ଲକ୍ଷ୍ନୌ: ଦେଶରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ହୋଇଛି । ଲକଡାଉନରେ ବନ୍ଦ ହୋଇଛି ଅନେକଙ୍କର ଜୀବିକା । ଏପରିକି ଅନେକ ଲୋକ ଅନାହାରରେ ରହିଥିବା ଦେଖିବାକୁ ମିଳିଛି । ଏପରି ପରିସ୍ଥିତିରେ ଜଉନପୁରର ଜଣେ ହିନ୍ଦୁ ଯୁବକ ଅସୁବିଧାରେ ପଡିଥିବା ଭିନ୍ନକ୍ଷମ ମୁସଲିମଙ୍କ ପରିବାରର ଭରଣପୋଷଣ ଦାୟିତ୍ବ ନେଇ ଅନନ୍ୟ ଭାଇଚାରାର ପରିଚୟ ଦେଇଛନ୍ତି ।
ଲକଡାଉନ ପରେ ଗଜନା ଗ୍ରାମରେ ରହୁଥିବା ଜଣେ ଭିନ୍ନକ୍ଷମ ମୁସଲମାନ ପରିବାର ଚଳାଇବାରେ ଅସମର୍ଥ ହୋଇଥିଲେ । ତାଙ୍କ ପରିବାରରେ ରହିଥିବା ଅନ୍ୟ ଦୁଇଜଣ ଭିନ୍ନକ୍ଷମ ସଦସ୍ୟଙ୍କ ପାଇଁ ଅସୁବିଧା ଅଧିକ ହୋଇଥିଲା । ପରିବାରର ମୁଖ୍ୟ ଇମତିଆଜ ରୋଜଗାର ପାଇଁ ମସଜିଦ ସମ୍ମୁଖରେ ଭିକ ମାଗୁଥିଲେ । ଲକଡାଉନରେ ମସଜିଦ ସବୁ ବନ୍ଦ ହୋଇଯିବା ପରେ ତାଙ୍କ ରୋଜଗାର ବନ୍ଦ ହୋଇଯାଇଥିଲା ।
ତାଙ୍କର ଏହି କଠିନ ସମୟରେ ଗାଁର ଜଣେ ଯୁବକ ରିଷି ଯାଦବ ତାଙ୍କ ପରିବାର ଚଳାଇବା ଦାୟିତ୍ବ ଗ୍ରହଣ କରିବାକୁ ଇଚ୍ଛା କରି ସେମାନଙ୍କୁ ଗ୍ରହଣ କରିଥିଲେ । ସେହି ଗାଁର ଏହି ଯୁବକ ମୁସଲମାନ ପରିବାର ପାଇଁ ଜଣେ ଦୂତ ସାଜି ସାହାଯ୍ୟ କରିଥିଲେ ।
ରିଷି ବର୍ତ୍ତମାନ ଇମତିଆଜଙ୍କ ପରିବାରକୁ ଗ୍ରହଣ କରି ସେମାନଙ୍କୁ ଖାଦ୍ୟ, କ୍ଷୀର ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପ୍ରଦାନ କରିଆସୁଛନ୍ତି | ପରିବାରର ଦିନକୁ ଆବଶ୍ୟକ କରୁଥିବା ସମସ୍ତ ଜିନିଷ ଇମତିଆଜଙ୍କୁ ଦେବା ପାଇଁ ଏକ ପଡ଼ୋଶୀ ଦୋକାନକୁ ମଧ୍ୟ ରିଷି ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟ ପାଇଁ ଲୋକମାନେ ରିଷିଙ୍କୁ ପ୍ରଶଂସା କରୁଛନ୍ତି । ସେ ହିନ୍ଦୁ-ମୁସଲମାନ ଭାଇଚାରାର ଏକ ନିଦର୍ଶନ ସୃଷ୍ଟି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