ରାସ୍ତା କଡ଼ରେ ପଡି ଛଟପଟ ହେଉଥିଲା ମାଙ୍କଡ଼, ଚିକିତ୍ସା କରି ନୂଆ ଜୀବନ ଦେଲେ ଯୁବଗୋଷ୍ଠୀ - ଆହତ ମାଙ୍କଡ଼ ଉଦ୍ଧାର
Published : Dec 18, 2023, 4:36 PM IST
ବାଲେଶ୍ୱର: ଆଜିର ଦିନରେ ଅନେକ ସ୍ବେଚ୍ଛାସେବୀ ସଂଗଠନ ଓ ସମାଜସେବୀ ସମାଜସେବାରେ ଲିପ୍ତ ରହି ମାନବିକତା ପ୍ରତିପାଦନ କରୁଥିବା ଦେଖିବାକୁ ମିଳୁଛି । ଏହାରି ଭିତରେ କେବଳ ଯେ ମଣିଷ ତାହା ନୁହେଁ ବରଂ ପଶୁପକ୍ଷୀଙ୍କ ସେବାରେ ମଧ୍ୟ କିଛି ସମାଜସେବୀ ନିୟୋଜିତ ରହିବା ସହ ସେମାନଙ୍କୁ ଉତ୍ତମ ଚିକିତ୍ସା ସାଙ୍ଗକୁ ସେମାନଙ୍କର ରକ୍ଷଣାବେକ୍ଷଣ କରୁଛନ୍ତି । ସେହିପରି ଏକ ଘଟଣା ଏବେ ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି । ସୋର ଅଞ୍ଚଳର ସ୍ବେଚ୍ଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦର ସଦସ୍ୟମାନେ ଏକ ମାଙ୍କଡ଼ର ଚିକିତ୍ସା କରାଇ ସେମାନଙ୍କ ମାନବିକତାର ପରିଚୟ ଦେଇଛନ୍ତି । ପୂର୍ବରୁ ଆଦର୍ଶ ଯୁବ ପରିଷଦ ଦୁର୍ଘଟଣାରେ ଆହତ ହେଉଥିବା ଗୋରୁ ଗାଈ, ଷଣ୍ଢ ଆଦିଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ପରିଷଦ ଦ୍ୱାରା ଅନେକ ସମୟରେ ଅସହାୟ ଏବଂ କିଛି ଆବଶ୍ୟକତା କରୁଥିବା ଲୋକଙ୍କ ନିକଟରେ ସହଯୋଗର ହାତ ବଢ଼ାଇ ଦିଆଯାଉଛି । ସେହିପରି ଏବେ ପୁଣି ଏକ ମାଙ୍କଡର ଚିକିତ୍ସା କରାଇ ସଦସ୍ୟମାନେ ସମସ୍ତଙ୍କ ମନ କିଣି ପାରିଛନ୍ତି ।
ଏହା ମଧ୍ୟ ପଢନ୍ତୁ....Watch: ଚେତା ହରାଇଲା କୋବ୍ରା, କୃତ୍ରିମ ଉପାୟରେ ଅମ୍ଳଜାନ ଦେଲେ ଚିକିତ୍ସକ
ସୂଚନା ଅନୁସାରେ, ସୋର ବ୍ଲକ ନଟାପଡ଼ା ଗ୍ରାମ ନିକଟ ରାସ୍ତା କଡ଼ରେ ଏକ ମାଙ୍କଡ଼ ଗୁରୁତର ଅବସ୍ଥାରେ ପଡି ଛଟପଟ ହେଉଥିଲା । ଏହାକୁ ସମସ୍ତେ ଦେଖୁଥିଲେ ସତ ହେଲେ ମାଙ୍କଡ଼ର ଚିକିତ୍ସା ପାଇଁ ସତେ ଯେମିତି କାହାରି ପାଖରେ ସମୟ ହିଁ ନଥିଲା । ଏ ସମ୍ପର୍କରେ ଆଦର୍ଶ ଯୁବ ପରିଷଦ ଖବର ପାଇବା ପରେ ତୁରନ୍ତ ମାଙ୍କଡ଼ ନିକଟରେ ପହଞ୍ଚିଥିଲେ ସଦସ୍ୟ । ସେଠାରେ ମାଙ୍କଡ଼କୁ ଉଦ୍ଧାର କରି ତୁରନ୍ତ ସୋର ପଶୁ ଡାକ୍ତରଖାନାକୁ ଆଣି ଚିକିତ୍ସା କରିଥିଲେ । ତୁରନ୍ତ ଚିକିତ୍ସା ହେବା ଫଳରେ ମାଙ୍କଡ଼ଟି ବର୍ତମାନ ସୁସ୍ଥ ହେବାରେ ଲାଗିଛି । ସୁସ୍ଥ ହେବା ପରେ ସଦସ୍ୟମାନେ ବନ ବିଭାଗକୁ ସୂଚନା ଦେଇଥିଲେ । ପରେ ବନ ବିଭାଗ ଅଧିକାରୀ ମଞ୍ଜୁ ପ୍ରଧାନ ପହଞ୍ଚି ମାଙ୍କଡ଼ଟିକୁ ଉଦ୍ଧାର କରିଥିବା ଜଣାପଡିଛି ।
ଇଟିଭି ଭାରତ, ବାଲେଶ୍ୱର