ବାଧା ସାଜିନି ତାତି: ଜମିଲା ରଜ ସଂକ୍ରାନ୍ତି, ପାନ ଖାଇ ଦୋଳି ଖେଳିଲେ ତରୁଣୀ - ତରୁଣୀ
ଭୁବନେଶ୍ବର:ଓଡ଼ିଶାର ଗଣପର୍ବ ରଜର ଦ୍ବିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି । କାଲି ପହିଲି ରଜ ପରେ ଆଜି ବି ସେହି ସମାନ ଉତ୍ସାହର ସହ ପାଳିତ ହୋଇଛି ରଜ ସଂକ୍ରାନ୍ତି । ପିଠା ମିଠା, ଖିଲି ପାନ ଖାଇ ଦୋଳି ଖେଳର ମଜା ନେଇଛନ୍ତି କୁଆଁରୀ ଝିଅ । ପାଦରେ ଅଳତା ଓ ନାଲି ଟିପା ନାଇ ଏହି ପର୍ବକୁ ବେଶ ଉତ୍ସାହର ସହିତ ପାଳନ କରିଛନ୍ତି । ଭୁବନେଶ୍ବରରେ ଆଜି ତାତି ଫେରିଥିବା ବେଳେ ଏହାକୁ ଖାତିରି କରିନାହାନ୍ତି ତରୁଣୀ । ପାର୍କ, ପାନ୍ଥନିବାସ ଆଦି ଅନେକ ସ୍ଥାନରେ ରଜ ମହୋତ୍ସବର ଆୟୋଜନ ହୋଇଥିବା ବେଳେ ଏଠାରେ ଭିଡ଼ ଜମିବାରେ ଲାଗିଛି । ସେହିପରି ସିଲଭର ସିଟି କଟକ, ଇସ୍ପାତ ସହର ରାଉରକେଲା, ରେଶମ ସହର ବ୍ରହ୍ମପୁର ଭଳି ରାଜ୍ୟର କୋଣ ଅନୁକୋଣରେ ରଜପର୍ବକୁ ବେଶ ଧୁମଧାମର ସହିତ ପାଳନ କରାଯାଇଛି । ରାଉରକେଲାର ଛେଣ୍ଡ କଳିଙ୍ଗ ବିହାର ସୋସିଆଲ ହୋମଠାରେ ସାଂସ୍କୃତିକ ପରିଷଦ ମହିଳା ସମିତି ପକ୍ଷରୁ ପାଳିତ ହୋଇଛି ରଜପର୍ବ । ବ୍ରହ୍ମପୁରରେ ବସ୍ତି ପିଲାମାନେ ମଧ୍ୟ ଖୁସିର ସହିତ ଏହି ପର୍ବକୁ ପାଳନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