ଶୁଣିଲାନି ପ୍ରଶାସନ, ନିଜସ୍ବ ଉଦ୍ୟମରେ ପୋଲ ତିଆରି କଲେ ଗ୍ରାମବାସୀ - ଆତ୍ମନିର୍ଭର ହୋଇ ନିଜେ ପୋଲ ତିଆରି କଲେ ଗ୍ରାମବାସୀ
ରାଇରଙ୍ଗପୁର: ଗ୍ରାମାଞ୍ଚଳର ଲୋକଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରଣୟନ କରିଛନ୍ତି ବିଭିନ୍ନ ଜନହିତକର ଯୋଜନା। କିନ୍ତୁ ବାସ୍ତବ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗ୍ରାମାଞ୍ଚଳରେ ପହଞ୍ଚି ପାରେ ନାହିଁ । ଲୋକେ କେବଳ ସରକାରୀ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୁଅନ୍ତି । ଏମିତି ହିଁ କିଛି ସରକାରୀ ଅବହେଳାର ଦୃଶ୍ୟ ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲାର ସୁଲେଇପାଟ ଅଞ୍ଚଳରେ। ଅନେକ ବର୍ଷ ଧରି ଖଡ଼ଖାଇ ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ନେତା, ମନ୍ତ୍ରୀ, ବିଧାୟକ ମେୟର ସଭିଙ୍କ ନିକଟରେ ଫେରାଦ ହୋଇଥିଲେ ଗ୍ରାମବାସୀ କିନ୍ତୁ ମିଳି ନଥିଲା କୌଣସି ସୁଫଳ । ତେବେ ସରକାରଙ୍କ ହାତକୁ ନଚାହିଁ ଗ୍ରାମବାସୀ ଏବେ ନିଜ ଉଦ୍ୟମରେ ନଦୀ ଉପରେ ତିଆରି କରିଛନ୍ତି ଏକ କଂକ୍ରିଟ ପୋଲ ।