ମହାଆଡମ୍ବରରେ ଗଜାନନଙ୍କ ଆବାହନ - ଗଣେଶ ପୂଜା 2023
Published : Sep 19, 2023, 10:57 PM IST
ନବରଙ୍ଗପୁର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ବିଘ୍ନ ବିନାୟକ, ବିଘ୍ନରାଜ, ଗଜାନନ, ଲମ୍ବୋଦର, ଗଣପତି ବିଦ୍ୟା ବୁଦ୍ଧିଦାତା ଅଗ୍ରପୂଜ୍ୟଙ୍କ ପୂଜା । ଧରାପୃଷ୍ଠରେ ବିରାଜିଛନ୍ତି ନାନା ରୂପ ନାନା ନାମଧାରୀ ପାର୍ବତୀ ନନ୍ଦନ । ଏନେଇ ଚଳଚଞ୍ଚଳ ହୋଇଛି ପୁରପଲ୍ଲୀ । ଆଜି(ମଙ୍ଗଳବାର) ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣନାଥଙ୍କ ପୂଜା ହୋଇଛି । "ଓମ୍ ନମଃ ଗଣେଶ ବିଘ୍ନେଶ ଗିରିଜାନନ୍ଦନଂ ପ୍ରଭୁ, ମମ ବିଘ୍ନ ନିହତ୍ୟାଶ୍ରୁ ସର୍ବକାର୍ଯ୍ୟକ୍ଷୁ ସର୍ବଦା... ମନ୍ନ ଧ୍ଵନିରେ ଗୁଞ୍ଜରିତ ହେଉଛି ଗାଁଠୁ ସହର । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ତାରାଗାଁ ଠାରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ।
ଏହାମଧ୍ୟ ପଢନ୍ତୁ: ଗଜାନନଙ୍କ ପୂଜା ପାଇଁ ଚଳଚଞ୍ଚଳ ଜଟଣୀ, ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ସହର
ତାରାଗାଁ ସ୍ଥିତ ପୂଜାରୀ ସାହିର ପୂଜା ମଣ୍ଡପରେ ୮ ପୁଟ ଉଚ୍ଚତାର ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇଛି । ପୂଜା କମିଟି ପକ୍ଷରୁ ଅପରାହ୍ନରେ ପୁରହିତଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇ ଶ୍ରୀଗଣେଶଙ୍କ ମୃଣ୍ମୟ ମୂର୍ତ୍ତିରେ ଜୀବନ୍ୟାସ ପ୍ରଦାନ କରାଯାଇଥିଲା । ଏହାପରେ ହୋମଯଜ୍ଞ, ଆଳତୀ, ପୁଷ୍ପାଞ୍ଜଳି ଅର୍ପଣ କରାଯିବା ପରେ ପ୍ରସାଦ ବଣ୍ଟନ କରାଯାଇଥିଲା । ପୂଜାର୍ଚ୍ଚନା ସମୟରେ ବହୁତ ସଂଖ୍ୟାରେ ଗ୍ରାମର ମହିଳାଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ନବରଙ୍ଗପୁର