ନିମାପଡା: ଟିକେଟ ପାଇବା ପରେ ସତ୍ୟବାଦୀରେ ଶକ୍ତି ପ୍ରଦର୍ଶନ କଲେ ବିଜେଡି ବିଧାୟକ ପ୍ରାର୍ଥୀ ସଂଜୟ ଦାସବର୍ମା ଓ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ । ଶହ ଶହ କର୍ମୀଙ୍କ ସହ ବାଇକ ଶୋଭାଯାତ୍ରା କରି ପ୍ରଭୁ ସାକ୍ଷୀଗୋପୀନାଥ ଓ ମା' ରାଧାରାଣୀଙ୍କ ଦର୍ଶନ କରିଥିଲେ । ରବିବାର ସାକ୍ଷୀଗୋପିନାଥଙ୍କ ନଟବର ବେଶ ଅନୁଷ୍ଠିତ ହୋଇଥିଲା । ସେବାୟତ କମିଟି ତରଫରୁ ଦୁଇ ଜଣଙ୍କୁ ଗୋପୀନାଥ ମନ୍ଦିର ବିକାଶ ପାଇଁ ବିଧାୟକଙ୍କୁ ଅବଗତ କରାଯାଇଥିଲା । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ସାକ୍ଷୀଗୋପୀନାଥ ମନ୍ଦିର ଓ ପାରିପାର୍ଶ୍ବିକ ଉନ୍ନତି ପାଇଁ ରାଜ୍ୟ ସରକାର ୧୦ କୋଟି ଟଙ୍କା ଯୋଗାଇ ଦେଇଥିବା ମତପ୍ରକାଶ କରିଥିଲେ ।
ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା ରବିବାର ସତ୍ୟବାଦୀର ପଟନାଇକିଆ ଛକ ଠାରୁ ଦଳୀୟ କର୍ମୀଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ଆସି ପଞ୍ଚସଖାଙ୍କ ସ୍ମୁତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେହି ଠାରୁ ଶୋଭାଯାତ୍ରାରେ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଗୋପାଳଜୀଙ୍କ ମନ୍ଦିର ପାଖରେ ପହଞ୍ଚିବା ପରେ ସେବାୟତ ସଂଘ, ସତ୍ୟବାଦୀ ବରିଷ୍ଠ ନାଗରିକ ସଂଘ ଓ ପରିଚାଳନା କମିଟି ତରଫରୁ ଉଭୟଙ୍କୁ ସ୍ଵାଗତ କରାଯାଇଥିଲା । ଏହା ପରେ ଉଭୟ ନେତୃତ୍ଵ ପ୍ରଭୁ ସାକ୍ଷୀଗୋପୀନାଥଙ୍କ ଭବ୍ୟ ଦର୍ଶନ କରିଥିଲେ ।
ସଂଜୟ ଦାସବର୍ମା କହିଛନ୍ତି, ''ପ୍ରଭୁ ସାକ୍ଷୀଗୋପୀନାଥ ଓ ମା' ରାଧାରାଣୀଙ୍କ ଆଶୀର୍ବାଦ ନେଇ ମୁଁ ଏବଂ ଅରୂପ ପଟ୍ଟନାୟର ନିର୍ବାଚନୀ କାର୍ଯ୍ୟ ଆରମ୍ଭ କରିଛୁ । ପଞ୍ଚସଖାଙ୍କର ତ୍ୟାଗ ଓ ତପସ୍ୟାର ଭୂମି ସତ୍ୟବାଦୀ । ଯେଉଁଠାରେ ପଣ୍ଡିତ ଗୋପବନ୍ଧୁଙ୍କର ଏନ୍ତୁଡି ଜଳିଥିଲା । ଏଭଳି ଏକ ମାଟିରେ ସେବା କରିବା ପାଇଁ ଗୋପାଜୀୟୁଙ୍କ କୃପା ଥିଲା । ମୋ ବିଶ୍ବାସ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ବାସ ଆମ ପ୍ରତି ରହିବ । 2024 ସାଧାରଣ ନିର୍ବାଚନରେ ସତ୍ୟବାଦୀ ଲୋକେ ବିଜେଡିକୁ ଭୋଟ ଦେଇ ସାଂସଦ ଓ ବିଧାୟକ ଭାବେ ଆମକୁ ସେବା କରିବାକୁ ସୁଯୋଗ ଦେବେ । ଓଡ଼ିଆ ଜାତିର ତ୍ୟାଗ ଓ ତପସ୍ୟାର ଭୂମି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜୀବନ ବ୍ୟାପି ତ୍ୟାଗ, ସାଧନା ଓ ସମର୍ପଣର ଭୂମି ସୁଆଣ୍ଡୋ ଗ୍ରାମର ବିକାଶକୁ ବହୁଗୁଣିତ କରିଥିବା ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଅବଦାନକୁ ସତ୍ୟବାଦୀବାସୀ ସବୁଦିନ ସ୍ମରଣ କରୁଥିବେ ।''
ବାଇକ ଶୋଭା ଯାତ୍ରାରେ ସତ୍ୟବାଦୀ ବ୍ଲକର ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ପୁରୀ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଦେବାଶିଷ ରାୟ, ସମେତ ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ନିମାପଡା