Odisha Train Mishap: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତାମିଲନାଡୁ ମନ୍ତ୍ରୀ - ଉଦୟନିଧି ଷ୍ଟାଲିନ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା କ୍ରୀଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ । ତାଙ୍କ ସହ ତାମିଲନାଡୁର ପରିବହନ ମନ୍ତ୍ରୀ ଶିବଶଙ୍କର ମଧ୍ୟ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଓଡିଶା ସରକାରଙ୍କ ପଦକ୍ଷେପକୁ ତାମିଲନାଡୁ ମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ରାଜ୍ୟ ସମସ୍ତ ସହଯୋଗ ଯୋଗାଇ ଦେବ ବୋଲି ନବୀନ କହିଛନ୍ତି । ଆଜି ସନ୍ଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ତାମିଲନାଡୁ ପ୍ରତିନିଧି ଦଳ । ତାମିଲନାଡୁ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଓ ପରିବହନ ମନ୍ତ୍ରୀ ଏସଏସ ଉଦୟନିଧୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ।
ତାମିଲନାଡୁର 5 ଜଣିଆ ପ୍ରତିନିଧି ଦଳ ଓଡିଶା ଆସି ସ୍ଥିତି ଓ ତାମିଲନାଡୁର ଯାତ୍ରୀଙ୍କ ବାବଦରେ ସୂଚନା ହାସଲ କରିଛନ୍ତି । ତାମିଲନାଡୁର ଯାତ୍ରୀ ଓ ନାଗରିକଙ୍କୁ ସମସ୍ତ ପ୍ରକାର ସହଯୋଗ ଓ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଆହତଙ୍କ ଚିକିତ୍ସାରେ କୌଣସି ପ୍ରକାର ହେଳା କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ଆହତ କିମ୍ବା ମୃତକଙ୍କ ପରିବାର ଲୋକଙ୍କୁ ମଧ୍ୟ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ । ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ରାଜ୍ୟ ସରକାରଙ୍କ ପଦକ୍ଷେପର ପ୍ରଶଂସା କରିଛନ୍ତି । ସହଯୋଗ ଲାଗି ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ତ୍ବରିତ ପଦକ୍ଷେପ ଲାଗି ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଓଡିଶା ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ତାମିଲନାଡୁ ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ତଥା 5ଟି ସଚିବ ଭିକେ ପାଣ୍ଡିଆନ, ତାମିଲନାଡୁ ସରକାରଙ୍କ ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ ଫନିନ୍ଦ୍ର ରେଡ୍ଡୀ, ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ କୁମାର ଜୟନ୍ତ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର