ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
Published : Nov 17, 2023, 9:28 PM IST
ଢେଙ୍କାନାଳ:ଟିପର ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ । କାମାକ୍ଷାନଗର ଥାନା ଜିରିଡ଼ା ମାଳି ୫୩ ନଂ ଜାତୀୟ ରାଜପଥ ବାଇପାସ ନିକଟରେ ଟିପର ଧକ୍କାରେ ଜଣେ ବାଇକ ଆରୋହଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ପରଜଙ୍ଗ ଥାନା ବଡଝରା ଗାଁର ଟିଟନ ଜେନା । ତାଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।
ସୂଚନା ଯୋଗ୍ୟ ଗୋଟିଏ ବାଇକରେ ଟିଟନଙ୍କ ସମେତ ଅନ୍ୟ ଦୁଇ ଜଣ କୌଣସି କାର୍ଯ୍ୟରେ ଭୁବନ ବ୍ଲକ ମାର୍ଥାପୂର ଗ୍ରାମକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟିପର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେ ଗୁରୁତର ହୋଇ ପଡିଥିଲେ । ଟିପର ଚାଳକ ଗାଡି ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଓ ଅଗ୍ନୀଶମ ବାହିନୀ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ସାଥିରେ ଥିବା ଅନ୍ୟ ଦୁଇଜଣ ସୁରକ୍ଷିତ ଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ....କଟକ-ପାରାଦ୍ୱୀପ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା; ୨ ମୃତ
ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ଧରି ଚାପା ଉତ୍ତେଜନା ଦେଖା ଦେଇଥିଲା । ଫଳରେ ସେହି ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ନୂତନ ଭାବେ ରାସ୍ତା ନିର୍ମାଣ ହେବା ପରଠାରୁ ଏଠାରେ ଦୁର୍ଘଟଣା ବୃଦ୍ଧି ପାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଠାରେ ଓଭରବ୍ରିଜ କିମ୍ବା ଟ୍ରାଫିକ ପୋଷ୍ଟ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି । ଘଟଣା ସ୍ଥଳରେ ଅତିରିକ୍ତ ତହସିଲଦାର, ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା ।
ଇଟିଭି ଭାରତ, ଢେଙ୍କାନାଳ