ଭେଟ ହେଲେ ହରିହର, ଓଳକଣା ମେଳଣ ଉତ୍ସବମୁଖର - ଉତ୍ସବମୁଖର
କେନ୍ଦ୍ରାପଡା: କଟକ ଓ କେନ୍ଦ୍ରାପଡା ଜିଲ୍ଲାର ମଧ୍ୟଭାଗ ଡେରାବିଶ ଓ ମାହାଙ୍ଗାର ଓଳକଣା ମେଳଣ ଏକ ଅନନ୍ୟ ଦୋଳମିଳନ ଭାବରେ ସର୍ବଜନବିଦିତ। ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ସୁପ୍ରସିଦ୍ଧ ଦୋଳମେଳଣ ଯାତ୍ରାଠାରୁ ଓଳକଣା ମେଳଣ କେତୋଟି ଦୃଷ୍ଟିକୋଣରୁ ବି ବେଶ ନିଆରା। ସ୍ୱାଭାବିକ ଭାବରେ ମେଳଣ ଯାତ୍ରାକୁ ଆସୁଥିବା ଠାକୁରବାଡ଼ିଗୁଡ଼ିକର ବିମାନଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରାଯିବା ସହିତ ଯଥାବିଧି ବିଦାକି ସମ୍ମାନ ଦେବାର ପରମ୍ପରା ପ୍ରଚଳିତ ଥିବା ବେଳେ ଓଳକଣା ମେଳଣ ଯାତ୍ରାରେ ଅଂଶଗ୍ରହଣ କରୁଥିବା ପ୍ରାୟ ଦୁଇଶହରୁ ଅଧିକ ବିମାନଙ୍କୁ ଆମନ୍ତ୍ରଣ କରାଯାଇ ନଥାଏ କିମ୍ବା ବିଦାକି ମଧ୍ୟ ପ୍ରଦାନ କରାଯାଇନଥାଏ। ବହୁ ପ୍ରାଚୀନ କାଳରୁ ଆୟୋଜିତ ଏହି ଦୋଳ ଯାତ୍ରାରେ ଠାକୁରମାନେ ଆପଣାଛାଏଁ ଆସିଥାନ୍ତି।