ନୂଆପଡାରେ ମାତିଛି ମଣିଷଖିଆ କଲରାପତରିଆ ବାଘ, ସଞ୍ଜ ନଇଁଲେ ପଡୁଛି ତାଟି କବାଟ - ସୁନାବେଡା ଅଭୟାରଣ୍ୟରେ କଲରାପତରିଆ ବାଘ ଆତଙ୍କ
Published : Nov 3, 2023, 7:19 PM IST
ନୂଆପଡା: ପୁଣି ନୂଆପଡାରେ କଲରାପତରିଆ ବାଘ ଆତଙ୍କ । ଜିଲ୍ଲାର ସୁନାବେଡା ଅଭୟାରଣ୍ୟକୁ ଲାଗିରହିଥିବା ଗାଁ ଗୁଡିକରେ ଲାଗି ରହିଛି ବାଘ ଆତଙ୍କ । ଗତ ଦୁଇଦିନ ପୂର୍ବେ କଟିଙ୍ଗପାଣି ଗାଁର ସୁମନ ଧରୁଆଙ୍କ 8 ବର୍ଷର ଶିଶୁ ଡ଼ମ୍ବୁ ଧରୁଆକୁ ଗାଁ ଦାଣ୍ଡରୁ କଲରାପତରିଆ ବାଘ ଝାମ୍ପି ନେଇଥିବା ଘଟଣା ସ୍ଥାନୀୟ ଲୋକଙ୍କ ମନରୁ ଲିଭିନାହିଁ । ଏଭଳି ଘଟଣା ଘଟିବା ପରେ ବାଘ ଆତଙ୍କରେ ଥରୁଛନ୍ତି ଗାଁଲୋକେ । ସଞ୍ଜ ନଇଁଲେ ତାଟି କବାଟ ବନ୍ଦ କରି ରହୁଛନ୍ତି ଲୋକେ ।
ଗାଁ ଲୋକଙ୍କ ନିତିଦିନିଆ କାମରେ ଦାଉ ସାଜିଛି କଲରାପତରିଆ ବାଘ । ଗାଁ ଲୋକଙ୍କ କହିବା ଅନୁସାରେ, ଆଖପାଖ ସାହି ପଡ଼ିଶାରେ ବାଘ ଗର୍ଜନ ଶୁଣିବାକୁ ମିଳୁଛି । ଧାନ ଫସଲ ଅମଳ ସମୟ ହୋଇଥିବାରୁ ଗାଁ ଲୋକେ ଚିନ୍ତାରେ ଭାଙ୍ଗିପଡିଛନ୍ତି । କାରଣ ବାଘ ଭୟରେ ବିଲବାଡିକୁ ଯାଉନାହାନ୍ତି ଲୋକେ । ଅପରପକ୍ଷେ ସୁନାବେଡା ଅଭୟାରଣ୍ୟ ବନ୍ୟଜନ୍ତୁ ପ୍ରାଣୀ ବିଭାଗ ଫରେଷ୍ଟର ରେଞ୍ଜର ସମେତ ସ୍ୱତନ୍ତ୍ର ସ୍କ୍ବାଡ ଦଳ ବାଘକୁ ଘୋଉଡାଇବା ପାଇଁ ପାଟ୍ରୋଲିଂ ଜାରି ରଖିଛନ୍ତି । ହେଲେ ବାଘ ଗାଁ ଆଖପାଖ ଅଞ୍ଚଳ ଛାଡି ଜଙ୍ଗଲକୁ ଯାଉନାହିଁ । ବାଘକୁ ଜଙ୍ଗଲକୁ ଘଉଡାଇବା ପାଇଁ ଶବ୍ଦ ଜନିତ ବନ୍ଧୁକରେ ଶବ୍ଦ କରି ଘଞ୍ଚ ଜଙ୍ଗଲକୁ ତଡିବାକୁ ଉଦ୍ୟମ କରୁଥିବା ବନ୍ୟଜନ୍ତୁ ବିଭାଗ ସୂଚନା ଦେଇଛି । ତେବେ ବାଘ କବଳରୁ ସୁରକ୍ଷା ପାଇବା ପାଇଁ ବନ ବିଭାଗ ପକ୍ଷରୁ ଅଭୟାରଣ୍ୟ ସ୍ଥିତ ଗାଁ ଗୁଡିକରେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନତା ସୃଷ୍ଟି କରାଯାଉଥିବା ବନ ବିଭାଗ ପ୍ରକାଶ କରିଛି ।
ଏହା ମଧ୍ୟ ପଢ଼ନ୍ତୁ....ଗାଁରେ ଆତଙ୍କ ଖେଳାଇଛି କଲରାପତରିଆ, ଶିଶୁକୁ ଝାମ୍ପି ନେବାର 24 ଘଣ୍ଟା ନପୁରୁଣୁ ଗାଈକୁ ଶିକାର
ଇଟିଭି ଭାରତ, ନୂଆପଡା