ନୂଆଦିଲ୍ଲୀ: ନିଜ ଜଳସୀମାର ଭାରତୀୟ ନୌସେନାର ବୁଡା ଜାହାଜ (ସବମେରାଇନ) ଅନୁପ୍ରବେଶ କରିଥିବା ଅଭିଯୋଗ କରିଛି ପାକିସ୍ତାନ । ଗତକାଲି (ଗୁରୁବାର) ଭାରତୀୟ ନୌସେନାର ବୁଡ଼ାଜାହାଜ INS କଲଭାରୀ ପାକିସ୍ତାନ ଜଳସୀମାରେ ଅନୁପ୍ରବେଶ କରିଥିବା ପାକିସ୍ତାନ ପକ୍ଷରୁ ଦାବି କରାଯାଇଥିବା ବେଳେ ଏସମ୍ପର୍କିତ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଛି ।
ପାକିସ୍ତାନୀ ସୈନ୍ୟବାହିନୀର ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR) ମହାନିର୍ଦ୍ଦେଶକ ମେଜର ଜେନେରାଲ ବାବର ଇଫ୍ଟିଖର ଏହି ଦାବି କରିଛନ୍ତି ଯେ, ମାର୍ଚ୍ଚ 1ରେ ଏହି ଭାରତୀୟ ଅତ୍ୟାଧୁନିକ ଶ୍ରେଣୀର ବୁଡାଜାହାଜ ପାକିସ୍ତାନ ଅଧିକୃତ ଜଳରାଶିରେ ପ୍ରବେଶ କରିଥିଲା । ଏହାକୁ ପାକିସ୍ତାନୀ ନୈସେନା ଆଣ୍ଟି-ସବମେରାଇନ୍ ୱାର-ଫେୟାର ୟୁନିଟ ଦ୍ବାରା ଚିହ୍ନଟ କରାଯିବା ସହ ଟ୍ରାକ ମଧ୍ୟ କରାଯାଇଥିଲା । ଫଳରେ ଭାରତୀୟ ଜାହାଜ ନିଜ ଜଳସୀମାକୁ ଫେରିଥିଲା ବୋଲି ସେ ଦାବି କରିଥିଲେ ।
ସେହିପରି ସେ ଏପରି କାର୍ଯ୍ୟ ପାଇଁ ପାକିସ୍ତାନ ନୌସେନା ୟୁନିଟକୁ ପ୍ରଶଂସା କରିବା ସହ ଗତ ୫ ବର୍ଷରେ ପାକ ଜଳସୀମାରେ ଭାରତୀୟ ନୌସେନାର ଏହା ଚତୁର୍ଥ ଅନୁପ୍ରବେଶ ବୋଲି ମଧ୍ୟ କହିଥିଲେ । ତେବେ ପାକିସ୍ତାନର ଏପରି ଅଭିଯୋଗରେ ଭାରତୀୟ ନୌସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ସ୍କର୍ପିଓନ ଶ୍ରେଣୀର ଏହି ଅତ୍ୟାଧୁନିକ ବୁଡାଜାହାଜ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ମୁମ୍ବାଇର ମାଜାଗନ୍ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ (MDL)ଦ୍ବାରା ନିର୍ମିତ ହୋଇଥିବା ବେଳେ ନାଭାଲ୍ ଗ୍ରୁପ୍ ସହଯୋଗରେ ପୂର୍ବରୁ ଡିସିଏନ୍ଏସ ଫ୍ରାନ୍ସ ଦ୍ୱାରା ଅପଗ୍ରେଡେଡ ମଧ୍ୟ ହୋଇସାରିଛି । ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ର କ୍ଷମତା ସମ୍ପନ୍ନ ଏହି ଅତ୍ୟାଧୁନିକ ଯୁଦ୍ଧପୋତ ଆରବ ସାଗରରେ ପାକିସ୍ତାନ ପାଇଁ ଏକ ବଡ ଚେତବାନୀ ଭାବେ ଆହ୍ବାନ ସୃଷ୍ଟି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