କାଶୀନଗରରେ ବିପଦ ସଙ୍କେତ ଟପିଲା ବଂଶଧାରା - ଫୁଲୁଛି ବଂଶଧାରା
ଗଜପତି : ଫୁଲୁଛି ବଂଶଧାରା । କାଶୀନଗର ଠାରେ ବିପଦ ସଂକେତ ୫୪.୬୦ମିଟର ରହିଥିବା ବେଳେ ବର୍ତ୍ତମାନ ୫୪.୬୨ମିଟର ରହିଛି ଜଳସ୍ତର। ବଂଶଧାରାର ଉପର ମୁଣ୍ଡ ସମେତ ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିଲେ ମଧ୍ୟ ପରିମାଣ କମ ରହିଛି। ତେଣୁ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇ କମିଯିବା ସମ୍ଭାବନା ରହିଛି। ତେଣୁ ବନ୍ୟା ଆଶଙ୍କା ନଥିବାରୁ ଲୋକେ ଆତଙ୍କିତ ହେବାର କୌଣସି କାରଣ ନାହିଁ। ସେପଟ ନଦୀର ତଳ ମୁଣ୍ଡରେ ଅର୍ଥାତ୍ ଶ୍ରୀକାକୁଲମ ଜିଲ୍ଲାର ଗୋଟା ବ୍ୟାରେଜ(Gotta Barrage )ର ୨୨ଟି ଗେଟ୍ ଖୋଲା ରହିଛି। ‘‘ବର୍ତ୍ତମାନ ବ୍ୟାରେଜ ଦେଇ ୩୦,୮୩୭କ୍ୟୁସେକ ଜଳ ପ୍ରବାହିତ ହେଉଛି। ଯଦି ଆନ୍ଧ୍ର ପ୍ରଦେଶ ବ୍ୟାରେଜର ଗେଟ୍ ବନ୍ଦ କରିଦିଏ । ତାହାହେଲେ କାଶୀନଗର ଏବଂ ଗୁଣପୁର ବନ୍ୟା ପରିସ୍ଥିତି ଉପୁଜିବ। ତେଣୁ ଜଳ ପରିଚାଳନା ଉପରେ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି ବୋଲି କାଶୀନଗର ବିଡ଼ିଓ କହିଛନ୍ତି। ଇଟିଭି ଭାରତ,ଗଜପତି
Last Updated : Aug 14, 2022, 2:03 PM IST