2018ରେ ରଚିତ ତାଙ୍କ ପୁସ୍ତକ ‘ଆଇଡେଣ୍ଟିଟି’ରେ ଫ୍ରାନ୍ସିସ ଫୁକୁୟାମା ଯୁକ୍ତି ଦର୍ଶାଇଛନ୍ତି ଯେ, ‘ରିପବ୍ଲିକାନ୍ଙ୍କୁ ଆମେରିକୀୟମାନେ ଭୋଟ ଦେବାର ମୁଖ୍ୟ କାରଣ ହେଉଛି ଯେ ପ୍ରବାସନ ଦ୍ବାରା ବର୍ଗ ଓ ବର୍ଣ୍ଣ ବହୁ ମାତ୍ରାରେ ସ୍ଥାନଚ୍ୟୁତ ହୋଇଛି” । ଏ ସଂପର୍କରେ ସେ ରାଜନୀତି ବିଜ୍ଞାନୀ ହାଜନଲ ଏବଂ ଆବରାଜାନୋଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟ ଉପସ୍ଥାପନ କରିଥିଲେ । “ମୁଖ୍ୟତଃ 1960 ଦଶକର ନାଗରିକ ଅଧିକାର ଆନ୍ଦୋଳନ ପରବର୍ତ୍ତୀ ସମୟରେ, ଆଫ୍ରିକୀୟ-ଆମେରିକୀୟମାନଙ୍କୁ ଡେମୋକ୍ରାଟିକ୍ ପାର୍ଟିରେ ସାମିଲ କରାଯିବା କାରଣରୁ ହିଁ ଦକ୍ଷିଣର ନାଗରିକମାନେ ରିପବ୍ଲିକାନ୍ ପାର୍ଟିରେ ସାମିଲ ହେବାକୁ ଆଗଭର ହୋଇଥିଲେ; ଆଜିକାଲି ପ୍ରବାସନ ହିଁ ଅନୁରୂପ ଭୂମିକା ନିର୍ବାହ କରୁଛି । ଡୋନାଲ୍ଡ ଟ୍ରମ୍ପ୍ଙ୍କ ନିର୍ବାଚନ ପ୍ରଚାରର କେନ୍ଦ୍ରରେ ରହିଥିଲା ମେକ୍ସିକୋ ନିବାସୀ ଏବଂ ମୁସଲମାନ ପ୍ରବାସୀଙ୍କ ପ୍ରତି ବିରୋଧ ଭାବ ଏବଂ ପରବର୍ତ୍ତୀ ସମୟରେ ସେ ରାଷ୍ଟ୍ରପତି ପଦବୀ ହାସଲ କରିଥିଲେ ।” ଫୁକୁୟାମା ତାଙ୍କ ବହିରେ ଲେଖିଛନ୍ତି । ଆଜି, ଟ୍ରମ୍ପ ପୁଣି ଆଗାମୀ ନଭେମ୍ବର ନିର୍ବାଚନରେ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ଲାଗି ଚାହୁଁଥିବା ବେଳେ ଉଭୟ ପ୍ରବାସନ ଏବଂ ବର୍ଣ୍ଣବାଦ ପ୍ରସଙ୍ଗ ନିର୍ବାଚନୀ ବିତର୍କର କେନ୍ଦ୍ରସ୍ଥଳରେ ସ୍ଥାନ ପାଇଛି ।
