ଶ୍ରାବଣ ଦ୍ବିତୀୟ ସୋମବାର: ଲିଙ୍ଗରାଜଙ୍କୁ ଜଳଲାଗି କଲେ ଭକ୍ତ
ଭୁବନେଶ୍ବର: ଆଜି ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ବୋଲ୍ ବମ୍ ହର ହର ବମ୍ ଶବ୍ଦରେ କମ୍ପି ଉଠିଲା ପୁରା ଏକାମ୍ର କ୍ଷେତ୍ର । ଦ୍ବିତୀୟ ସୋମବାରରେ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି । ଲିଙ୍ଗରାଜଙ୍କ ନିକଟରେ ଜଳଲାଗି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ କାଉଡିଆ ଭକ୍ତମାନେ ପହଞ୍ଚିଥିଲେ । ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିର ଭୋର ୩ଟାରୁ ଖୋଲାଯାଇଥିଲା । ଭୋର୍ ସାଢ଼େ ୩ଟାରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସରିବା ପରେ ୪ଟା ସୁଦ୍ଧା ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା । ଶୃଙ୍ଖଳିତ ଜଳାଭିଷେକ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯିବା ସହ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । କରୋନା କଟକଣା ଦୃଷ୍ଟିରୁ କାଉଡ଼ିଆମାନେ ଓ ସେବାୟତମାନେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ କରାଯାଇଛି । ଇଟିଭି ଭାରତ, ଭୁବନେଶ୍ବର