ମା' ଶାରଳାଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ନୀତି - jagatsinghpur news
Published : Sep 6, 2023, 10:58 PM IST
ଜଗତସିଂହପୁର:ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳା ଙ୍କ ପୀଠରେ ଆଜି ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହେଉଛି ।ଶାରଳାଙ୍କ ମନ୍ଦିର ଶକ୍ତି ପୀଠ ହୋଇଥିଲେ ମଧ୍ୟ ଏହିଠାରେ ବୈଷ୍ଣବୀୟ ରୀତିମତେ ପୂଜାର୍ଚ୍ଚନା କରାଯାଇଥାଏ । ପ୍ରତେକ ଏକାଦଶୀ ତିଥିରେ ମା'ଶାରଳାଙ୍କୁ ଶ୍ରୀ ଜଗନ୍ନାଥଙ୍କ ବେଶରେ ସଜିତ କରାଯାଇଥାଏ । ସେହିପରି ଏହି ପୀଠରେ ନୃସିଂହ ଜନ୍ମ, ଭାଗବତ ଜନ୍ମ, ଗହ୍ମା ପୂର୍ଣ୍ଣିମାର ବଳଦେଵ ଜନ୍ମ, ଆଦି ପର୍ବ ପାଳନ କରାଯାଏ । ଆଜି ପବିତ୍ର ଜନ୍ମାଷ୍ଟମୀ ତିଥୀରେ ସୋତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ସକାଳୁ ସକାଳୁ ପହୁଡ଼ ଫିଟା ପରେ ମଙ୍ଗଳ ଆଳତୀ, ମଇଲମ, ସ୍ନାନ ମାର୍ଯ୍ୟନ ପରେ ବେଶ କରାଯାଇଥିଲା । ଗୋପାଳ ବଲ୍ଳଭ ଭୋଗ ପରେ ମା'ଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଇ ତୁଳସୀ ଅର୍ପଣ କରାଯାଇଥିଲା । ଆଜି ଅଷ୍ଟମୀ ତିଥିରେ ଅପରାହ୍ନ ୩ ଟା ୩୯ ମିନିଟ ପରେ ଆସୁଥିବାରୁ ସନ୍ଧ୍ୟା ଆଳତୀ ପରେ ଶ୍ରୀକୃଷ୍ଣ ଜନ୍ମ ନୀତି ଅନୁଷ୍ଠିତ ହେବ।
ଆଜି ଠାରୁ ପାର୍ବଣ ନୀତିର ପ୍ରଥମ ପୂଜା ଆରମ୍ଭ ହୋଇଛି । ଜନ୍ମାଷ୍ଟମୀ ଠାରୁ ଦୁର୍ଗାଷ୍ଟମୀ ପର୍ଯ୍ୟନ୍ତ ଏହି ପୂଜା ଅନୁଷ୍ଠିତ ହୋଇଥାଏ । ଆଜିର ଜନ୍ମାଷ୍ଟମୀର ପବିତ୍ର ଦିନରେ ହଜାର ହଜାର ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ମା' ବେଶ ପରେ ସାଧାରଣ ଭକ୍ତ ମା ଙ୍କୁ ଦର୍ଶନ କରିଥିଲେ । ବିଶେଷ ଭାବରେ ଆଜି ସନ୍ଧ୍ୟାରେ ପ୍ରବଳ ଜନ ସମାଗମ ହୋଇଛି । ଜନ୍ମାଷ୍ଟମୀ ବ୍ରତଧାରୀମାନେ ପୂଜାର୍ଚ୍ଚନା କରିବା ସହିତ ଦର୍ଶନ କରିଥିଲେ । ପ୍ରତେକ ଦେବୀ ପୀଠ ମାନଙ୍କରେ ମା'ଙ୍କୁ ବେଲପତ୍ର ସମର୍ପଣ କରାଯାଉଥିବା ବେଳେ ସାରଳାଙ୍କ ପୀଠରେ ତୁଳସୀ ଦଳ ରେ ମା ଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଶାକ୍ତ ଓ ବୈଷ୍ଣବର ଅପୂର୍ବ ସମନ୍ୱୟ ଏହିଠାରେ ପରିଲକ୍ଷିତ ହୋଇଛି। ଜନ୍ମାଷ୍ଟମୀ ତିଥିରେ ଦେବୀଙ୍କୁ ହଜାର ହାଜର ତୁଳସୀ ଅର୍ପଣ ନୀତି କରାଯାଉଛି ।
ଇଟିଭି ଭାରତ, ଜଗତସିଂହପୁର