ଓଡିଶା

odisha

RathaKhala Halchal

ETV Bharat / videos

RathaKhala Halchal: ୩ ରଥର ଚାଲିଛି ନିରାଡି ନିର୍ମାଣ କାର୍ଯ୍ୟ

By

Published : May 16, 2023, 4:35 PM IST

ପୁରୀ:ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ରଥଖଳା । ପ୍ରବଳ ଗରମ ଗୁଳୁଗୁଳିକୁ ଖାତିର ନ କରି ରଥ ନିର୍ମାଣରେ ଲାଗି ପଡିଛନ୍ତି ରଥ ନିର୍ମାଣକାରୀ ସେବକ । ତିନିରଥର ମୋଟ ୪୨ଚକରୁ ୩୬ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତିନିରଥର ମୋଟ ୧୨ଟି ଲେଖାଁଏ ଚଉତା କାଠାରୁ ତିନି ରଥର ୮ଟି ଲେଖାଁଏ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି । ତିନିରଥର ମୋଟ ୪ଟି ଲେଖାଁଏ ନିରାଡ଼ି ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ରଥ ଆମୀନ ପ୍ରତି ରଥ ଚାଳିକୁ ୨ଟି ଲେଖାଁଏ ୨୦ ଫୁଟିଆ ଧଉରା କାଠ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇଛନ୍ତି । ଏଥିସହ ତିନି ରଥର ୨ଟି ଲେଖାଁଏ ଅଖର ଦୁଇପାର୍ଶ୍ଵ ଗୋଲେଇ କାର୍ଯ୍ୟ ଶେଷ ହୋଇଛି ।  

ଭୋଇ ସେବକମାନେ ଯନ୍ତା ଗାଡ଼ଠାରେ ତିନି ରଥର ଶେଷ ଗୋଟିଏ ଗୋଟିଏ ତୁମ୍ବରେ କଣ୍ଟା ବାଡ଼ିଆ କାର୍ଯ୍ୟ ବା ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରି ଯନ୍ତାଗାଡ଼ ମୁଦ ଦେବା କାର୍ଯ୍ୟ ସମ୍ପନ୍ନ କରିବା କାର୍ଯ୍ୟକ୍ରମ ରହିଛି। ସେପଟେ ତାଳଧ୍ବଜ ରଥର ମୋଟ ୧୪ ଚକରୁ ୧୨ ଟି ଚକର ନିର୍ମାଣ ଶେଷ ହୋଇଛି । ୧୩ ତମ ଚକର ତୁମ୍ବ ଅରରେ କଣ୍ଟା ବାଡ଼ିଆ ଶେଷ ହୋଇଛି। ବଳକା ଅର ମାପ ପ୍ରକାରେ କଟାଯାଇ ସାଲ ପରେ ପାଇ ପିନ୍ଧାଯିବ । ଶେଷ ୧୪ତମ ଚକରେ ଅର ସଂଯୋଗ ପରେ ସିଙ୍ଗଡ଼ା ବାଡ଼ିଆ ବାକିଅଛି । ତାଳଧ୍ବଜ ରଥର ମୋଟ ୧୨ଟି ଚଉତାରୁ ୮ଟି ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ବଜ ରଥର ମୋଟ ୭ଟି ଅଖରୁ ଦୁଇଟି ଅଖର ଦୁଇ ପାର୍ଶ୍ବ ଗୋଲେଇ କାର୍ଯ୍ୟ ଶେଷ ହୋଇଛି ।  

ଏହା ବି ପଢନ୍ତୁ-  Fire incident in Puri: ସିଂହଦ୍ବାର ସ୍ଥିତ ଗୁମୁଟ ନିକଟରେ ସର୍ଟସର୍କିଟ

ସେହିପରି ତାଳଧ୍ବଜ ରଥର ମୋଟ ୪ଟି ନିରାଡ଼ି ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ରଥ ଆମୀନ ୨ଟି ଲେଖାଁଏ ୨୦ଫୁଟିଆ ଧଉରା କାଠ ଯୋଗାଇଛନ୍ତି । ଚଉପଟ କାର୍ଯ୍ୟ ଆରମ୍ଭ ହେବ। ଏହି ନିରାଡ଼ି ରଥ ଚାରି ପାର୍ଶ୍ବ କୋଣ ଗୁଜ ଉପରେ ସଂଯୋଗ କରାଯିବ। ଫଳରେ ପୋଲ ଗୟଳକୁ ବାନ୍ଧି ରଖିବାରେ ସହାୟକ ହେବ । ଦର୍ପଦଳନ ରଥର ମୋଟ ୧୨ ଗୋଟି ଚକରୁ ୧୧ଗୋଟି ଚକର ନିର୍ମାଣ ଶେଷ ହୋଇଛି । ଶେଷ ଚକ ପାଇଁ ତୁମ୍ବରେ ଅର ସଂଯୋଗ ହୋଇ ଯନ୍ତା ଗାଡ଼ଠାରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ବାକି ଅଛି । ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ଚକରୁ ଆଜି ସୁଦ୍ଧା ୧୩ ଟି ଚକର ନିର୍ମାଣ ଶେଷ ହୋଇଛି । ୧୪ତମ ଚକର ପଇ କଳଶା ଶେଷ ହୋଇ, ପଇରେ କିଳା ବାଡ଼ିଆ ବାକି ଅଛି ।   

୧୫ତମ ଚକର ଅରରେ ଓଆଇ ପିନ୍ଧା ଶେଷ ହୋଇଛି, ପଇ କଳଶା ବାକି ଅଛି । ଶେଷ ଚକ ତୁମ୍ବରେ ଅର କାଗି ଏବଂ ସିଙ୍ଗଡ଼ା ବାଡ଼ିଆ ବାକି ରହିଛି। ନନ୍ଦିଘୋଷ ରଥର ମୋଟ ୧୨ଟି ଚଉତା କାଠାରୁ ୯ଟି ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି। ନନ୍ଦିଘୋଷ ରଥର ମୋଟ ୮ଟି ଅଖରୁ ୨ଟି ଅଖର ଦୁଇ ପାର୍ଶ୍ବ ଗୋଳେଇ କାର୍ଯ୍ୟ ଶେଷ ହୋଇଛି । ଦୋଳବେଦୀ ଠାରେ କରତି ସେବକ ମାନେ ତାଳଧ୍ବଜ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଜାରି ରଖିଛନ୍ତି । ତିନିରଥର ରୂପକାର ସେବକମାନେ ତିନିରଥ ଗୁଜଗୁଡିକରେ ରୂପ ଖୋଦେଇ ସହ ରୂପ ପଲିସ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ତିନିରଥର ଓଝା ସେବକମାନେ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା କଣ୍ଟା ଏବଂ କଇଁଚି କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details