ହାଇଦ୍ରାବାଦ: ଭାରତ–ପାକିସ୍ତାନ ମଧ୍ୟରେ ସଂପର୍କର ନୂଆ ସେତୁ ଭାବେ ଉଦ୍ଭା ହୋଇଛି କରତାରପୁର କରିଡର । ଶିଖ ଧର୍ମ ଗୁରୁ ନାନକ ଦେବ ଦେହତ୍ୟାଗ କରିଥିବା ପାକିସ୍ତାନର କରତାରପୁର ଓ ଭାରତର ଗୁରୁଦାସପୁର ମଧ୍ୟରେ ୪ କିଲୋମିଟର କରିଡର ନିର୍ମାଣ ହୋଇଛି । ଏହି କରିଡର ଭାରତୀୟ ସୀମାରୁ ପ୍ରାୟ 4.7 କିମି ଦୂରରେ ପାକିସ୍ତାନର ନରୋୱାଲ ଜିଲ୍ଲାରେ ଅବସ୍ଥିତ ।
ନଭେମ୍ବର 12 ରେ ଗୁରୁ ନାନକଙ୍କ 550 ତମ ଜନ୍ମ ଦିବସ ଅବସରରେ ଶିଖ ଶ୍ରଦ୍ଧାଳୁ କରତାରପୁରର ଦରବାର ସାହିବ ଗୁରୁଦ୍ବାରର ଦର୍ଶନ କରିପାରିବେ । ତେବେ ଏଠାକୁ ଯିବା ପାଇଁ ସେମାନଙ୍କୁ ଭିଜାର ଆବଶ୍ୟକତା ପଡିବ ନାହିଁ । କେବଳ ପାସପୋର୍ଟ ସାହାଯ୍ୟରେ ସେମାନେ କରତାରପୁର କରିଡର ଯାତ୍ରା କରି ପାରିବେ ।
ଶିଖ୍ ସଂପ୍ରଦାୟ ପାଇଁ ଏହି କରିଡର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କରିଡର । ଯାହାକୁ ନଭେମ୍ବର ୯ ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଉଦଘାଟନ କରିବେ । ତେବେ ଏହି ଉଦଘାଟନୀ ସମାରୋହରେ ଭାରତ ସମେତ ବିଶ୍ବର ଅନ୍ୟାନ୍ୟ ଦେଶରୁ ପ୍ରାୟ 10 ହଜାରରୁ ଊର୍ଦ୍ଧ୍ବ ଶିଖ ଶ୍ରଦ୍ଧାଳୁ ଯୋଗଦେବେ ।
ଭାରତ-ପାକିସ୍ତାନ ଚୁକ୍ତି ଅନୁଯାୟୀ ପ୍ରତିଦିନ 5000 ଭାରତୀୟ ଶ୍ରଦ୍ଧାଳୁ ଏଠାରେ ଯାତ୍ରା କରିପାରିବେ । ଉଦଘାଟନ ସମାରୋହରେ କାନାଡା, ବ୍ରିଟେନ, ଆମେରିକା, ସିଂଗାପୁର, ମଲେସିଆ, କେନିଆ, ୟୁଗାଣ୍ଡା, ତଂଜାନିଆ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆର ଶିଖ ଶ୍ରଦ୍ଧାଳୁ ସାମିଲ ହେବା ନେଇ ଆଶା କରାଯାଉଛି ।
ଭାରତର ଅମୃତସର ସହରରେ ଥିବା ଶ୍ରୀ ହରମିନ୍ଦର ସାହିବ ବା ସ୍ବର୍ଣ୍ଣ ମନ୍ଦିର ଶିଖ ଧର୍ମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଧାର୍ମିକ ସ୍ଥଳ । କିନ୍ତୁ ଏହା ବ୍ୟତିତ ଗୁରୁ ନାନକଙ୍କ ଜୀବନ ସହ ଜଡିତ 3 ଅନ୍ୟ ସ୍ଥଳ ଯାହା ବର୍ତ୍ତମାନ ପାକିସ୍ତାନରେ ରହିଛି ତାହା ମଧ୍ୟ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଧାର୍ମିକ ସ୍ଥଳ । ପ୍ରଥମଟି ହେଉଛି, ଗୁରୁଦ୍ବାର ଜନମ ଆସ୍ଥାନ (ଗୁରୁ ନାନକଙ୍କ ଜନ୍ମ ସ୍ଥାନ), ଗୁରୁଦ୍ବାର ପଞ୍ଜା ସାହିବ( ଯେଉଁଠି ଗୁରୁ ନାନକ ନିଜ ହାତରେ ଏକ ବୃହତ ପଥରକୁ ରୋକିଥିଲେ ଏବଂ ତାଙ୍କ ହାତ ଚିହ୍ନ ଏବେ ସୁଦ୍ଧା ସେଠାରେ ଦେଖିବାକୁ ମିଳେ) ଏବଂ ତୃତୀୟଟି ହେଉଛି ଗୁରୁଦ୍ବାର ଦରବାର ସାହିବ (ଗୁରୁ ନାନକଙ୍କ ସମାଧି ସ୍ଥଳ) ।