ରିପବ୍ଲିକାନ ନ୍ୟାସନାଲ କନ୍ଭେନ୍ସନର ପ୍ରଥମ ରାତିରେ, ମିଳିତ ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ଏବଂ ସାଉଥ୍ କାରୋଲିନାର ପୂର୍ବତନ ଗଭର୍ଣ୍ଣର ନିକ୍କି ହାଲେ ହିଁ ପ୍ରଥମ କୃଷ୍ଣକାୟ ଉପ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ସହ ତାଳ ମିଳାଇଥିଲେ । ଉଭୟ ହାଲେ ଏବଂ ହାରିସ୍ ପ୍ରବାସୀ ପିତାମାତାଙ୍କ ଔରସରୁ ଜନ୍ମ ନେଇଛନ୍ତି ଏବଂ ମୂଳ ଭାରତୀୟ ବଂଶ ସହ ସଂପୃକ୍ତ । ତାଙ୍କ ବାପା ମୁଣ୍ଡରେ ପଗଡ଼ି ବାନ୍ଧୁଥିଲେ ଏବଂ ମାଆ ଶାଢ଼ି ପିନ୍ଧୁଥିଲେ ବୋଲି ସେଠାରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସ୍ମରଣ କରାଇ ଦେଇ ହାଲେ କହିଥିଲେ, “ଆମେରିକାରେ ବର୍ଣ୍ଣ ବିଦ୍ବେଷ ଭାବନା ରହିଛି ବୋଲି କହିବା ଅଧିକାଂଶ ଡେମୋକ୍ରାଟିକ ପାର୍ଟି ସଦସ୍ୟଙ୍କ ପାଇଁ ଆଜିକାଲି ସ୍ବଭାବସୁଲଭ ଢଙ୍ଗରେ ପରିଣତ ହେଲାଣି । ଏହା ପୂରା ମିଛକଥା । ଆମେରିକା ଏକ ବର୍ଣ୍ଣ ବିଦ୍ବେଷ ଭାବନା ସଂପନ୍ନ ଦେଶ ନୁହେଁ । ଏହା ମୋର ବ୍ୟକ୍ତିଗତ କଥା । ମୁଁ ଜଣେ ପ୍ରବାସୀ ଭାରତୀୟଙ୍କର ଝିଅ ଭାବରେ ଗର୍ବ କରେ ।” ହାଲେ ଆହୁରି କହିଲେ, “ଆମେରିକାର କାହାଣୀ ହେଉଛି କାର୍ଯ୍ୟ ସଂପାଦନର ଏକ ପ୍ରଗତିଶୀଳ ଧାରା । ଏବେ ପ୍ରଗତିର ସେହି ଧାରା ଭିତ୍ତିରେ ଆମେରିକାକୁ ଗଢ଼ି ତୋଳିବାର ସମୟ ଏବଂ ପ୍ରତ୍ୟେକଙ୍କ ପାଇଁ ଆମେରିକାକୁ ଅଧିକ ମୁକ୍ତ, ନିରପେକ୍ଷ ଏବଂ ଉତ୍ତମ କରିବାକୁ ହେବ । ଏହି କାରଣରୁ ହିଁ ଆମେରିକାରେ ଘଟୁଥିବା ଦଙ୍ଗା ଓ ଭଙ୍ଗାରୁଜା ପ୍ରତି ଡେମୋକ୍ରାଟିକ୍ ପାର୍ଟି ଆଖି ବୁଜି ଦେବା ଦୁଃଖଦାୟକ ମନେହୁଏ ।”
