OJEE M.Tech ଟପ୍ପର ଲିଷ୍ଟରେ ରାଉରକେଲାର ଝିଅ ଭାର୍ଗବୀ - OJEE MTech ଟପ୍ପର ଲିଷ୍ଟରେ ରାଉରକେଲା ଝିଅ
ରାଉରକେଲା: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାରେ M.Tech ପାଇଁ ଇଲେକ୍ଟ୍ରୋନିକ ଏବଂ କମ୍ୟୁନିକେସନ ଇଂଜିନିୟରିଂରେ ଦ୍ୱିତୀୟ ଟପ୍ପର ହୋଇଛନ୍ତି ଏମ ଭାର୍ଗବୀ । ଚଳିତ ବର୍ଷ OJEE ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳର ଭାର୍ଗବୀ ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ ଇଂଜିନିୟରିଂରେ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି । ଏନେଇ ଶୁକ୍ରବାର ଫଳ ପ୍ରକାଶ ପାଇବା ପରେ ଖୁସିରେ ବିଭୋର ହୋଇ ପଡ଼ିଥିଲେ ଭାର୍ଗବୀ ।
ତେବେ ଭାର୍ଗବୀଙ୍କ ପିତା ଏମ ରାଜୁ ରେଳ ବିଭାଗରେ କ୍ରେନ ଅପରେଟର ଭାବେରେ କାର୍ଯ୍ୟକରୁଥିଲେ । ତେବେ ଅସୁସ୍ଥତା କାରଣରୁ ୨୦୧୮ ମସିହାରେ ତାଙ୍କର ବିୟୋଗ ହୋଇଥିଲା । ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ ଭବିଷ୍ୟତରେ IAS ଅଫିସର ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଥିବା କହିଛନ୍ତି ଭାର୍ଗବୀ । ଏହାସହ ସେ ମାଆଙ୍କୁ ନିଜ ସଫଳତାର ଶ୍ରେୟ ଦେଇଛନ୍ତି । ବନ୍ଧମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟରୁ ଦଶମ ପାସ୍ କରିବା ସହ ୨୦୧୯ରେ ସେହି ବିଦ୍ୟାଳୟରୁ +2 ପାସ୍ କରିଥିଲେ ଭାର୍ଗବୀ । ଏହାପରେ ସେ ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ବିଟେକ୍ ଆଡମିଶନ କରିଥିଲେ । ତେବେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ଭାର୍ଗବୀ ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ ହେବାର ସ୍ବପ୍ନ ଦେଖିଥିବାବେଳେ ତାଙ୍କର ସଫଳତା ରାଉରକେଲା ପାଇଁ ଗୌରବ ଆଣିଛି ।
ଇଟିଭି ଭାରତ, ରାଉରକେଲା