ଓଲଟିଲା ଅଙ୍ଗୁର ବୋଝେଇ ଟ୍ରକ, ବ୍ୟାଗ୍ ବ୍ୟାଗ୍ ବୋହି ନେଲେ ଲୋକେ - ମୟୂରଭଞ୍ଜ ଦୁର୍ଘଟଣା
ବାରିପଦା: ମୟୂରଭଞ୍ଜ ୪୯ ନଂ ଜାତୀୟ ରାଜପଥରେ ଓଲଟିଲା ଅଙ୍ଗୁର ବୋଝେଇ ଟ୍ରକ। ରାସ୍ତାରୁ ପେନ୍ଥା ପେନ୍ଥା ଅଙ୍ଗୁର ବୋହି ନେଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ଅଙ୍ଗୁର ନେବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଗୋହୀରା ଗ୍ରାମ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ ଷୋହଳ ଚକିଆ ଅଙ୍ଗୁର ବୋଝେଇ ଟ୍ରକ କଲିକତା ପଟକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଫଳରେ ଟ୍ରକରେ ଥିବା ଅଙ୍ଗୁର ଟ୍ରେ ଗୁଡ଼ିକ ଜାତୀୟ ରାଜପଥରେ ବିଛାଇ ହୋଇ ପଡ଼ି ଯାଇଥିଲା। ଦୁର୍ଘଟଣାର ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ବେଶ ଭିଡ ଜମିଥିଲା। ପେନ୍ଥା ପେନ୍ଥା ଅଙ୍ଗୁର ଗୁଡ଼ିକୁ କିଏ ବେଗ ତ ପୁଣି କିଏ ବସ୍ତା ସାହାଯ୍ୟରେ ବୋହି ନେଇଥିଲେ । ଏପରିକି ଅଙ୍ଗୁର ଟ୍ରେ ଗୁଡ଼ିକୁ ନେବା ପାଇଁ ମଧ୍ୟ ପଛାଇ ନଥିଲେ ସ୍ଥନୀୟ ଲୋକେ। ଯଶିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡିଛି । ଟ୍ରକ ମଧ୍ୟରୁ ଗୁରୁତର ଆହତ ଅବସ୍ଥାରେ ଥିବା ଚାଳକ ଓ ହେଲପର୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଯଶିପୁର ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରକୁ ପଠାଇଥିଲେ। ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ କରଞ୍ଜିଆ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ଇଟିଭି ଭାରତ,ମୟୂରଭଞ୍ଜ