ତା’ହେଲେ ସତରେ କ’ଣ ଆମେରିକା ବର୍ଣ୍ଣବାଦୀ ? ଏବଂ ପ୍ରକ୍ରିୟାବଦ୍ଧ ବର୍ଣ୍ଣବାଦ କ’ଣ 2020ର ରାଜନୈତିକ ବ୍ୟାଖ୍ୟାନର ରୂପରେଖ ନିର୍ଣ୍ଣୟ କରୁଛି ? ‘ଯୁଦ୍ଧକ୍ଷେତ୍ର ଆମେରିକା 2020’ର ଦ୍ବିତୀୟ ଅଧ୍ୟାୟରେ, ଯୁକ୍ତରାଷ୍ଟ୍ର ଆମେରିକାର ଦୁଇ ଜଣ ବିଶିଷ୍ଟ ଆଲୋଚକଙ୍କ ସହିତ ବର୍ଣ୍ଣବାଦ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମା । ସମାଜ ବିଜ୍ଞାନ ପ୍ରାଧ୍ୟାପକ, ଘୃଣାଭିତ୍ତିକ ଅପରାଧ ଗବେଷକ ଏବଂ ଔପନ୍ୟାସିକ ଡକ୍ଟର ରାଣ୍ଡାଲ ବ୍ଲାଜାକ୍ କହନ୍ତି ଯେ, ବର୍ଣ୍ଣବାଦ ପ୍ରସଙ୍ଗକୁ କେନ୍ଦ୍ର କରି ଆମେରିକାରେ ଏକ ଜାତୀୟ ଅନ୍ତଃସ୍ରୋତ ପ୍ରବାହିତ ହେଉଛି । ଅତୀତରେ ଶ୍ବେତାଙ୍ଗମାନଙ୍କର ଆଧିପତ୍ୟ ରହିଥିବା ଓରେଗନ୍ର ପୋର୍ଟଲ୍ୟାଣ୍ଡରୁ ବାର୍ତ୍ତାଳାପ କରି ଡକ୍ଟର ବ୍ଲାଜାକ୍ କହିଲେ, “ଆମେରିକାରେ ବଂଶବାଦର ମୁକାବିଲା କ୍ଷେତ୍ରରେ ଆମେ ସେତେ ସଫଳ ହୋଇନାହୁଁ । ଶହ ଶହ ବର୍ଷ ଧରି ଗଢ଼ି ଉଠିଥିବା ଅନୁଷ୍ଠାନ ଭିତ୍ତିକ ବର୍ଣ୍ଣବାଦ ସମସ୍ୟାର ସମାଧାନ ଦିଗରେ କୌଣସି ଉଦ୍ୟମ ହୋଇନାହିଁ । ତେଣୁ ବୋଧହୁଏ, 2020ରେ ଏ ସଂପର୍କରେ ବାର୍ତ୍ତାଳାପ ଆରମ୍ଭ ହୋଇଛି ଏବଂ ଏଥିରେ ହୁଏତ ବିଶ୍ବ ମହାମାରୀ ଏକ ଭୂମିକା ନିର୍ବାହ କରିଛି । କିନ୍ତୁ ଏହି ବାର୍ତ୍ତାଳାପର ପୁରୋଭାଗରେ ରହିଥିବା ବର୍ଣ୍ଣବାଦ ଏବେ ବି ଏଠାରେ ସଂଘଟିତ ହେଉଛି । ଏବଂ ଆମେ ବାସ୍ତବରେ କିଭଳି ଏହାର ମୁକାବିଲା କରୁଛୁ, ତାହା ଦେଖିବାକୁ ଚାହୁଁଥିବା ଶ୍ବେତାଙ୍ଗ ବ୍ୟକ୍ତିମାନଙ୍କ ଦ୍ବାରା ଏହା ସଂଘଟିତ ହେଉଛି ।” ଆମେରିକାରେ ବର୍ଣ୍ଣବିଦ୍ବେଷ ନାହିଁ ବୋଲି ନିକ୍କି ହାଲେ ଯୁକ୍ତି କରୁଥିବା ସମୟରେ ଉଇସ୍କନ୍ସିନ୍ ଅନ୍ତର୍ଗତ କେନୋଶାର ବିଭିନ୍ନ ରାସ୍ତାରେ ଦଙ୍ଗା ଓ ହିଂସାକାଣ୍ଡକୁ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ‘ନ୍ୟାସନାଲ ସିକ୍ୟୁରିଟି ଗାର୍ଡ’ମାନେ ପଇଁତରା ମାରୁଥିଲେ ।
