ପୁଣେରେ ଜମିଲା ପଣା, ଏକାଠି ହୋଇ ନବବର୍ଷ ପାଳନ କଲେ ଓଡ଼ିଆ ପ୍ରବାସୀ - ଏକାଠି ହୋଇ ନବବର୍ଷ ପାଳନ କଲେ ଓଡ଼ିଆ ପ୍ରବାସୀ
ପୁଣେ: ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ପାଳନ ଯେ କେବଳ ଓଡି଼ଶାରେ ପାଳନ ହୋଇଛି ତାହା ନୁହେଁ । ଦେଶବିଦେଶରେ ମଧ୍ୟ ବେଶ ଧୁମଧାମରେ ପଣା ସଂକ୍ରାନ୍ତି ପାଳନ କରାଯାଉଛି । ଏହି କ୍ରମରେ ମହାରାଷ୍ଟ୍ରର ପୁଣେ ସହରରେ ମହକିଛି ଓଡ଼ିଆଙ୍କ ପଣା । ଓଡ଼ିଆ ଭାଷା ପରମ୍ପରା ଓ ଖାଦ୍ୟର ପ୍ରଚାର ପାଇଁ କାର୍ଯ୍ୟ କରୁଥିବା ସ୍ୱାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ସଂଗଠନ (SOWW) ପକ୍ଷରୁ ପୁଣେ ଠାରେ ପଣା ସଂକ୍ରାନ୍ତି ପାଳନ ହୋଇଛି । ପ୍ରବାସୀ ଓଡ଼ିଆମାନେ ଏକାଠି ହୋଇ ପଣା ପିଇ ନବବର୍ଷ ମନାଇଛନ୍ତି । ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷରେ ପ୍ରତି ଓଡ଼ିଆଣୀ ଚଉରାମୂଳେ ତୁଳସୀ ମାତାଙ୍କୁ ପଣା ଅର୍ପଣ କରିଥାନ୍ତି । ଏହି ପଣା କେଉଁ ଆଦିମ କାଳରୁ ଓଡି଼ଆ ପରମ୍ପରା ଓ ସଂସ୍କୃତି ସହ ଯୋଡି ହୋଇଥିବା ବେଳେ ଏହାର ବିଶେଷତ୍ବକୁ ବିଶ୍ୱରେ ପହଞ୍ଚାଇବାକୁ ଏକ ଦିବସ ବା ମହୋତ୍ସବ ଭାବେ ପାଳନ କରାଯାଉଛି । ଏହି ମହୋତ୍ସବକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ସ୍ୱାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ ସଂଗଠନର ମହିଳା ଏକାଠି ହୋଇଥିଲେ । ସମସ୍ତେ ପଣା ପିଇ ଓଡ଼ିଶା ସଂସ୍କୃତିର ପ୍ରଚାର ପ୍ରସାର କିଭଳି ହେବ ସେନେଇ ଆଲୋଚନା ମାଧ୍ୟମରେ ସଂକଳ୍ପ ନେଇଥିଲେ । ଇଟିଭି ଭାରତ, ଭୁବନେଶ୍ବର