ହାଇଦ୍ରାବାଦ: ଶିକ୍ଷକତା ପରି ମହାନ ବୃତ୍ତିରେ ଲଜ୍ଜା । ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇ ଅସଦାଚରଣ କରୁଥିବା ଅଭିଯୋଗରେ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ । ମହାରାଷ୍ଟ୍ର କୋହ୍ଲାପୁରର ଏକ ବିଦ୍ୟାଳୟରେ ଏପରି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଘଟଣା ସମ୍ପର୍କରେ ଜଣେ ଛାତ୍ରୀ ନିଜ ଅଭିଭାବକଙ୍କୁ ଜଣାଇବା ପରେ ଏନେଇ ପରିବାର ସଦସ୍ୟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
କୋହ୍ଲାପୁର ରାଧାନଗରୀ ତାଲୁକାରେ ଥିବା ଏକ ସ୍କୁଲରେ ଜଣେ ଇଂରାଜୀ ବିଭାଗର ଶିକ୍ଷକ ଜଣେ ଛାତ୍ରୀଙ୍କୁ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖାଇଥିଲେ । ଏକଥା ନିଜ ପିତାମାତାଙ୍କ ନିକଟରେ ଛାତ୍ରୀଜଣଙ୍କ ପ୍ରକାଶ କରିଥିଲା । ଏନେଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ସ୍କୁଲର ପ୍ରଧାନଶିକ୍ଷକଙ୍କ ନିକଟରେ ଅଭିଭାବକ ଅଭିଯୋଗ କରିଥିଲେ । ପରେ ଅଭିଯୁକ୍ତଙ୍କ ବିରୋଧରେ ବିଭାଗୀୟ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତାଙ୍କୁ ଉକ୍ତ ସ୍କୁଲରୁ ଅନ୍ୟତ୍ର ବଦଳି କରିଥିଲେ ଉପରିସ୍ଥ ଶିକ୍ଷା ଅଧିକାରୀ । ହେଲେ ପୀଡିତା ଛାତ୍ରୀଙ୍କ ପରିବାର ପରେ ଏନେଇ ଥାନାରେ ଦ୍ବାରସ୍ଥ ହେବା ପରେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି ।
ଅଭିଯୋଗ ଅନୁସାରେ, କେବଳ ଜଣେ ଛାତ୍ରୀ ନୁହନ୍ତି ବରଂ ସ୍କୁଲରେ ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ଏକାଧିକ ଛାତ୍ରୀଙ୍କୁ ଏହି ଶିକ୍ଷକଜଣଙ୍କ ଏପରି ଭିଡିଓ ଦେଖଇବା ସହ ଅସଦାଚରଣ କରିଆସୁଥିବା ଅଭିଯୋଗ ହୋଇଛି । ବିଭିନ୍ନ କାରଣ ଆଳରେ ଶିକ୍ଷକଜଣଙ୍କ ଛାତ୍ରୀଙ୍କ ଶରୀରର ବିଭିନ୍ନ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଷ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ଛାତ୍ରୀମାନେ । ଶିକ୍ଷକଙ୍କ ଏପରି କାର୍ଯ୍ୟକଳାପ ନେଇ କୌଣସି ଛାତ୍ରୀ ଅଭିଯୋଗ କରୁନଥିବା ବେଳେ ଶିକ୍ଷକଜଣଙ୍କ ଏପରି ବାରମ୍ବାର କରିଆସୁଥିଲେ । ଏବେ ଜଣେ ଛାତ୍ରୀ ଏନେଇ ଅଭିଯୋଗ କରିବା ପରେ ସମ୍ପୃକ୍ତ ଅଭିଯୁକ୍ତ ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି ।
ତେବେ ଘଟଣା ସମ୍ପର୍କରେ ଜଣାପଡିବା ପରେ ଉକ୍ତ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଘେରିବା ସହ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସମ୍ପୃକ୍ତ ଶିକ୍ଷକଙ୍କୁ ତୁରନ୍ତ ଚାକିରିରୁ ବହିସ୍କାର କରିବା ପାଇଁ ଦାବି ହୋଇଛି । ଜଣେ ଶିକ୍ଷକଙ୍କର ଏପରି କାରନାମା ଅଭିଭାବକ ମହଲରେ ଛାତ୍ରୀଙ୍କ ସୁରକ୍ଷା ନେଇ ଚିନ୍ତା ସୃଷ୍ଟି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