ୍କ ଘର ମଧ୍ୟ ଆକ୍ରମଣରୁ ବାଦ ପଡିନଥିଲା । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ପ୍ରାୟ 8ଟି ମୋଟର ସାଇକେଲରେ 10 ରୁ 10 ଦୁର୍ବୃତ୍ତ ଆସି ଏହି ଆକ୍ରମଣ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ଏହା କେବଳ ଗୋଟିଏ ଘଟଣା ନୁହେଁ ବରଂ ପାକିସ୍ତାନରେ ଏପରି ଘଟଣା ବାରମ୍ବାର ଦେଖିବାକୁ ମିଳିଲାଣି । କେତେକ ସ୍ଥାନରେ ସଂଖ୍ୟାଲଘୁଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ମଧ୍ୟ ବାଧ୍ୟ କରାଯାଉଛି । ଏପରି କରିବାକୁ ମନା କଲେ ସଂଖ୍ୟାଲଘୁମାନେ ଉତ୍ପୀଡନ ଓ ହିଂସାର ଶିକାର ହେବାକୁ ବାଧ୍ୟ ହେଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