ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ କୋରୋନା ପଜିଟିଭ୍ । ଉଭୟଙ୍କ ମଧ୍ୟରେ ସାମାନ୍ୟ କୋରୋନା ଲକ୍ଷଣ ରହିଛି । ଉଭୟ କୋରୋନା ପଜିଟିଭ୍ ବାହାରିବା ପରେ ଅମିତାଭଙ୍କ କୋଠା ‘ଜଲସା’କୁ ସିଲ୍ କରାଯାଇଛି । ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ କୋଠାକୁ ସିଲ୍ କରିଛି ।
ବର୍ତ୍ତମାନ ଦୁହିଁଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅମିତାଭ ଆଇସୋଲେସନ ୱାର୍ଡରେ ଥିବା ବେଳେ ଅଭିଷେକ ସାଧାରଣ ୱାର୍ଡରେ ଅଛି । ତେବେ ହସ୍ପିଟାଲ ପକ୍ଷରୁ ଦୁହେଁ ସୁସ୍ଥ ଥିବା କୁହାଯାଇଛି । ଟ୍ବିଟରରେ ନିଜ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଆସୁଛନ୍ତି ବିଗ୍ ବି ।
ଅନ୍ୟପକ୍ଷେ ଜୟା ବଚ୍ଚନ, ଐଶର୍ଯ୍ୟା ବଚ୍ଚନ ଓ ଆରାଧ୍ୟା ବଚ୍ଚନ କୋରୋନା ନେଗେଟିଭ୍ ଥିବା ଜଣାପଡିଛି । ବଚ୍ଚନ ପରିବାର ରହୁଥିବା ‘ଜଲସା’ କୋଠାକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଅନ୍ୟପକ୍ଷେ ଏଭର୍ ବିୟୁଟି ରେଖାଙ୍କ ସିକ୍ୟୁରିଟି ଗାର୍ଡ କୋରୋନା ପଜିଟିଭ୍ ବାହାରିବା ପରେ ତାଙ୍କ କୋଠକୁ ମଧ୍ୟ ସିଲ୍ କରାଯାଇଛି । ଏହାସହ କରଣ ଜୋହର, ଆମିର ଖାନଙ୍କ କର୍ମଚାରୀ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି ।