Environmental Pollution: ବାଲୁକା ଚିତ୍ରକଳାରେ ପରିବେଶ ସୁରକ୍ଷାର ବାର୍ତ୍ତା - ପରିବେଶ ସୁରକ୍ଷା ଜୀବନ ରକ୍ଷା
ପୁରୀ:ପରିବେଶ ସୁରକ୍ଷା ଜୀବନ ରକ୍ଷା । ପରିବେଶ ପ୍ରଦୂଷଣ ମୁକ୍ତ ରହିଲେ ମନୁଷ୍ୟ ମଧ୍ୟ ସୁସ୍ଥ ରହିବ । କିନ୍ତୁ ଦିନକୁ ଦିନ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ପରିବେଶ ଅସନ୍ତୁଳନ ଯୋଗୁଁ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ତେବେ ପରିବେଶ ପ୍ରଦୂଷଣ ରୋକିବା ଏବଂ ପାରମ୍ପରିକ ବସ୍ତୁ ବ୍ୟବହାର କରିବା ନେଇ ସମାଜରେ ସଚେତନତା ବାର୍ତ୍ତା ଦେବା ପାଇଁ ସ୍ବେଚ୍ଛାସେବୀ ସଙ୍ଗଠନ ସ୍ଵିଚ ଅନ ଫାଉଣ୍ଡେସନ ପକ୍ଷରୁ ପୁରୀରେ ସଚେତନା କାର୍ଯକ୍ରମ ଆରମ୍ଭ ହୋଇଛି ।
ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା ଚିତ୍ର କରାଯାଇ ପରିବେଶ ସୁରକ୍ଷାକୁ ନେଇ ସଚେତନତାର ବାର୍ତ୍ତା ଦିଆଯାଇଛି । ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଏକ ସୁନ୍ଦର ବାଲୁକା ଚିତ୍ର କଳା କରି ପରିବେଶ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି । ବାଲୁକା କଳାରେ ହାସଟ୍ୟାଗ ମୁଭ୍ ଫର ଆର୍ଥ ଲେଖା ହୋଇଛି । ବିଶେଷକରି ପ୍ଲାଷ୍ଟିକ ପଦାର୍ଥ ବ୍ୟବହାର ବନ୍ଦ କରି କପଡା ଓ କାଗଜ ବ୍ୟାଗ ବ୍ୟବହାର କରିବା, ସୌର ବିଦ୍ୟୁତ୍ ଓ ଉପକରଣ ବ୍ୟବହାର କରିବା, ପରିବେଶକୁ ସବୁଜ ସୁନ୍ଦର ରଖିବା ପାଇଁ ବୃକ୍ଷରୋପଣ କରିବା ଆଦି ସଚେତନତା ବାର୍ତ୍ତା ଏହି ବାଲୁକା ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ବାଲୁକା କଳାରେ ହଳଦିଆ, ନାଲି, ସବୁଜ , ବରଗଣ୍ଡି ଓ ନୀଳ ରଙ୍ଗ ଆଦି ଦିଆଯାଇ ବୃକ୍ଷ ଠାରୁ ଆରମ୍ଭ କରି ପ୍ଲାଷ୍ଟକ ବ୍ୟାଗର ଚିତ୍ର କରାଯାଇଛି । ଏହା ଦେଖିବାକୁ ଫୁଲ ପରି ହୋଇଥିବା ବେଳେ ଦେଖେଣାହାରୀ ମଧ୍ୟ ଏହାକୁ ବେଶ୍ ପସନ୍ଦ କରିଛନ୍ତି । ପରିବେଶ ସୁରକ୍ଷା କାର୍ଯ୍ୟକ୍ରମରେ ପୁରୀର ଅନେକ ସ୍ବେଚ୍ଛାସେବୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଏକ ରାଲି ମାଧ୍ୟମରେ ପରିବେଶ ସୁରକ୍ଷାକୁ ନେଇ ସଚେତନତାର ବାର୍ତ୍ତା ଦିଆଯାଇଥିଲା ।
ଏନେଇ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ କହିଛନ୍ତି ଯେ, ''ଆଜି ପୁରୀ ବେଳା ଭୂମିରେ ଆମେ ଏକ ବାଲୁକା ଚିତ୍ରକଳା ତିଆରି କରିଛୁ । ଏହା ତିଆରି କରିବାର ଉଦ୍ଦେଶ୍ୟ ହେଲା ପରିବେଶକୁ କିପରି ପ୍ରଦୂଷଣମୁକ୍ତ ରଖିବା । ପଲିଥିନ ବଦଳରେ କାଗଜ ବ୍ୟାଗ ବ୍ୟବହାର କରନ୍ତୁ, ଗଛ ନକାଟି ଗଛ ଲଗାନ୍ତୁ, ସୋଲାର ପାଓ୍ବାରକୁ ବ୍ୟବହାର ମଧ୍ୟ କରନ୍ତୁ । ଅନେକ ଅନୁଷ୍ଠାନ ସହ ମିଶ ପରିବେଶ ସୁରକ୍ଷାକୁ ନେଇ ଏକ ରାଲି କରିଥିଲୁ । ସ୍ଵିଚ ଅନ ଫାଉଣ୍ଡେସନ ମଧ୍ୟ ଆମ ସହ ସାମିଲ ହୋଇଥିଲା । ''
ଇଟିଭି ଭାରତ, ପୁରୀ