କଥା କହୁଥିବା ପାହାଡ଼ ମାନଙ୍କ ମଧ୍ୟରେ ସତେ ଯେମିତି ଏକ କାବ୍ୟାତ୍ମକ ଲୋକଗୀତ ନାଗାଲାଣ୍ଡ । ଅନେକ ଆଦିବାସୀ ଓ ଉପଆଦିବାସୀ ସମ୍ପ୍ରଦାୟର ବାସସ୍ଥଳି ଏହି ରାଜ୍ୟ । ଆକର୍ଷଣୀୟ ଆଦିବାସୀ ରୀତିନୀତି, ସମୃଦ୍ଧ ପରମ୍ପରା, ଅଜ୍ଞାତ ଆଞ୍ଚଳିକ ଭାଷା ବିଶ୍ବସାରାର ପରିଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରେ । ତେବେ ଚାଲନ୍ତୁ ଭାରତର ସେହି ରାଜ୍ୟ ବିଷୟେ ଜାଣିବା କଛି ଏମିତି କଥା ଯାହା ଆପଣ କେବେ ଶୁଣି ନଥିବେ ।
1- ବିନା ଅନୁମତିରେ ପ୍ରବେଶ ନିଷେଧ
ଦେଶର ସ୍ବଳ୍ପ କିଛି ରାଜ୍ୟ ମଧ୍ୟରୁ ଗୋଟିଏ ହେଉଛି ନାଗାଲାଣ୍ଡ ଯାହାର ସୀମାରେଖା ମଧ୍ୟରେ ପ୍ରବେଶ କରିବା ପାଇଁ ଆପଣଙ୍କୁ ଲୋଡ଼ା ଅନୁମତି । ସ୍ବର୍ଗୀୟ ସୁନ୍ଦରତାର ରାଜ୍ୟ ନାଗାଲାଣ୍ଡ ଆପଣଙ୍କୁ ସ୍ବାଗତ କରେ । କିନ୍ତୁ ଇନର ଲାଇନ ପରମିଟ ବିନା ଆପଣ ନାଗାଲାଣ୍ଡର ରାସ୍ତାରେ ନା ତ ବୁଲି ପାରିବେ ନା ରାଜ୍ୟକୁ ପ୍ରବେଶ କରି ପାରିବେ । ଅନ୍ୟ ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକଙ୍କୁ ‘ଏକ ଅସ୍ଥାୟୀ ରହଣି’ ପାଇଁ ଅନୁମତି ଦେଇଥାନ୍ତି ନାଗାଲାଣ୍ଡ ସରକାର । ତେବେ ନାଗାଲାଣ୍ଡର ଗୋଟିଏ ହିଁ ଏମିତି ସହର ଅଛି ଯେଉଁଠାରେ ଆମଣଙ୍କୁ ପଟମିଟ ଦେଖାଇବାକୁ ପଡ଼େ ନାହିଁ ଆଉ ସେଇଟି ହେଉଛି ଦିମାପୁର । ନାଗାଲାଣ୍ଡର ପୋର୍ଟ ହେଡ ଓ ସବୁଠାରୁ ବଡ଼ ସହର ।
2- ମନ ମୋହେ ହର୍ନବିଲ ପର୍ବ
ହର୍ନବିଲ ହେଉଛି ରାଜ୍ୟର ସବୁଠାରୁ ଲୋକପ୍ରିୟ ପର୍ବ । ଏହା ଏକ ପାରମ୍ପାରିକ ଉତ୍ସବ ଯାହାକୁ ଖୁବ ଆନନ୍ଦ ଉଲ୍ଲାସର ସହ ପାଳନ କରନ୍ତି ନାଗାଲାଣ୍ଡବାସୀ । ଏକ ପକ୍ଷୀ ପ୍ରଜାତି ହର୍ନବିଲର ନାମ ଅନୁସାରେ ଏହି ପର୍ବର ନାମକରଣ କରାଯାଇଛି । ତେବେ ଏହି ପର୍ବରେ ଆଦିବାସୀ ମାନଙ୍କ ପ୍ରଦର୍ଶନରେ ହର୍ନବିଲ ପକ୍ଷୀର ଗୁରୁତ୍ବ ପ୍ରତିଫଳିତ ହୋଇଥାଏ । ସାଧାରାଣତଃ ଡିସେମ୍ବର ମାସରେ ପାଳନ ହେଉଥିବା ଏହି ପର୍ବ ନାଗାଲାଣ୍ଡର ଆଦିବାସୀ ଯୋଦ୍ଧା ଜନଜାତିର ସବୁଠାରୁ ବଡ଼ ଉତ୍ସବ ଅଟେ । ନାଗା ଆଦିବାସୀଙ୍କ ଅନନ୍ୟ ପରମ୍ପରା ଓ ସଂସ୍କୃତିର ଏହି ପର୍ବରେ ଭିଜି ଯିବାକୁ, ଉତ୍ସବର ଜାକ ଜମକରେ ହଜି ଯିବାକୁ ଇଚ୍ଛା ହୁଏ । କାରଣ ଏହି ସମୟରେ ସାରା ରାଜ୍ୟ ସଜେଇ ହୋଇଥାଏ ନବବଧୂଟେ ପରି ।
3- ବିଶ୍ବର ସବୁଠାରୁ ରାଗ ଲଙ୍କାର ପ୍ରଦେଶ
