ନୂଆଦିଲ୍ଲୀ/ଶିମଲା: ହିମାଚଳ ପ୍ରଦେଶ ଉପନିର୍ବାଚନ ପାଇଁ ଆଜି ଭାରତୀୟ ଜନତା ପାର୍ଟି ପଦ ହରାଇଥିବା 6 ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଏହି ବିଧାୟକମାନେ ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ବିପ୍ ଉଲ୍ଲଙ୍ଘନ କରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇଥିଲେ । ଏହି କାରଣରୁ ବାଚସ୍ପତି ସେମାନଙ୍କୁ ସଭ୍ୟପଦରୁ ଅଯୋଗ୍ୟ ଘୋଷିତ କରିଥିଲେ । ପରେ ସେମାନେ ବାଚସ୍ପତିଙ୍କ ରାୟ ବିରୋଧରେ ସର୍ବୋଚ୍ଚକୋର୍ଟରେ ଦ୍ବାରସ୍ଥ ହୋଇଥିଲେ । ଯାହାର ଶୁଣାଣି ପ୍ରକ୍ରିୟା ଜାରି ରହିଛି । ଅନ୍ୟପଟେ ଏହି 6 ଆସନରେ ନିର୍ବାଚନ ଆୟୋଗ ଉପନିର୍ବାଚନ ମଧ୍ୟ ଘୋଷଣା କରିଥିଲେ । ନିକଟରେ ଏହି ଅଯୋଗ୍ୟ ଘୋଷିତ ବିଧାୟକମାନେ ବିଜେପିରେ ସାମିଲ ହୋଇଥିଲେ । ଆଜି ସେମାନଙ୍କୁ ବିଜେପି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।
ଆଜି ଟିକେଟ ପାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସୁଧୀର ଶର୍ମା ଧର୍ମଶାଳା ଆସନରୁ ଲଢିବାକୁ ଯାଉଛନ୍ତି । ରବି ଠାକୁର ଲାହଲ- ସ୍ପିଟି, ରାଜେନ୍ଦର ରାଣା ସୁଜନପୁର ଆସନରୁ, ଇନ୍ଦରଦତ୍ତ ଲଖନପାଲ ବାରସଡ ଆସନ, ଚୈତନ୍ୟ ଶର୍ମା ଗାଗ୍ରେଟ ଏବଂ ଦେବେନ୍ଦର କୁମାର ଭୁଟ୍ଟୋ କୁଟଲେହାର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ।
ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତମାସ (ଫେବୃଆରୀ) 27 ତାରିଖରେ ହୋଇଥିବା ରାଜ୍ୟସଭା ନିର୍ବାଚନ ଭୋଟିଂରେ ହିମାଚଳ ପ୍ରଦେଶରେ ହାଇ-ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା । ରାଜ୍ୟରେ ମାତ୍ର ଗୋଟିଏ ଆସନରେ ଏହି ନିର୍ବାଚନ ହୋଇଥିବା ବେଳେ ସଂଖ୍ୟା ଦୃଷ୍ଟିରୁ ଶାସକ ଦଳ କଂଗ୍ରେସର ପ୍ରାର୍ଥୀ ଅଭିଷେକ ମନୁ ସିଙ୍ଗଭି ବିଜୟୀ ହେବା ଏକପ୍ରକାର ନିଶ୍ଚିତ ଥିଲା । ହେଲେ ଦଳୀୟ ହ୍ବପ ଉଲ୍ଲଙ୍ଘନ କରି ତତ୍କାଳୀନ 6କଂଗ୍ରେସ ବିଧାୟକ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାରୁ ଫଳାଫଳ ସମ୍ପୂର୍ଣ୍ଣ ଓଲଟା ହୋଇଥିଲା । ବିଜେପି ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଥିଲେ । ଏହା ପରେ ଏହି କ୍ରସଭୋଟିଂ କରିଥିବା ବିଧାୟକମାନେ ହରିୟାଣା ଚାଲିଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏହି ବିଧାୟକଙ୍କୁ ବିଜେପି କେନ୍ଦ୍ରୀୟ ଫୋର୍ସ ଲଗାଇ ହରିୟାଣା ନେଇଯାଇଥିବା ଅଭିଯୋଗ ଆଣିଥିଲେ ।
ଏହାର ପରଦିନ ସୁଖୁ କ୍ୟାବିନେଟରେ ମନ୍ତ୍ରୀ ଥିବା ବିକ୍ରମାଦିତ୍ୟ ସିଂ ମଧ୍ୟ ଇସ୍ତଫା ଦେଇଥିଲା । ଏହାର ସୁଯୋଗ ନେଇ ବିଜେପି ଗୃହରେ ସଂଖ୍ୟାବହୁମତର ପ୍ରମାଣ ମାଗିଥିଲା । ହେଲେ ଗୃହରେ ହଟ୍ଟଗୋଳ କରିବା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ଏକାଧିକ ବିଜେପି ବିଧାୟକଙ୍କୁ ବାଚସ୍ପତି ନିଲମ୍ବିତ କରିଥିଲେ । ଏହା ପରେ ଏହି କ୍ରସଭୋଟିଂ କରିଥିବା 6 ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିଥିଲେ ବାଚସ୍ପତି । ଏବେ ଏହି ପୂର୍ବତନ ବିଧାୟକମାନେ ପୁଣି ଥରେ ବିଜେପି ଟିକେଟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