ଜାକବ୍ ବ୍ଲେକ୍ ନାମକ ଜଣେ 29 ବର୍ଷୀୟ କୃଷ୍ଣକାୟ ବ୍ୟକ୍ତିଙ୍କୁ ତାଙ୍କର ତିନି ସନ୍ତାନଙ୍କ ସମ୍ମୁଖରେ ଶ୍ବେତାଙ୍ଗ ପୋଲିସ ଅଧିକାରୀମାନେ ଗୁଳି କରିବା ଘଟଣାରୁ ଏହି ଅଶାନ୍ତିର ସୂତ୍ରପାତ ହୋଇଥିଲା । ପରେ ସଂପୃକ୍ତ ଶ୍ବେତାଙ୍ଗ ପୋଲିସ ଅଧିକାରୀମାନଙ୍କୁ ପ୍ରାଶାସନିକ କାରଣରୁ ଛୁଟିରେ ପଠାଇ ଦିଆଯାଇଥିଲା । ଗୁଳିମାଡ଼ ସତ୍ତ୍ବେ ବ୍ଲେକ୍ଙ୍କ ଜୀବନ ରକ୍ଷା ହୋଇଯାଇଥିଲା, କିନ୍ତୁ ତିନି ମାସ ତଳେ ମିନିପୋଲିସରେ ଜଣେ ଶ୍ବେତାଙ୍ଗ ପୋଲିସ ଅଧିକାରୀ, ଜର୍ଜ୍ ଫ୍ଲଏଡ୍ ନାମକ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିବା ଘଟଣା ପରେ ସାରା ଦେଶରେ ବ୍ୟାପିଥିବା ‘ବ୍ଲାକ୍ଲାଇଭ୍ସମ୍ୟାଟର’ ବା ‘କୃଷ୍ଣକାୟଙ୍କ ଜୀବନ ଅର୍ଥପୂର୍ଣ୍ଣ’ ଶୀର୍ଷକ ଆନ୍ଦୋଳନରେ ପୁଣି ନୂତନ ଶକ୍ତି ସଂଚାରିତ ହୋଇଥିଲା । ଅତୀତରେ ଅନେକ ନିର୍ବାଚନ ପୂର୍ବର ପ୍ରଚାର ଶୃଙ୍ଖଳରେ ରାଜନୈତିକ ଆଲୋଚନାର ଏକ ଅଂଶ ଭାବେ ବର୍ଣ୍ଣବାଦ ଏବଂ କୃଷ୍ଣକାୟଙ୍କ ହତ୍ୟା ପ୍ରସଙ୍ଗ ସ୍ଥାନ ପାଇସାରିଛି । କିନ୍ତୁ, ‘ରିଲିଜିଅସ୍ ଫ୍ରିଡମ୍ ଇନ୍ଷ୍ଟିଚ୍ୟୁଟ୍ ଆଣ୍ଡ ଉଇଲ୍ସନ ସେଣ୍ଟର’ର ଜଣେ ବରିଷ୍ଠ ଗବେଷକ ଫରାହନାଜ ଇସ୍ପାହାନି ଯୁକ୍ତି କରନ୍ତି ଯେ, ଏଥର ଏହା ଏକ ପ୍ରକ୍ରିୟାବଦ୍ଧ ବର୍ଣ୍ଣବାଦ ଉପରେ ଜାତୀୟ ଆଲୋଚନାର ବିଷୟବସ୍ତୁ । ୱାଶିଂଟନ ଡିସିରୁ କଥାବାର୍ତ୍ତାରେ ଯୋଗ ଦେଇ ସୁଶ୍ରୀ ଇସ୍ପାହାନି କହିଲେ, “ଯେଉଁ ବର୍ଣ୍ଣବାଦ ସଂପର୍କରେ ଆମେ ଆଲୋଚନା କରୁଛୁ ତାହା ପଛରେ ରହିଯାଇଛି । ତାହା ସମ୍ବିଧାନ ହେଉ କି, କ୍ରୀତଦାସ ପ୍ରଥା କିମ୍ବା ନାଗରିକ ଅଧିକାର ପାଇଁ ଆନ୍ଦୋଳନ କିମ୍ବା ମାର୍ଟିନ୍ ଲୁଥର କିଙ୍ଗ । ଏହା ଠିକ୍ ନୁହେଁ ଯେ ଆମେରିକାରେ ଆମେ କେବେହେଲେ ବର୍ଣ୍ଣ ବିଷୟରେ କଥାବାର୍ତ୍ତା କରିନାହୁଁ । ଏବଂ ଏ ସଂପର୍କରେ ଗମ୍ଭୀରତାର ସହ ଆଲୋଚନା କରିନାହୁଁ । ଏବଂ ଏହା ବି ନୁହେଁ ଯେ ଆଗରୁ ଅନେକ ଅନେକ ଲୋକଙ୍କୁ ପୋଲିସ ଗୁଳିମାଡ଼ କରିନାହିଁ । କିନ୍ତୁ ପ୍ରଥମ ଥର ପାଇଁ ଆମେରିକାର ଇତିହାସ ଏବଂ ଭୂଗୋଳର ଏବଂ ଆଜିର ଆମେରିକା ଏବଂ ସର୍ବକାଳୀନ ଆମେରିକାର ଅଭିନ୍ନ ଅଂଶ ଭାବରେ ପ୍ରକ୍ରିୟାବଦ୍ଧ ବର୍ଣ୍ଣବାଦକୁ ଉପସ୍ଥାପନ କରାଯାଇଛି । ଏବଂ ଏଥିରେ ଏହା ହିଁ ଫରକ ବୋଲି ମୁଁ ଭାବୁଛି ।” ସୁଶ୍ରୀ ଇସ୍ପାହାନି ଆହୁରି କହିଲେ, “ପ୍ରଥମ ଥର ପାଇଁ ଆମେରିକାର ଏକ ପ୍ରମୁଖ ରାଜନୈତିକ ଦଳ (ଡେମୋକ୍ରାଟ୍ସ) ପ୍ରକ୍ରିୟାବଦ୍ଧ ବର୍ଣ୍ଣବାଦ ପ୍ରସଙ୍ଗ ଉଠାଇଛି ଏବଂ ରାଜନୈତିକ ଗୋଷ୍ଠୀରେ ଏହାକୁ ଆପଣ ସ୍ବୀକାର ବା ଅସ୍ବୀକାର କରିପାରିବେ, କିନ୍ତୁ ରାଜନୈତିକ ଗୋଷ୍ଠୀ, ରାଜନୀତିଜ୍ଞ, ଗଣମାଧ୍ୟମ ଏବଂ ଆମେରିକାବାସୀଙ୍କ ଜରିଆରେ ଏହା ସାରା
ଆମେରିକାରେ ବ୍ୟାପି ଯିବ । ଲୋକେ ଏହା ଉପରେ ନିଜ ନିଜର ମତାମତ ଦେଉଛନ୍ତି, ଗୋଟିଏ ପକ୍ଷକୁ ସମର୍ଥନ କରି ବାହାରି ଆସନ୍ତୁ କିମ୍ବା ଅନ୍ୟ ପକ୍ଷକୁ, ସେମାନଙ୍କୁ ଏହାର ସମ୍ମୁଖୀନ ହେବାକୁ ପଡୁଛି ।” ହେଲେ, ରିପବ୍ଲିକାନ୍ମାନେ ସେମାନଙ୍କ ନିର୍ବାଚନ ପ୍ରଚାର ସମୟରେ ଡେମୋକ୍ରାଟ୍ମାନଙ୍କୁ ଲକ୍ଷ୍ୟ କରି ଉଗ୍ର ବାମପନ୍ଥୀ, ମୌଳବାଦୀ ବୋଲି କହିଛନ୍ତି । ସେମାନେ କୃଷ୍ଣକାୟମାନଙ୍କ ଜୀବନ ପାଇଁ ସଂଘର୍ଷରତ କର୍ମୀ ଓ ପ୍ରତିବାଦକାରୀମାନଙ୍କୁ ହିଂସ୍ର ହତ୍ୟାକାରୀମାନଙ୍କ ଭିଡ଼ ରୂପେ ଅଭିହିତ କରିଛନ୍ତି ଏବଂ ‘ଡିସି ପଙ୍କକାଦୁଅ’ରୁ ମୁକ୍ତି ପାଇବା ଲାଗି ଭୋଟଦାତାଙ୍କୁ ଆହ୍ବାନ ଦେଇଛନ୍ତି । ଏହି ଆଲୋଚନା ଅବସରରେ ସ୍ମିତା ଶର୍ମା ପଚାରିଥିଲେ ଯେ, ପ୍ରକ୍ରିୟାବଦ୍ଧ ବର୍ଣ୍ଣବାଦ ସଂପର୍କିତ ଜାତୀୟ ଆଲୋଚନା, ଆମେରିକୀୟମାନଙ୍କ ମଧ୍ୟରେ ଆହୁରି ଭେଦଭାବ ସୃଷ୍ଟି କରିବ କି ? ଏହା ଫଳରେ ରକ୍ଷଣଶୀଳ ଶ୍ବେତାଙ୍ଗ ଆମେରିକୀୟମାନେ ପୁଣି ଏକୀକୃତ ହୋଇଯିବେ କି ? ବର୍ଣ୍ଣବାଦ ସମସ୍ୟାର ସମାଧାନ ଦିଗରେ ଟ୍ରମ୍ପ୍-ପେନ୍ସ ଯୋଡ଼ି ତୁଳନାରେ ବିଡେନ୍-ହାରିସ୍ଙ୍କ ଯୋଡ଼ି ମୌଳିକ ରୂପରେ ଅଲଗା କିଛି ସମାଧାନର ପନ୍ଥା ବାହାର କରିପାରିବେ କି ? ଡକ୍ଟର ବ୍ଲାଜାକ କହନ୍ତି, “ଏ ସପ୍ତାହରେ ଆୟୋଜିତ ‘ରିପବ୍ଲିକାନ୍ ନ୍ୟାସନାଲ କନ୍ଭେନ୍ସନ’ରେ ଆମେ ଯାହା ଦେଖିଲୁ ତାହା ବାସ୍ତବରେ ଏକ ଦ୍ବିମୁଖୀ ବିଭାଜନ । ଭୟ କରୁଥିବା ଗୋଟିଏ ଦଳ ରହିଛି ଏବଂ ଭାବ ପ୍ରତିଫଳନର ଏକ ଦଳ ବି । ଆମେରିକା ଏକ ପରିବର୍ତ୍ତନଶୀଳ ସ୍ଥାନ । ଆମେ ଅଧିକରୁ ଅଧିକ ବାଦାମୀ ରଙ୍ଗର ଲୋକଙ୍କ ଏକ ଦେଶରେ ପରିଣତ ହେଉଛୁ । ଆମେ ଏହାର ସଂଘଟନକୁ ରୋକିବାକୁ ଯିବୁନାହିଁ । ତେଣୁ, ହୁଏତ ଆମେ ତାହା ବିରୋଧରେ ଉତ୍ପନ୍ନ ସଂଘାତରେ ସଂପୃକ୍ତ ହେବୁ । ‘ସହରତଳି ଅଞ୍ଚଳର ଗୃହିଣୀମାନେ ମୋତେ ଭୋଟ ଦେବାକୁ ଯାଉଛନ୍ତି, କାରଣ ମୁଁ ଆପଣଙ୍କ ପାଖପଡ଼ିଶାରୁ ସେହି ବ୍ୟକ୍ତିମାନଙ୍କୁ ବାହାର କରିବାକୁ ଯାଉଛି’ ବୋଲି ରାଷ୍ଟ୍ରପତି କରିଥିବା ଟ୍ବିଟ୍ 1950 ଦଶକର ଭଳି ମନେହୁଏ ।
