ନୂଆଖାଇ ପାଇଁ ଚଳଚଞ୍ଚଳ ବୌଦ୍ଧ, ଭୈରବଙ୍କ ପୀଠରେ ଲାଗି ହେଲା ନବାନ୍ନ
Published : Sep 20, 2023, 3:54 PM IST
|Updated : Sep 21, 2023, 9:31 AM IST
ବୌଦ୍ଧ:ନୂଆଖାଇ ପାଇଁ ଚଳଚଞ୍ଚଳ ବୌଦ୍ଧ ଜିଲ୍ଲା । ଜିଲ୍ଲାର ଆରାଧ୍ୟ ଦେବୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ଆନନ୍ଦ ଉଲ୍ଲାସର ସହିତ ଦେବୀ ଭୈରବୀଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ସମସ୍ତେ ମିଳିମିଶି ନବାନ୍ନ ଭକ୍ଷଣ କରିଛନ୍ତି ।
ଆଜି ଭାଦ୍ରବ ପଞ୍ଚମୀ ଅବସରରେ ବୌଦ୍ଧ ଜିଲ୍ଲାର ଆରାଧ୍ୟ ଦେବୀ ଭୈରବୀଙ୍କ ପୀଠରେ ନବାନ୍ନ ଲାଗି କରାଯାଇଛି । ଏଥିସହ ଗ୍ରାମର ସମସ୍ତ ଦେବତୀ, ଡିମୁଳ, ପୀଢ ଗୁଡ଼ିକରେ ନବାନ୍ନ ଲାଗି ପରେ ସମସ୍ତେ ମିଳିମିଶି ନବାନ୍ନ ଭକ୍ଷଣ କରିଛନ୍ତି । ନୂଆଖାଇ ପାଳନ ନେଇ ଉତ୍ସବମୁଖର ହୋଇ ଉଠିଛି ଜିଲ୍ଲା । ଗାଁ ଠାରୁ ସହର ସବୁଆଡେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି ।
ପଶ୍ଚିମ ଓଡ଼ିଶାର ପ୍ରବେଶ ପଥ ଭାବରେ ପରିଚିତ ବୌଦ୍ଧ ଜିଲ୍ଲାରେ ଆଜି ଗଣପର୍ବ ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇଛି । ବୌଦ୍ଧ ଗଡ଼ଜାତର ଆରଧ୍ୟା ଦେବୀ ଭୈରବୀଙ୍କ ପୀଠରେ ଆଜି ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରଥମେ ମହାନଦୀରୁ ପବିତ୍ର ଜଳ ସଂଗ୍ରହ ପୂର୍ବକ ମନ୍ଦିରର ବାନାଛତ୍ର ପରିବର୍ତ୍ତନ ସହିତ ଗୁପ୍ତ ରୀତିନୀତିରେ ଦେବୀ ଭୈରବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା ।
ଏହାମଧ୍ୟ ପଢନ୍ତୁ..ସରିଲା ପାହୁର ଯାତ୍ରା, ଆଜି ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଖାଇ
ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ । ଆନନ୍ଦ ଉଲ୍ଲାସର ସହିତ ବୌଦ୍ଧ ଜିଲ୍ଲାର ଆରାଧ୍ୟ ଦେବୀ ଭୈରବୀଙ୍କ ପୀଠରେ ଆଜି ନବାନ୍ନ ଲାଗି ହେବା ପରେ ଗାଁ ଠାରୁ ସହର ବିଭିନ୍ନ ସ୍ଥାନରେ ଥିବା ଗ୍ରାମ ଦେବତୀଙ୍କ ପୀଠରେ ନବାନ୍ନ ଲାଗି ହୋଇଛି । ନୂଆଖାଇ ପାଇଁ ଜିଲ୍ଲାର ହାଟ ବଜାରରେ ନୂଆଧାନ, କୁରେଇ ପତ୍ର , ନୂଆ ମାଟି ପାତ୍ର, କପଡା ବିକ୍ରି ହେଉଥିବା ଦୋକାନ ଗୁଡିକରେ ପ୍ରବଳ ଭିଡ଼ ଦେଖାଯାଇଥିଲା । ପରିବାର ଠାରୁ ଦୂରରେ ରହିଥିବା ଲୋକେ ଘର ବାହୁଡିବା ସହିତ ମିଳିମିଶି ନବାନ୍ନ ଭକ୍ଷଣ କରିଛନ୍ତି । ଘରେ ଘରେ ନବାନ୍ନ ସହିତ ପିଠାପଣାରେ ଚତୁର୍ଦ୍ଦିଗ ମହକି ଉଠିଛି ।
ଆଜି ଜିଲ୍ଲାର ଆରାଧ୍ୟ ଦେବୀ ଭୈରବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ମିଶି ଖିରି କାକରା ଭୋଗ ଖାଇଥିଲେ । ଅପରାହ୍ନରେ ସମସ୍ତେ ମିଳିମିଶି ନବାନ୍ନ ଭକ୍ଷଣ ପରେ ସଂଧ୍ୟା ସମୟରୁ ଜୁହାର ଭେଟ ଓ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହେବ । ।
ଇଟିଭି ଭାରତ, ବୌଦ୍ଧ