ପାରିବାରିକ କଳହର କରୁଣ ପରିଣତି; ସ୍ତ୍ରୀର ବେକ କାଟିଦେଲା ସ୍ବାମୀ - ସ୍ତ୍ରୀର ବେକ କାଟିଦେଲା ସ୍ବାମୀ
ଖୋର୍ଦ୍ଧା: ପାରିବାରିକ ହିଂସା ନେଲା ଉଗ୍ର ରୂପ । ସ୍ୱାମୀର ଛୁରା ମାଡରେ ପତ୍ନୀ ଗୁରୁତର । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବସଷ୍ଟାଣ୍ଡରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ପତ୍ନୀଙ୍କର ନାମ ପ୍ରଭାସିନୀ ସାହୁ । ସେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଡିପାଟଣା ସାହିର ବାସିନ୍ଦା ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ପ୍ରଭାସିନୀ କୁଲୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ୨ଟି କନ୍ୟା ସନ୍ତାନ ମଧ୍ୟ ଅଛି । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଯୋଗୁଁ ପ୍ରଭାସିନୀ ନିଜ ବାପାଙ୍କ ଘରେ ଟାଙ୍ଗୀ ପଟ୍ଟନାୟକ ସାହିରେ ରହି ଆସୁଥିଲେ । ଏଥିସହ ଭୁବନେଶ୍ବରର ଏକ ଘରୋଇ କମ୍ପାନୀରେ ରିସେପସନିଷ୍ଟ ଭାବରେ କାମ କରୁଥିଲେ । ପ୍ରଭାସିନୀ ନିଜ ଝିଅ ସହ ଭୁବନେଶ୍ୱର ଯିବା ବେଳେ ଟାଙ୍ଗୀ ବସ ଷ୍ଟାଣ୍ଡରେ ସ୍ବାମୀ ଆସି ତାଙ୍କ ଉପରେ ଆକ୍ରମଣ କରିଥିଲା । ଜୀବନରେ ମାରି ଦେବା ପାଇଁ ଏକ ଛୁରୀ ସାହାଯ୍ୟରେ ତାଙ୍କ ବେକକୁ ଗଭୀର ଆଘାତ କରିଥିଲେ । ପ୍ରଭାସିନୀଙ୍କ ଚିତ୍କାର ଶୁଣି ଝିଅକୁ ବଞ୍ଚାଇବାକୁ ଯାଇ ବାପା ଶ୍ରୀମନ୍ତ ମାନସିଂ ମଧ୍ୟ ଆହତ ହୋଇଛନ୍ତି । ତାଙ୍କ ହାତରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି । ତେବେ ଏହି ଘଟଣାରେ ଟାଙ୍ଗୀ ପୋଲିସ ସ୍ୱାମୀକୁ ଅଟକ ରଖି ତଦନ୍ତ କରୁଛି ।
ଇଟିଭି ଭାରତ, ଖୋର୍ଦ୍ଧା