ସୁତରାଂ, ବାସ୍ତବ ତଫାତ୍ କେବଳ ନୀତିରେ ନୁହେଁ, ବରଂ ଏହି ସମୟରେ ଆମେ ଆମ ନିଜ ସଂପର୍କରେ କ’ଣ ଭାବୁଛୁ, ସେଥିରେ ନିହିତ ।” ବର୍ଣ୍ଣବାଦ ଭିତ୍ତିକ ଅନ୍ୟାୟ ପ୍ରସଙ୍ଗରେ ଯୁବ ଓ ବୟସ୍କ ଆମେରିକୀୟମାନଙ୍କ ମତାମତରେ ପାର୍ଥକ୍ୟ ରହିଛି କି ବୋଲି ପ୍ରଶ୍ନର ଉତ୍ତରରେ ଡକ୍ଟର ବ୍ଲାଜାକ କହିଲେ, “ଉଭୟ ପିଢ଼ି ମଧ୍ୟରେ ଏକ ବାସ୍ତବ ପ୍ରଭେଦ ଦେଖାଯାଏ । ଯୁକ୍ତରାଷ୍ଟ୍ର ଆମେରିକାର ଜନଗଣନା ବ୍ୟୁରୋର ଆକଳନ ଅନୁସାରେ, 2050 ବେଳକୁ ଆମେରିକାରେ ଶ୍ବେତାଙ୍ଗଙ୍କ ପ୍ରତିଶତ ଅଣ-ଶ୍ବେତାଙ୍ଗଙ୍କ ତୁଳନାରେ କମ୍ ରହିବ । ତେଣୁ ଏହା ଏକ ସଂଖ୍ୟାଲଘୁମାନଙ୍କର ସଂଖ୍ୟାଗରିଷ୍ଠ ଦେଶରେ ପରିଣତ ହେବ । ଯୁବ ପିଢ଼ି ସମେତ ଅନେକ ଲୋକ ଏହାକୁ ଏକ ଉତ୍ସାହଜନକ ତଥ୍ୟ ହିସାବରେ ବିଚାର କରୁଛନ୍ତି । ଏବଂ ତା ସହିତ ବୟସ୍କ ଶ୍ବେତାଙ୍ଗ ବ୍ୟକ୍ତିମାନଙ୍କ ଭିତରେ ଏକ ଆଶଙ୍କା ସଂଚରିତ ହୋଇଛି ଏବଂ ସେମାନଙ୍କୁ ଲାଗୁଛି ଯେ 1776 ମସିହାରେ ସେମାନଙ୍କ ଦ୍ବାରା ସୃଷ୍ଟ ଏକ ଦେଶ ଏବେ କୌଣସିମତେ ତାଙ୍କ ହାତରୁ ଖସାଇ ନିଆଯାଉଛି । ତେଣୁ ଏବେ ସେମାନେ ଆତ୍ମରକ୍ଷାମୂଳକ ସ୍ଥିତିରେ ଅଛନ୍ତି ଏବଂ ପାଚେରି ଗଢ଼ିବାକୁ ଚାହୁଁଛନ୍ତି, ପ୍ରବାସନ ଉପରେ ନିଷେଧାଦେଶ ଜାରି କରି ସମୟର ଧାରା ବଦଳାଇବାକୁ ଚାହୁଁଛନ୍ତି ଏବଂ ଏଭଳି ଏକ କାଳ୍ପନିକ ଅତୀତକୁ ଫେରିଯିବାକୁ ଚାହୁଁଛନ୍ତି ଯେଉଁଠି ଏହା କେବଳ ସ୍ବତନ୍ତ୍ର ଅଧିକାରପ୍ରାପ୍ତ ଶ୍ବେତାଙ୍ଗ ପୁରୁଷମାନଙ୍କର ଦେଶ ହୋଇଥିବ ଏବଂ କୌଣସି ଉଭୟଲିଙ୍ଗୀ ବ୍ୟକ୍ତି
