ବାଲେଶ୍ବରରେ ସମର କ୍ୟାମ୍ପ କ୍ରେଜ, ଯୋଗ ଦେଉଛନ୍ତି ଶତାଧିକ ପିଲା - କୁନିକୁନି ପିଲାଙ୍କ ପାଇଁ ସମର କ୍ୟାମ୍ପ
ବାଲେଶ୍ବର: ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ସରକାର ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି ସମୟକୁ ସଦୁପଯୋଗ କରିବା ପାଇଁ ଆରମ୍ଭ ହୋଇଛି କୁନିକୁନି ପିଲାଙ୍କ ପାଇଁ ସମର୍ କ୍ୟାମ୍ପ୍ । ଯେଉଁଥିରେ କୁନିକୁନି ପିଲାମାନଙ୍କୁ ନେଇ ସେମାନଙ୍କ ଅନ୍ତର୍ନିହିତ ଗୁଣର ବିକାଶ ଦିଗରେ କାର୍ଯ୍ୟ କରାଯାଉଛି । ବାଲେଶ୍ଵର ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏବେ ସମର୍ କ୍ୟାମ୍ପର ଆୟୋଜନ କରାଯାଉଛି । 7 ତାରିଖରୁ ନାଚ୍ ଏକାଡେମୀର ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ଶିଶୁ ଓ କିଶୋରମାନଙ୍କ ପ୍ରତିଭାର ବିକାଶ ପାଇଁ ୧୫ ଦିନିଆ କ୍ୟାମ୍ପ୍ର ଆୟୋଜନ କରାଯାଇଛି । ଏହି କ୍ୟାମ୍ପ୍ ୨୦୧୬ରୁ ପ୍ରତିବର୍ଷ ଦୁଇଥର ଆୟୋଜନ କରାଯାଇଥାଏ । ଅନ୍ୟପଟେ ବାଲେଶ୍ଵରର ଚାରୁ ଓ କାରୁକଳା ମହାବିଦ୍ୟାଳୟ ଏବଂ ଫକୀରମୋହନ ଚାରୁ ଓ କାରୁକଳା ବିଦ୍ୟାଳୟ ଏବଂ ବାଲେଶ୍ଵର ଇନ୍ଟାକ୍ର ମିଳିତ ଉଦ୍ୟମରେ ଦ୍ବାଦଶତମ ଗ୍ରୀଷ୍ମକାଳୀନ କଳା ଶିବିର ଉଦଘାଟିତ ହୋଇଯାଇଛି । ଗ୍ରୀଷ୍ମକାଳୀନ ଶିବିରର ଚିତ୍ରାଙ୍କନ, ପଟ୍ଟଚିତ୍ର, ଫୁଲ ତିଆରି, ଟେରାକୋଟା, ଭାସ୍କର୍ଯ୍ୟ କଳା, ହସ୍ତଶିଳ୍ପ ଆଦି ବିଷୟରେ ଶିକ୍ଷାଦାନ କରାଯିବ । ଏହି ଶିବିର ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ୭୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ।
ଇଟିଭି ଭରତ, ବାଲେଶ୍ବର