ତେବେ ବିଶ୍ବର ପ୍ରାୟ 27 ମିଲିଅନ ଶିଖ ମଧ୍ୟରୁ 22 ମିଲିଅନ ଭାରତରେ ବସବାସ କରନ୍ତି । ସେଥିମଧ୍ୟରୁ ଅଧିକାଂଶ ପଞ୍ଜାବ ରାଜ୍ୟରେ ରୁହନ୍ତି । ତେବେ ପାକିସ୍ତାନର ସୀମାବର୍ତ୍ତୀ ରାଜ୍ୟ ହୋଇଥିବାରୁ ପଞ୍ଜାବକୁ ଅଧିକାଂଶ ସମୟରେ ଉଭୟ ଦେଶ ମଧ୍ୟର କୂଟନୈତିକ, ସୁରକ୍ଷା ଏବଂ ଧାର୍ମିକ ଭୟ ରହିଥାଏ ।
ତେବେ ଏହି ଗୁରୁଦ୍ବାର ହେଉଛି ବିଶ୍ବର ପ୍ରଥମ ଗୁରୁଦ୍ବାର, ଯାହାକୁ ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବ ପ୍ରତିଷ୍ଠା କରିଥିଲେ । ୧୫୨୨ ମସିହାରେ ପାକିସ୍ତାନର ନାରୁୱା ଜିଲ୍ଲାକୁ ଆସିଥିଲେ ନାନକ ଏବଂ ନିଜ ଜୀବନର ଅନ୍ତିମ 18 ବର୍ଷ ଏଠାରେ ଅତିବାହିତ କରିଥିଲେ ସେ । ଏଇଠି ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ନାନକ ସମାଧି ନେବା ପରେ ତାଙ୍କ ଶରୀର ବିଲିନ ହୋଇଯାଇଥିଲା । କିଛି ଫୁଲ ମାତ୍ର ବଞ୍ଚିଥିଲା । ଯାହାକୁ ଶିଖ ମାନେ ହିନ୍ଦୁ ରୀତିନୀତିରେ ସଂସ୍କାର କରିଥିବା ବେଳେ ମୁସଲିମ୍ ମାନେ ସମାଧି ଦେଇଥିଲେ ।
ଯାହାର ପ୍ରମାଣ ସ୍ବରୂପ ଆଜି ମଧ୍ୟ ଡେରାବାବା ନାନକ ସାହେବ ବାହାରେ ଶୋଭା ପାଉଛି ନାନକଙ୍କ ମଜାର । ଆଉ ଭିତରେ ଶୋଭା ପାଉଛି ସମାଧି । କରତାରପୁରରେ ନାନକଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ଗୁରୁଦ୍ବାର ରାବି ନଦୀ ବନ୍ୟାରେ ଧୋଇ ଯାଇଥିଲା । ପରବର୍ତ୍ତି ସମୟରେ ପଞ୍ଜାବ କେଶରୀ ରାଜା ରଣଜିତ୍ ସିଂହ ଏହାକୁ ପୁନଃନିର୍ମାଣ କରିଥିଲେ । ୧୯୪୭ ଦେଶ ବିଭାଜନ ପରେ ଗୁରୁନାନକଙ୍କ ଜନ୍ମଭୂମି ଓ କର୍ମ ଭୂମିକୁ ହରାଇଥିଲେ ଭାରତୀୟ ଶିଖ୍ ମାନେ । ସେବେଠାରୁ ଏହି ଗୁରୁଦ୍ବାରରେ ପାଦ ପକାଇବା ଶିଖ୍ଙ୍କ ପାଇଁ ସ୍ବପ୍ନ ପାଲଟି ଯାଇଥିଲା । ଭାରତ-ପାକ୍ ସମ୍ପର୍କରେ ତିକ୍ତତା ଲାଗି ରହିୁଥିବା କାରଣରୁ ଏଠାରେ ପ୍ରବେଶ ଅନୁମତି ମିଳୁନଥିଲା ।
ତେବେ ସ୍ବାଧୀନତାର ୭୩ ବର୍ଷ ଭିତରେ କରତାରପୁରକୁ ଯିବା ଆସିବା ସୁବିଧା ପାଇଁ କରିଡର ନିର୍ମାଣ କରିବାକୁ ଭାରତୀୟ ଶିଖ୍ ଅନେକ ଥର ଦାବି କରିଥିଲେ । ଶେଷରେ ଗତ ବର୍ଷ କରତାରପୁର କରିଡରକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଥିଲା । ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା ହୋଇଥିଲା । ୨୬ ନଭେମ୍ବର ୨୦୧୮ରେ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ଭାରତର ସରକାର । ତାହାର ଦୁଇ ଦିନ ପରେ ଶିଳାନ୍ୟାସ କରିଥିଲେ ପାକ୍ ସରକାର ।
କରିଡର ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହେବାପରେ ଆସନ୍ତା 9 ତାରିଖରେ ଏହାର ଉଦଘାଟନ ହେବାକୁ ଯାଉଛି । ଉଦ୍ଘାଟନ କାର୍ଯ୍ୟକ୍ରମରେ ପାକିସ୍ତାନ ଭାରତର କିଛି ପ୍ରମୁଖ ବ୍ୟକ୍ତିଙ୍କୁ ଯୋଗଦେବାକୁ ନିମନ୍ତ୍ରଣ ମଧ୍ୟ ଦେଇଛି ।