କିମ୍ବା ପ୍ରବାସୀ କିମ୍ବା ମୁସଲମାନ କିମ୍ବା ଶ୍ବେତାଙ୍ଗ ସଂଖ୍ୟାବହୁଳତାକୁ ବିରୋଧ କରୁଥିବା କୌଣସି ବ୍ୟକ୍ତି ଏହାର ବିରୋଧ କରୁ ନଥିବେ ।” ଜଣେ ପ୍ରବାସୀ ଭାବରେ ନିଜ ଅନୁଭୂତିର ସ୍ମୃତିଚାରଣ କରି ମୂଳ ପାକିସ୍ତାନ ବଂଶୋଦ୍ଭବ ଫରହାନାଜ ଇସ୍ପାହାନି କହିଲେ, “ପ୍ରାୟ 35 ବର୍ଷ ତଳେ, 18 ବର୍ଷ ବୟସରେ ମୁଁ ଯେଉଁ ଆମେରିକାକୁ ଆସିଥିଲି, ସେହି ଆମେରିକା ଏବେକାର ଆମେରିକାଠାରୁ ପୂରାପୂରି ଅଲଗା ଥିଲା । ପ୍ରବାସୀମାନଙ୍କୁ ସାଦରେ ସ୍ବାଗତ କରୁଥିଲା । କିନ୍ତୁ ସେତେବେଳେ ଏଠାକୁ ଆସିଥିବା ଆମ ଭିତରୁ ଅଧିକାଂଶ ଲୋକ ହୁଏତ ପାଠ ପଢ଼ିବାକୁ ଆସିଥିଲେ କିମ୍ବା ଶିକ୍ଷିତ ପରିବାରରୁ ଆସିଥିଲେ ଇତ୍ୟାଦି । ଏବେ ପ୍ରବାସନର ଢାଞ୍ଚା ବଦଳିଗଲାଣି ଏବଂ ତା ସହିତ ଏଠାକାର ଅଭ୍ୟର୍ଥନା ଶୈଳୀ ବି ବଦଳିଗଲାଣି । କିନ୍ତୁ ପିଢ଼ି ପରେ ପିଢ଼ି ଧରି ଆପଣ ଯାହା
ଦେଖିଆସୁଛନ୍ତି ତାହା ଖୁବ ସ୍ପଷ୍ଟ । ଆପଣ ବୟସ୍କମାନଙ୍କୁ ଦେଖନ୍ତି, ଯେଉଁମାନେ କି ସେମାନଙ୍କ ଜୀବନ ଶୈଳୀ, ସେମାନଙ୍କ ଈଶ୍ବର, ସେମାନଙ୍କର ଚର୍ଚ୍ଚ, ସେମାନଙ୍କ ଜମିଜମା, ସେମାନଙ୍କ ଅସ୍ତ୍ରଶସ୍ତ୍ର ରଖିବା ଅଧିକାର ଆଦି ହରାଇବା ଆଶଙ୍କାରେ ଆତଙ୍କିତ ଏବଂ ପରିବର୍ତ୍ତନଶୀଳ ପରିସ୍ଥିତି ସହିତ ତାଳମେଳ ରଖିବାରେ ଅସମର୍ଥ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଭୋଟ ଦେଇଥିଲେ । ତେଣୁ, ଏହା ସକାରାତ୍ମକ ଭୋଟ ଥିଲା ବୋଲି କୁହାଯାଇପାରିବ ନାହିଁ ।”
ସ୍ମିତା ଶର୍ମା, ନୂଆଦିଲ୍ଲୀ, 26 ଅଗଷ୍ଟ, 2020