ବିଶାଖାପାଟନମ: ସାରା ଦେଶରେ ଚହଳ ସୃଷ୍ଟି କରିଥିବା ଭାଇଜାଗ୍ ଗ୍ୟାସ୍ ଲିକ୍ ଘଟଣା ଥମିବାର ନାମ ନେଉନି । ଗୁରୁବାର ସକାଳୁ ଏହି ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଥିବାବେଳେ ରାତିରେ ଆଉଥରେ ଗ୍ୟାସ୍ ଲିକ୍ ହୋଇଛି । ସକାଳୁ ଯେଉଁ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହୋଇଥିଲା ରାତିରେ ସମାନ ଟ୍ୟାଙ୍କରରୁ ପୁଣି ଲିକ୍ ହୋଇଥିବା ସୂଚନା ରହିଛି ।
ଖବର ପାଇ ଘଟଣାସ୍ଥଳରେ ପ୍ରାୟ 50 ଦମକଳ କର୍ମଚାରୀ, ଏନଡିଆରଏଫ୍ ବାହିନୀ ପହଞ୍ଚି ଅପରେସନ ଜାରି ରଖିଛନ୍ତି । ଏହାସହ ଅଧିକ 10ଟି ଦମକଳ ବାହିନୀ ଆସିବା ସହ 2ଟି ଫୋମ ଟେଣ୍ଡର ମଧ୍ୟ ମୁତୟନ ଅଛନ୍ତି । ଗ୍ୟାସ୍ ଧୂଆଁକୁ ବନ୍ଦ କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । ସୁରକ୍ଷା ଦୃଷ୍ଟିରୁ 2ରୁ 3 କିଲୋମିଟର ଭିତରେ ଥିବା ସମସ୍ତ ଗାଁକୁ ଖାଲି କରୁଛି ପ୍ରଶାସନ ।
ଏହାସହ କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାକୁ ଆମ୍ବୁଲାନ୍ସକୁ ପ୍ରସ୍ତୁତ କରାଯାଇଥିବା ବିଶାଖାପାଟନମ୍ ଜିଲ୍ଲାର ଫାୟାର ଅଫିସର ସନ୍ଦୀପ ଆନନ୍ଦ କହିଛନ୍ତି । ପ୍ରକାଶ ଥାଉ କି ଫାର୍ମା କମ୍ପାନୀରେ ଗ୍ୟାସ୍ ଲିକ୍ ଯୋଗୁଁ 11 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 1500ରୁ ଉର୍ଦ୍ଧ୍ବ ଲୋକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ସେହିପରି 1000ରୁ ଅଧିକ ଏବେ ସୁଦ୍ଧା ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି ।
ଆରଆର ଭେଙ୍କଟପୁରମରେ ଅବସ୍ଥିତ ବିଶାଖା ଏଲଜି ପଲିମର ପ୍ଲାଣ୍ଟରୁ ବିପଜ୍ଜନକ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ବିଷାକ୍ତ ଗ୍ୟାସ୍ ଯୋଗୁଁ କାରଖାନାର ତିନି କିଲୋମିଟର ପରିଧି ପ୍ରଭାବିତ ହୋଇଥିଲା । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିବା ସହ ଜାତୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଡାକିଥିଲେ ।
ସୌଜନ୍ୟ@ANI