ପାରାଦ୍ବୀପରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ରଙ୍ଗିଆଗଡ଼ ନିକଟରେ ଟ୍ରାକ୍ରୁ ଖସିଲା ୭ ଚକା
ପାରାଦ୍ବୀପ: ରଙ୍ଗିଆଗଡ଼ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଖବର ମିଳିଛି । ମାଲବାହୀ ଟ୍ରେନଟି ପେଟ୍ କୋକ୍ (Petroleum coke) ନେଇ ପାରାଦ୍ବୀପ ଅଏଲ ରିଫାଇନାରୀକୁ ଯାଉଥିବା ସମୟରେ ରଙ୍ଗିଆଗଡ଼ ନିକଟରେ ଲାଇନଚ୍ୟୁତ ହୋଇଥିଲା । ଟ୍ରେନ୍ର ୭ଟି ଚକା ଟ୍ରାକ୍ରୁ ଖସି ଯାଇଥିବା ଦେଖିବାକୁ ମିଳିଛି । ଖବର ଲେଖା ହେବା ସୁଦ୍ଧା ମରାମତି କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି । ତେବେ ମାଲବାହୀ ଟ୍ରେନଟି କିପରି ଲାଇନଚ୍ୟୁତ ହେଲା, ତାହାକୁ ନେଇ ରେଳ ବିଭାଗ ତଦନ୍ତ ଆରମ୍ଭ କରିଛି । ମାଲବାହୀ ଟ୍ରେନରେ ମୂଲ୍ୟବାନ ପେଟ୍କୋକ୍ ଥିବାରୁ ରେଳ ବିଭାଗ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଘଟଣାସ୍ଥଳରେ ମରାମତି ପାଇଁ ଆଲୋକ ବ୍ୟବସ୍ଥା କରାଯାଇଛି । ଏହି ଘଟଣାରେ କେହି ଆହତ ହୋଇନଥିବା ବିଭାଗ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ସ୍ଥାନୀୟ ଲୋକଙ୍କ କହିବା କଥା, ଦିନ ୧ରୁ ୨ଟା ମଧ୍ୟରେ ହଠାତ ଏକ ଶବ୍ଦ ଶୁଣାଯାଇଥିଲା । ଲୋକେ ଦୌଡ଼ି ଯାଇ ଘଟଣାସ୍ଥଳରେ ପହଞ୍ଚି ଟ୍ରେନ ଲାଇନଚ୍ୟୁତ ହୋଇଥିବା ଦେଖିଥିଲେ ।
ଇଟିଭି ଭାରତ, ଜଗତସିଂହପୁର