ଘରେ ପଶି ସୁନା ଲୁଟ୍, ଜଣକୁ କାବୁ ନିର୍ଦ୍ଧୁମ ପିଟିଲେ ଗ୍ରାମବାସୀ - ପରିବାର ଲୋକଙ୍କୁ ବାନ୍ଧି ଡକାୟତି
ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରି ଡକାୟତି ମାମଲା। କିଛି ଦିନର ବ୍ୟବଧାନ ପରେ ପୁଣି କଳାହାଣ୍ଡିରେ ଡକାୟତ ଗ୍ୟାଙ୍ଗ । ଘରେ ପଶି ବୁଲାଉଛନ୍ତି କଳାକନା। ଆଖି ପିଛୁଳାକେ ଲୁଟି ନେଉଛନ୍ତି । ପୁଣି ଜିଲ୍ଲାର କୋକସରା ଥାନା ଅନ୍ତର୍ଗତ ଓଲମା ଗାଁରେ ଡକାୟତି ହୋଇଥିବା ଜଣାପଡିଛି । ଗତ ବିଳମ୍ବିତ ରାତିରେ ଧନଞ୍ଜୟ ସାହୁଙ୍କ ଘରେ ପ୍ରାୟ ୭ ଜଣ ଡକାୟତ ମୁହଁରେ କଳା ମୁଖା ପିନ୍ଧି ହାତରେ ମାରଣାସ୍ତ୍ର ଧରି ଘର କବାଟ ଭାଙ୍ଗି ଘରେ ପଶିଥିଲେ। ପରେ ମାରଣାସ୍ତ୍ରରେ ପରିବାର ଲୋକଙ୍କୁ ଡରାଇ ଗୋଟିଏ କୋଠରୀରେ ସମସ୍ତଙ୍କୁ ବନ୍ଦ କରିଥିଲେ । ଏହାପରେ ଆଲମିରା ଭାଙ୍ଗି ସେଥିରେ ଥିବା ପ୍ରାୟ ୨୦ ଭରି ସୁନା ଓ ରୂପା ସହ ପ୍ରାୟ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଡକାୟତ ଗ୍ୟାଙ୍ଗ୍ । ପରିବାର ଲୋକଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଆସିବା ବେଳକୁ ଡକାୟତମାନେ ଚମ୍ପଟ୍ ମାରିଥିଲେ । ହେଲେ ଜଣେ ଡକାୟତକୁ କାବୁ କରି ନେଇଥିଲେ ଗ୍ରାମବାସୀ । କାବୁ କରିଥିବା ଡକାୟତକୁ ଗ୍ରାମବାସୀ ନିର୍ଦ୍ଧୁମ ମାଡ଼ ମାରିବା ପରେ ପୋଲିସକୁ ଖବର ଦେଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ କୋକସରା ଥାନା ପୋଲିସ ପହଞ୍ଚି ସଂପୃକ୍ତ ଡକାୟତକୁ ଗିରଫ କରିବା ସହ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନି କୁକୁର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହା ମଧ୍ୟ ପଢନ୍ତୁ- ପରିବାର ଲୋକଙ୍କୁ ବାନ୍ଧି ଘରେ ବୁଲାଇଲେ କଳାକନା
ଇଟିଭି ଭାରତ, କଳାହାଣ୍ଡି