ହଠାତ୍ ବସ ସାମ୍ନାକୁ ଚାଲି ଆସିଲା ହାତୀ, ଆଉ ତା ପରେ
ଚେନ୍ନାଇ: ତାମିଲନାଡୁର ଏରୋଡ ଜିଲ୍ଲାରେ ବଣୁଆ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କ୍ରମାଗତ ଭାବେ ଚାଷୀ କ୍ଷେତକୁ ନଷ୍ଟ କରିବା ସହ ସାଧାରଣ ରାସ୍ତାରେ ଯାତାୟତ କରୁଛନ୍ତି ହାତୀ । ଏରୋଡ ଜିଲ୍ଲାର କେଥାସାଲ ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯାତ୍ରୀବାହି ବସ ଆଗକୁ ଚାଲି ଆସିଲା ବଣୁଆ ହାତୀ । ହଠାତ ବସ ଆଗକୁ ହାତୀ ଚାଲିଆସିବା ଦେଖି ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ ।
କର୍ଣ୍ଣାଟକର କୋଲକାଲରୁ ଏକ ଯାତ୍ରୀବାହି ବସ ସଥ୍ୟମଙ୍ଗଲମ ରାସ୍ତା ଦେଇ ତାମିଲନାଡୁର ସାଥିଆଙ୍ଗଲାମ ଯାଉଥିଲା । ଏହି ସମୟରେ କେଥେସାଲ ନିକଟରେ ଏକ ବଣୁଆ ହାତୀ ହଠାତ ବସ ଆଗକୁ ଚାଲି ଆସିଥିଲା । ହାତୀକୁ ଦେଖି ବସଟି ଅଟକି ଯାଇଥିଲା । କିନ୍ତୁ ହାତୀଟି ବସ ଆଗକୁ କ୍ରମାଗତ ଭାବେ ମାଡ଼ି ଆସୁଥିଲା । ଏହା ଦେଖି ବସରେ ଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ । ଏହାପରେ ହାତୀଟି ବସକୁ ଧକ୍କା ଦେଇଥିଲା । ଫଳରେ ଯାତ୍ରୀ ଆତଙ୍କିତ ହୋଇ ଚିତ୍କାର କରିବାକୁ ଲାଗିଲେ । ହାତୀ ଆକ୍ରମଣରେ ବସର କାଚ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ତେବେ ବସରେ ଥିବା 30ରୁ ଊର୍ଦ୍ଧ୍ବ ଯାତ୍ରୀ ସୁରକ୍ଷିତ ଅଛନ୍ତି । କିଛି ସମୟ ପରେ ହାତୀଟିକୁ ଘଉଡ଼ାଇବା ପରେ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ଜଣାପଡ଼ିଛି ।