ଆପଣ ଜାଣନ୍ତି, ନାଗାଲାଣ୍ଡ ବିଶ୍ବର ସବୁଠାରୁ ରାଗ ଲଙ୍କାର ପ୍ରଦେଶ, ଯାହାର ନାଁ ହେଉଛି ଭୁତ ଜୋଲୋକିଆ । ଯାହାକୁ ବିଶ୍ବର ସବୁଠାରୁ ରାଗ ଲଙ୍କାର ମାନ୍ୟତା ମିଳିଛି । ଭୁତ ଜୋଲୋକିଆ ବା ଭୁତ ଲଙ୍କା ପ୍ରାୟତ ସମସ୍ତ ନାଗା ଲୋକଙ୍କ ବାଡ଼ିରେ ଦେଖିବାକୁ ମିଳେ । ଗିନିଜ ବିଶ୍ବ ରେକର୍ଡରେ ସ୍ଥାନ ପାଇଥିବା ଏହି ଲଙ୍କାକୁ ନିଶ୍ଚିତ ଥରେ ଚାଖିବା ଦରକାର । ଟୋବାସ୍କୋ ସସ୍ ଯାହା ଖୁବ ରାଗ ବୋଲି ମାନ୍ୟତା ପାଇଛି ତାଠାରୁ 400 ଗୁଣ ଅଧିକ ରାଗ ହେଉଛି ଭୁତ ଜୋଲୋକିଆ । ଏଥିରୁ ହିଁ ଆପଣ ଏହା କେତେ ରାଗ ହୋଇଥିବ ଅନୁମାନ କରିପାରିବେ ।
4- ସାମାଜିକ ପଦାନୁକ୍ରମର ପ୍ରତୀକ ନାଗା ଶାଲ
ଉଜ୍ବଳ ରଙ୍ଗ ଏବଂ ସୁନ୍ଦର ଡିଜାଇନରେ ବୁଣା ହୋଇଥିବା ନାଲି ଶାଲ ଗୁଡ଼ିକ ପ୍ରକୃତରେ ଏହି ରାଜ୍ୟର ସାମାଜିକ ପଦାନୁକ୍ରମର ପ୍ରତୀକ । କେବଳ ସୁନ୍ଦର ଡିଜାଇନ କିମ୍ବା ରଙ୍ଗ ନୁହେଁ ଏହି ଶାଲର ରହିଛି ଭିନ୍ନ ମହତ୍ତ୍ବ । ନାଗା ସମାଜରେ ଏହାର ବେଶ ଗୁରୁତ୍ବ ରହିଛି । ଏହି ଶାଲ ପରିଧାନ କରୁଥିବାର ସାମାଜିକି ସ୍ଥିତି ମଧ୍ୟ ଏହି ଶାଲ ନିର୍ଦ୍ଧାରିତ କରିଥାଏ । ପ୍ରତିଟି ଜନଜାତିର ସ୍ବତନ୍ତ୍ର ଡିଜାଇନ, ପ୍ୟାଟର୍ନ ଓ ଶୈଳୀ ରହିଥାଏ ଯାହା ଦ୍ବାରା ସେମାନେ ପରସ୍ପରକୁ ଚିହ୍ନନ୍ତି ।
5- ଗୋଟିଏ ନାଗା ଆଦିବାସୀ ସମ୍ପ୍ରଦାୟ କିମ୍ବା ଗୋଟିଏ ନାଗା ଭାଷା ନାହିଁ
16 ଟି ମୁଖ୍ୟ ଜନଜାତି ସହ ନାଗାଲାଣ୍ଡରେ ଅଛନ୍ତି ଅନେକ ଉପ ଆଦିବାସୀ ବା ଜନଜାତି । ବିଶେଷ ‘ନାଗା ଭାଷା’ କିମ୍ବା ‘ନାଗା ଆଦିବାସୀ’ ବୋଲି କିଛି ନାହିଁ । ପ୍ରତିଟି ଆଦିବାସୀ ସମ୍ପ୍ରଦାୟର ରହିଛି ଭିନ୍ନ ସଂସ୍କୃତି, ପରମ୍ପରା ଏପରିକି ସେମାନେ ଭିନ୍ନ ଭାଷା ମଧ୍ୟ କହନ୍ତି । ରାଜ୍ୟର ଅଧିକାରୀକ ଭାଷା ଇଂରାଜୀ ହୋଇଥିବା ବେଳେ ଅଧିକ ବ୍ୟବହୃତ ହେଉଥିବା ଅନ୍ୟ ଏକ ଭାଷା ହେଉଛି ନାଗାମିସ ବା ନାଗାମିଆ ଯାହା ଆସାମିସ ବା ଆସାମିଆରୁ ଆସିଥିବା ଜଣାପଡ଼େ । ଗୋଟିଏ ଜନଜାତି ଅନ୍ୟ ଜନଜାତି ସହ କଥାବାର୍ତ୍ତା କରିବା ପାଇଁ ନାଗାମିସ ଭାଷାର ବ୍ୟବହାର କରନ୍ତି ।
ନାଗାଲାଣ୍ଡ ବିଷୟରେ ଏ ତ କିଛି ମାତ୍ର ତଥ୍ୟ । ସେଠାକୁ ଗଲେ ଏହି ରାଜ୍ୟ ବିଷୟରେ ଅନେକ କିଛି ଯାଣିବାକୁ ମିଳେ । ସେଇ ଆଦିବାସୀ ମାନଙ୍କ ସଂସ୍କୃତି ଓ ପରମ୍ପରାକୁ ନିକଟରୁ ଦେଖିଲେ ତାହା ଆହୁରି ଆଶ୍ଚର୍ଯ୍ୟଜନକ ମନେ ହୁଏ ।