ଜୟପୁର: ବୁଧବାର ରାଜସ୍ଥାନ ସରକାରଙ୍କ ପକ୍ଷରୁ ବିଧାନସଭାରେ ଆଗତ ହୋଇଥିଲା ୨୦୨୨-୨୩ ବର୍ଷ ପାଇଁ ଆର୍ଥିକ ବଜେଟ୍ । ବଜେଟରେ ସରକାରଙ୍କ ପକ୍ଷରୁ ରାଜସ୍ଥାନର ସମସ୍ତ 200 ବିଧାୟକଙ୍କ ପାଇଁ ଆଇଫୋନ ଉପହାର ଦିଆଯାଇଥିଲା । ଆଇଫୋନ ଭିତରେ ବଜେଟ୍ ଡିଜିଟାଲ କପି ମଧ୍ୟ ଦିଆଯାଇଥିଲା। ଯାହାର ମୂଲ୍ୟ ୭୫ ହଜାରରୁ ୧ ଲକ୍ଷ ରହିଥିବା ଜଣାପଡିଛି । କିନ୍ତୁ ଏହି ଉପହାରକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ବିଜେପି ବିଧାୟକ । ରାଜ୍ୟର ଆର୍ଥିକ ବୋଝକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ବିଜେପି ପକ୍ଷରୁ କୁହାଯାଇଛି ।
ରାଜସ୍ଥାନ ବିଜେପି ମୁଖ୍ୟ ସତୀଶ ପୁନିଆ ଏନେଇ ଟ୍ବିଟ କରି କହିଛନ୍ତି ଯେ, ଦଳର ବିଧାୟକମାନେ ସେମାନଙ୍କର ଆଇଫୋନ୍ ଫେରସ୍ତ କରିବେ । ସମସ୍ତ ବିଧାୟକଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ବିଜେପି ଦଳ ରାଜ୍ୟରେ ଆର୍ଥିକ ଦୃଷ୍ଟି କୋଣକୁ ନଜରରେ ରଖି ରାଜ୍ୟ ସରକାର ଦେଇଥିବା ଆଇଫୋନକୁ ଫେରସ୍ତ କରିବା ନେଇ କହିଛନ୍ତି ରାଜ୍ୟ ବିଜେପି ମୁଖ୍ୟ ।
ସୂଚନା ଅନୁଯାୟୀ, ଗତକାଲି ବିଧାନସଭାରେ ବଜେଟ ଉପସ୍ଥାପନ ହୋଇଥିଲା । ସ୍ବାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ସାମାଜିକ ସୁରକ୍ଷା ଏବଂ ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯାଇଥିବା ବେଳେ ରାଜ୍ୟର ବିଧାୟକଙ୍କୁ ଆଇଫୋନ ଦିଆଯାଇଥିଲା । ୨୫୦ଟି ଆଇଫୋନ ଆସିଥିବାବେଳେ ୨୦୦ ବିଧାୟକଙ୍କୁ ଉପହାର ଦିଆଯାଇସାରିଛି । ଅନ୍ୟପଟେ ରାଜସ୍ଥାନ କଂଗ୍ରେସ ତରଫରୁ କୁହାଯାଇଛି ଯେ ଏହା କେବଳ ବିଧାୟକଙ୍କୁ ଉପହାର ଦିଆଯାଇନାହିଁ ବରଂ ଆଗାମୀ ଦିନରେ ରାଜ୍ୟରେ ସମସ୍ତ ମହିଳାଙ୍କୁ ମଧ୍ୟ ସ୍ମାର୍ଟଫୋନ ଦିଆଯିବ ବୋଲି ବଜେଟରେ ଉଲ୍ଲେଖ ରହିଛି ।
@ANI