ବଲାଙ୍ଗୀର: ଜିଲ୍ଲା ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ତଥା କେନ୍ଦ୍ର ବିଜେପି ନେତା ବିଜୟପାଳ ସିଂହ ତୋମାର । ସେଠାରେ ତାଙ୍କୁ ବିଜେପି କର୍ମୀମାନେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ପରେ ସେ ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଯାଇ ସେଠି ଦଳର ନିର୍ବାଚନ ପ୍ରସ୍ତୁତି ଉପରେ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିଥିଲେ । ବୁଥ ସ୍ତରୀୟ କର୍ମୀଙ୍କ ସହ ସେ ଦଳୀୟ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ।
ରାଜ୍ୟ ବିଜେପି ପ୍ରଭାରୀ କହିଛନ୍ତି ଯେ, ଓଡ଼ିଶାରେ ବିଜେପିର ଅଣ୍ଡର କରେଣ୍ଟ ଅଛି । ଯାହାଫଳରେ ଏଠି ବିଜେପି ନିହାତି ଭାବରେ ସଫଳ ହେବ । ସେହିପରି ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ମଧ୍ୟ ବିଜେପିର ହାୱା ରହିଛି ତେଣୁ ଏହାର ଲୋକସଭା ସହ ଏହା ମଧ୍ୟରେ ଆସୁଥିବା ୭ଗୋଟି ବିଧାନସଭା ଆସନରେ ବିଜେପି ଜିତିବ । ତେବେ ରାଜ୍ୟ ପ୍ରଭାରୀଙ୍କ ଗସ୍ତ ସମୟରେ ବିଜେପିରେ ଦେଖା ଦେଇଛି ଗୋଷ୍ଠୀ କନ୍ଦଳ । ସୋନପୁର ଜିଲ୍ଲାର ବୀରମହାରାଜପୁର ପାଇଁ ଆଶାୟୀ ଥିବା ବିଜେପି ନେତା ଆନନ୍ଦ ବାରିକ ନିଜର ଶତାଧିକ ବିଜେପି ସମର୍ଥକଙ୍କ ସହ ଟିକେଟ ପାଇଁ ହୋହଲ୍ଲା କରିଥିଲେ । ଆନନ୍ଦଙ୍କ କହିବା ମୁତାବକ ସେ ଏଠାରେ ୫ବର୍ଷ ଧରି ସଂଗଠନ ସୃଦୃଢ କରିଆସୁଥିଲେ, ମାତ୍ର ଏଠି ରହୁ ନ ଥିବା କିମ୍ବା ସଂଗଠନ କରି ନ ଥିବା ପୂର୍ବତନ ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲ୍ଲାଙ୍କୁ ପୁଣି ବିଜେପି ଟିକେଟ ଦେଇଛି । ଯାହାକୁ ନେଇ ଆନନ୍ଦ ବାରିକ ନିଜ ଶତାଧିକ ସମର୍ଥକ ସହ ଏଠି ଧାରଣା ଦେଇଥିଲେ ଏବଂ ଦୀର୍ଘ ସମୟ ଧରି ସମର୍ଥକମାନେ ହୋ ହଙ୍ଗାମା କରିଥିଲେ ।
ଏହା ମଧ୍ୟ ପଢନ୍ତୁ... ରାଜ୍ୟ ସରକାର ଲଜ୍ଜାର ସବୁ ସୀମା ଡେଇଁଗଲେଣି: ସତ୍ୟବ୍ରତ ପଣ୍ଡା - BJP MEETS CHIEF ELECTORAL OFFICER
ସେହିପରି ଆନନ୍ଦ ବାରିକ ବିଜୟପାଳ ସିଂହ ତୋମାରଙ୍କ ସହ ଆଲୋଚନା ପରେ ମଧ୍ୟ ସମସ୍ତେ ଧରଣା ଦେଇଥିଲେ । ତେବେ ଆଗକୁ ତାଙ୍କୁ ଟିକେଟ ଦିଆ ନ ଗଲେ ସେମାନେ ଏଠିକାର ବିଧାୟକ ପ୍ରାର୍ଥୀଙ୍କୁ ସହଯୋଗ କରିବେ ନାହିଁ ବୋଲି ସେ କହିଛନ୍ତି । ସେପଟେ ରାଜ୍ୟ ବିଜେପି ପ୍ରଭାରୀ କହିଛନ୍ତି ଯେ ଟିକେଟ ଦେବା ପ୍ରାର୍ଥୀଙ୍କୁ ନୁହେଁ ତାଙ୍କ ଯୋଗ୍ୟତା ଦେଖି ଦଳ ଟିକେଟ ଦେଇଥାଏ । ଏହି କ୍ରମରେ ବୀରମହାରାଜପୁରରେ ରଘୁନାଥ ଜଗଦଲ୍ଲା ପ୍ରାର୍ଥୀଙ୍କୁ ଟିକେଟ ଦଳ ଦେଇଛି ବୋଲି ସେ କହିଛନ୍ତି । ସେହିପରି ଆଜି ଏଠି ସବୁ ବୁଥ ସ୍ତରୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା ସେ କରିଥିବାର କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଓ ଅବ କି ବାର 400 ପାର ପାଇଁ ସମସ୍ତେ ଚେଷ୍ଟିତ ଥିବାର କହିଛନ୍ତି । ପ୍ରାୟତଃ ସବୁ ସିଟ୍ ପାଇଁ ଟିକେଟ ଦିଆଯାଇଛି ବୋଲି ସେ କହିଛନ୍ତି । ତେବେ ଯାହା ଟିକେଟ ବାକି ଅଛି ତାହା ଏପ୍ରିଲ 20 ତାରିଖ ସୁଦ୍ଧା ଘୋଷଣା ହେବ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର