ଭୁବନେଶ୍ବର: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶା ଆଠଟି ତ୍ୱରାନ୍ୱିତ ଜଳସେଚନ ସୁବିଧା କାର୍ଯ୍ୟକ୍ରମ (ଏଆଇବିପି) ପ୍ରକଳ୍ପ ମଧ୍ୟରୁ ଉପର ଇନ୍ଦ୍ରାବତୀ, ରୁକୁଡା, ରେତ, ତେଲଙ୍ଗିର ଓ ନିମ୍ନ ଇନ୍ଦ୍ରାବତୀର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହାଛଡା ସୁବର୍ଣ୍ଣରେଖା, ସମନ୍ୱିତ ଆନନ୍ଦପୁର ବ୍ୟାରେଜ ଓ କାନୁପୁର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଏସବୁ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଏପ୍ରିଲ ୨୦୧୬ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ୧୨୦୮.୮୬ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଆକାରରେ ଯୋଗାଇ ଦେଇଛନ୍ତି । ଏନେଇ ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡିଶାରେ ଆଠଟି ପ୍ରକଳ୍ପ ମାଧ୍ୟମରେ ୨୪୯.୫୩ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା କରାଯାଇଛି । ସେହିଭଳି କମାଣ୍ଡ ଏରିଆ ବିକାଶ ଓ ଜଳ ପରିଚାଳନା ପାଇଁ କେନ୍ଦ୍ର ସରକାର ୨୦୨୨ ମାର୍ଚ୍ଚ ସୁଦ୍ଧା ୧୩୧.୯୬ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏହାଫଳରେ ୭୧.୫୯ ହଜାର ହେକ୍ଟର ଜମିକୁ ଚାଷ ଉପଯୋଗୀ କରାଯାଇପାରିଛି । ଜଳ ଉତ୍ସଗୁଡିକର ମରାମତି ଓ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ୨୦୨୨ ମାର୍ଚ୍ଚ ସୁଦ୍ଧା ଓଡିଶାକୁ ୧୪୫.୧୯ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏଥିରେ ଦୁଇଟି କ୍ଲଷ୍ଟରର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ୪୭.୯୬ ହଜାର ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାକୁ କାମ ଚାଲିଛି । ସେ ଆହୁରି କହିଛନ୍ତି ଯେ, ବନ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।
ଏଥିରେ ନଦୀ ପରିଚାଳନା, କୂଳକ୍ଷୟ ରୋକିବା, ନଷ୍ଟ ହୋଇଯାଇଥିବା ବନ୍ୟା ନିରୋଧକ ବ୍ୟବସ୍ଥାର ପୁନରୁଦ୍ଧାର, ସମୁଦ୍ରକୂଳ କ୍ଷୟକୁ ରୋକିବା ଓ ବନ୍ୟା ନିୟନ୍ତ୍ରଣ ପାଇଁ ୮୦୦୦କୋଟି ଟଙ୍କାର କେନ୍ଦ୍ରୀୟ ବ୍ୟୟ ବରାଦ ରହିଛି । ଏକାଦଶ ଓ ଦ୍ୱାଦଶ ଯୋଜନାରେ ଓଡିଶାର ଏଭଳି ୬୮ଟି ପ୍ରକଳ୍ପକୁ କେନ୍ଦ୍ରୀୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ତଦନୁସାରେ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ଓଡିଶାକୁ କେନ୍ଦ୍ର ସରକାର ୧୧୯.୪୧ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୬୬ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହାଫଳରେ ୧୯୩୭୪୯ ହେକ୍ଟର ଜମି ଓ ୧୧, ୫୪, ୩୦୦ ଲୋକଙ୍କୁ ବନ୍ୟା ଦାଉରୁ ସୁରକ୍ଷିତ କରାଯାଇଛି । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିଶ୍ୱ ବ୍ୟାଙ୍କ ସହାୟତାରେ ପରିଚାଳିତ ଡ୍ୟାମ ମରାମତି ଓ ବିକାଶ ପ୍ରକଳ୍ପ (ଡ୍ରିପ)ରେ ଓଡିଶା ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମ ୨୦୧୨ରୁ ୨୦୨୧ ମଧ୍ୟରେ କାର୍ଯ୍ୟକାରୀ ହୋଇଥିଲା । ଏହି ପ୍ରଥମ ପଯ୍ୟାୟ କାର୍ଯ୍ୟରେ ଓଡିଶାର ୨୬ଟି ଡ୍ୟାମର ମରାମତି ଓ ବିକାଶ କରାଯାଇଛି । ଏଥିପାଇଁ ୩୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିଭଳି ଡ୍ରିପ-୨ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଓଡିଶାର ୩୬ ଡ୍ୟାମ ଅନ୍ତର୍ଭୁକ୍ତ ହୋଇଛି । ଏ ବାବଦରେ ମୋଟ ୮୦୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି କାର୍ଯ୍ୟକ୍ରମ ୨୦୨୧ ଅକ୍ଟୋବର ୧୨ରୁ ଆରମ୍ଭ ହୋଇଛି ।ଓଡିଶାର ଭୂତଳ ଜଳ ଓ ତାହାର ପରିଚାଳନା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ୨୫ ଜିଲ୍ଲାର ୨୪୫ବ୍ଲକରେ ୧,୨୦, ୫୯୯ ବର୍ଗ କିମି. ଅଞ୍ଚଳ ଜାତୀୟ ଆକ୍ୱାଫର ମ୍ୟାଫିଙ୍ଗ ଆଣ୍ଡ ମ୍ୟାନେଜମେଣ୍ଟ କାର୍ଯ୍ୟକ୍ରମରେ ଚିହ୍ନଟ ହୋଇଛି ।
ସେଥିମଧ୍ୟରୁ ୭୭ଶତାଂଶ ଅଞ୍ଚଳର ମାନଚିତ୍ରକରଣ କରାଯାଇଛି । ଏସବୁ ଅଞ୍ଚଳରେ ଭୂତଳ ଜଳଉତ୍ସର ସ୍ତର ବୃଦ୍ଧି କରିବାକୁ ଉଦ୍ୟମ କରାଯାଉଛି । ସେହିଭଳି ଭଦ୍ରକ, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାରେ ପାନୀୟ ଜଳରେ ଲୁଣାପାଣି ମିଶୁଥିବାରୁ ତାହାକୁ ରୋକିବାକୁ ପଦକ୍ଷେପ ଆରମ୍ଭ କରାଯାଇଛି । ଯୋଡ, ନାଳ ଓ ଉପନାଳଗୁଡିକର ବିକାଶ କାର୍ଯ୍ୟ ଚାଲିଛି । ଏହାଛଡା ଜାତୀୟ ହାଇଡ୍ରୋଲୋଜି ପ୍ରକଳ୍ପ ପାଇଁ ବିଶ୍ୱ ବ୍ୟାଙ୍କ ୫୦ ଶତାଂଶ ଋଣ ଯୋଗାଇ ଦେଉଛି ।ଜଳସେଚନ ଓ ଜଳ ପରିଚାଳନା ସଂକ୍ରାନ୍ତ ବିଶ୍ୱସନୀୟ ଡାଟା ସଂଗ୍ରହ, ତାହାର ସୁରକ୍ଷା, ପରିଚାଳନା ଓ ବ୍ୟବହାର ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ନିର୍ମାଣ ଏହି ପ୍ରକଳ୍ପର ଲକ୍ଷ୍ୟ । ଓଡିଶା ସରକାରଙ୍କ ଜଳସେଚନ ବିଭାଗ ଏହାକୁ କାର୍ଯ୍ୟକାରୀ କରୁଛି । ଏଥିପାଇଁ ୯୧.୧୫କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । କେନ୍ଦ୍ର ସରକାର ଏବାବଦରେ ଓଡିଶାକୁ ଏପର୍ଯ୍ୟନ୍ତ ୧୫.୨୫କୋଟି ଟଙ୍କା ଅନୁଦାନ ଆକାରରେ ଯୋଗାଇ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଜଳସମ୍ପଦ ପ୍ରକଳ୍ପଗୁଡିକୁ ରାଜ୍ୟ ସରକାର ନିଜର ସମ୍ବଳ ଅନୁସାରେ ଯୋଜନା କରି ପାଣ୍ଠି ଯୋଗାଇଥାଆନ୍ତି । ତାହାର ରକ୍ଷଣାବେକ୍ଷଣ କରିଥାନ୍ତି । ଏଥିରେ କେନ୍ଦ୍ର ସରକାରଙ୍କର ଭୂମିକା ସୀମିତ । କେନ୍ଦ୍ର କେବଳ ଏଥିରେ ରାଜ୍ୟମାନଙ୍କୁ ବୈଷୟିକ ସହାୟତା, କେତେକ କ୍ଷେତ୍ରରେ ଆଂଶିକ ଆର୍ଥିକ ସାହାଯ୍ୟ ଯୋଗାଇ ସୁବିଧାଯୋଗାଣକାରୀ ଭୂମିକା ନିର୍ବାହ କରିଥାଏ । ଜଳ ନିରାପତ୍ତା ପାଇଁ କେନ୍ଦ୍ରୀୟ ଯୋଜନା ବାହାରେ ରାଜ୍ୟମାନଙ୍କୁ ମଧ୍ୟ କେନ୍ଦ୍ର ସରକାର ସୀମିତ ସହାୟତା ସ୍ଥଳ ବିଶେଷରେ ଯୋଗାଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
ଇଟିଭି ଭାରତ, ନୂଆଦିଲ୍ଲୀ