Jharsuguda By Poll: ସରିଲା ମତଦାନ, ସନ୍ଧ୍ୟା ୫ଟା ସୁଦ୍ଧା ୬୮.୧୨% ମତଦାନ
ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ସନ୍ଧ୍ୟା ୬ଟା ଯାଏଁ ଏହି ମତଦାନ ପ୍ରକ୍ରିୟା ଚାଲିଥିଲା । ତେବେ ସନ୍ଧ୍ୟା ୫ଟା ମଧ୍ୟ୍ୟରେ ୬୮.୧୨% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଝାରସୁଗୁଡ଼ାରେ ମତ ସାବ୍ୟସ୍ତ କରିଥିବା ଭୋଟରଙ୍କ ମଧ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ସନ୍ଧ୍ୟା ୫ଟା ସୁଦ୍ଧା ୭୭ ହଜାର ୨୦ ଜଣ ମହିଳା ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିବା ବେଳେ ୭୪ ହଜାର ୮ ଜଣ ପୁରୁଷ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିଛନ୍ତି । ତେବେ ସନ୍ଧ୍ୟା ୫ଟା ସୁଦ୍ଧା ସମୁଦାୟ ୧ ଲକ୍ଷ୍ୟ ୫୦ ହଜାର ୩୫ ଜଣ ଭୋଟର ମତଦାନ କରିଛନ୍ତି । ଝାରସୁଗୁଡା ଉପନିର୍ବାଚନ ପାଇଁ ମୋଟ ୨୫୩ଟି ବୁଥ ରହିଥିଲା । ଏହା ମଧ୍ୟରୁ ୧୦୬ଟି ସମ୍ବେଦନଶୀଳ ବୁଥ ମଧ୍ୟ ରହିଥିଲା । ୪୦ଟି ମୋଡେଲ ବୁଥ ସହ ୨୬ଟି ପିଙ୍କ ବୁଥ ମଧ୍ୟ ରହିଛି । ପ୍ରଥମ ଥର ପାଇଁ ସମସ୍ତ ବୁଥରୁ ୱେବକାଷ୍ଟିଂ କରାଯାଇଥିଲା । ୨୬ଟି ପିଙ୍କ ବୁଥରେ ମହିଳା କର୍ମଚାରୀ ପୋଲିଂ ଷ୍ଟାଫ୍ ଭାବେ ନିଯୁକ୍ତ ହୋଇଥିଲେ । ୧୦୬ଟି ସମ୍ବେଦନଶୀଳ ବୁଥରେ ମାଇକ୍ରୋ ଅବଜର୍ଭର ରହିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର