ଓଡିଶା

odisha

ETV Bharat / videos

ସରସ୍ଵତୀଙ୍କ ରୂପରେ ଦର୍ଶନ ଦେଲେ ମାଆ ଶାରଳା - ସରସ୍ବତୀ ପୂଜାର ମାଆ ଶାରଳାଙ୍କ ସ୍ବତନ୍ତ୍ର ନୀତିକାନ୍ତି

By

Published : Jan 26, 2023, 9:21 PM IST

Updated : Feb 3, 2023, 8:39 PM IST

ଜଗତସିଂହପୁର: ଆଜି ବିଦ୍ୟାଦାତ୍ରୀ ମା' ସରସ୍ବତୀଙ୍କ ପୂଜା  ।ଏହି ଅବସରରେ ଆଜିଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ଶାରଳାଙ୍କ ପୀଠରେ ମା' ସରସ୍ଵତୀଙ୍କ ସ୍ବତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହୋଇଯାଇଛି । ସରସ୍ବତୀଙ୍କ ରୂପରେ ଦର୍ଶନ ଦେଇଛନ୍ତି ମା'  । ଆଜି ଶ୍ରୀପଞ୍ଚମୀ ହୋଇଥିବାରୁ ପ୍ରଥମେ ପ୍ରତ୍ୟୁଷରୁ ଦ୍ୱାରଫିଟା, ମଇଲମ, ମନ୍ଦିର ଶୋଧ ଓ ମଙ୍ଗଳ ଆଳତୀ କରାଯାଇଥିଲା  । ଏହାପରେ ଅବକାଶ, ମାର୍ଜନା ବେଶ ଓ ଗୋପଳବଲ୍ଲଭ ଭୋଗ ନୀତିକାନ୍ତି ପରେ ସାହାଣ ମେଲା ବା ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହୋଇଥିଲା । ଆଜି ଶ୍ରୀ ପଞ୍ଚମୀ ବା ବସନ୍ତ ପଞ୍ଚମୀ ଥିବାରୁ ହଜାର ହଜାର ଭକ୍ତ ମା'ଙ୍କ ଦର୍ଶନ ପାଇଁ ପୀଠକୁ ଛୁଟି ଆସିଥିଲେ । 

ମା' ଶାରଳାଙ୍କୁ ଉତ୍କଳ ଭାରତୀ ବା ସରସ୍ୱତୀ ଭାବେ ଗ୍ରହଣ କରାଯାଇଥାଏ । ଶାରଳା ହେଉଛନ୍ତି ମହାକାଳୀ ମହାଲକ୍ଷ୍ମୀ ଓ ମହାସରସ୍ଵତୀଙ୍କ ମିଶ୍ରିତ ରୂପ । ଶାରଳା ପୀଠରେ ବୈଷ୍ଣବୀୟ ମତରେ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଶାରଳା ମହାଭାରତରେ ଶୁଦ୍ରମୁନି ଶାରଳା ଦାସ ଦେବୀ ଶାରଳାଙ୍କୁ ଚଣ୍ଡୀ ଭାବେ ବର୍ଣ୍ଣନା କରିଛନ୍ତି । ମା' ଶାରଳା ଅଷ୍ଟଭୂଜା ହୋଇଥିବା ବେଳେ ପୀଠରେ ମହିଷାଶୂରକୁ ଶୂଳ ବିଧ କରୁଥିବା ପ୍ରତିମା ପୂଜା ପାଉଛନ୍ତି । ହେଲେ ସେ ବିଦ୍ୟାଦାତ୍ରୀ ସରସ୍ୱତୀ ଭାବେ ସମଗ୍ର ରାଜ୍ୟରେ ପରିଚିତ । ତେଣୁ ଆଜି ସରସ୍ବତୀ ପୂଜା ଅବସରରେ ମାଆଙ୍କୁ ବାଗଦେବୀଙ୍କ ବେଶରେ ସଜ୍ଜିତ କରାଯାଇଥିଲା । ବିଶ୍ୱାସ ରହିଛି ଯେ, ଶ୍ରୀ ପଞ୍ଚମୀ ବା ବସନ୍ତ ପଞ୍ଚମୀରେ ମାଆ ସାରଳାଙ୍କ ସରସ୍ୱତୀ ରୂପ ଦର୍ଶନ କଲେ ଅଜ୍ଞାନତା ନଷ୍ଟ ହୁଏ । ତେଣୁ ମା'ଙ୍କ ଦର୍ଶନ ପାଇଁ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା  ।

ଉଲ୍ଲେଖଯୋଗ୍ୟ, ଆଜି ଧରାବତରଣ କରିଛନ୍ତି ମା' ବିଦ୍ୟାଦାତ୍ରୀ  । ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ଅନ୍ୟାନ ଶିକ୍ଷାନୁଷ୍ଠାନରେ ମା'ଙ୍କର ସ୍ବତନ୍ତ୍ର ପୂଜା ହୋଇଛି । ବିଦ୍ୟା, ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ମା' ସରସ୍ବତୀଙ୍କୁ ଆଜି ପୂଜା କରିଥାନ୍ତି ବିଦ୍ୟାର୍ଥୀ । ବସନ୍ତ ଋତୁରେ ଏହି ପର୍ବ ପଡୁଥିବାରୁ ଏହାକୁ ବସନ୍ତ ପଞ୍ଚମୀ କୁହାଯାଏ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ବିଦ୍ୟାଦାତ୍ରୀ ମା' ସରସ୍ବତୀଙ୍କୁ ପୁରପଲ୍ଲୀରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ପୂଜା କରାଯାଏ । ସରସ୍ବତୀଙ୍କୁ ଜ୍ଞାନର ଦେବୀ କୁହାଯାଏ । ସେ ବିଦ୍ୟାଦେବୀ, ବୁଦ୍ଧି ସିଦ୍ଧି ଓ ମୁକ୍ତିବାତ୍ରୀ ।  ସରସ୍ବତୀ କଣ୍ଠରେ ବିରାଜିଲେ ଜଣେ ଉତ୍ତମ ଗାୟକ ହୋଇପାରେ ବିଶ୍ବାସ ରହିଛି ।  

ଇଟିଭି ଭାରତ, ଜଗତସିଂହପୁର

Last Updated : Feb 3, 2023, 8:39 PM IST

ABOUT THE AUTHOR

...view details