Durga Puja Special: ମା' ଦଶଭୂଜାଙ୍କୁ ଝିଅ ରୂପରେ ପୂଜା କରାଯାଏ, କଣ ଏହାର ପରମ୍ପରା
Published : Oct 24, 2023, 7:27 PM IST
କଟକ:ଦଶହରା ପର୍ବର ଆଜି ଶେଷ ପୂଜା ଅର୍ଥାତ ବିଜୟା ଦଶମୀ । ପରମ୍ପରା ଅନୁଯାୟୀ ସହରର ଅନେକ ମଣ୍ଡପରେ ମା'ଙ୍କ ପୂଜା କରାଯାଇଛି । ବିଶେଷକରି ଆଜି ବିଜୟା ଦଶମୀର ଅନେକ ପରମ୍ପରା କଥା ଯାହାକି ଆଜି ବି ବଜାୟ ରଖିଛି କଟକ । ବିଜୟା ଦଶମୀରେ ଦହି ପଖାଳ ଦେଇ ମା'ଙ୍କୁ ବିଦାୟ ଦେବାର ପରମ୍ପରା ଏବେବି ଉଜ୍ଜୀବିତ ରହିଛି । ବଙ୍ଗୀୟ ପରମ୍ପରା ଅନୁଯାୟୀ ଯେଉଁ ମଣ୍ଡପରେ ପୂଜା କରାଯାଉଛି ସେହି ମଣ୍ଡପରେ ହିଁ ଏହି ଦହି ପଖାଳ ଭୋଗ ମା'ଙ୍କ ପାଖରେ ଲାଗୁ କରାଯାଇଥାଏ । ଯେମିତି କି କଟକ କାଜିବଜାର ପୂଜା ମଣ୍ଡପ ଏହାର ଅନ୍ୟତମ ଉଦାହରଣ ବୋଲି କୁହାଯିବ । ମଣ୍ଡପରେ ମା' ପୂଜା ପାଇବା ଦିନଠାରୁ ହିଁ ଏଠାରେ ଦହି ପଖାଳ ଭୋଗ ଲାଗୁ କରାଯାଏ । ଦହି ପଖାଳ ସାଙ୍ଗକୁ ଛଙ୍କା, ଶାଗ ଭଜା, କୋବି ଭଜା ଆଦି ମା'ଙ୍କ ପାଖରେ ଲାଗୁ କରାଯାଇଥାଏ ।
ବିଶ୍ୱାସ ରହିଛି ଝିଅ ଯେପରି ବାପ ଘରୁ ଶାଶୁ ଘରକୁ ଗଲା ବେଳେ ଦହି ଦିଆଯାଏ, ଠିକ ମା'ଙ୍କୁ ମଧ୍ୟ ସେହିପରି ଦହି ପଖାଳ ଭୋଗ ଲାଗୁ କରାଯାଏ । ଏହି ପ୍ରସାଦ ମା'ଙ୍କ ନିକଟରେ ଲାଗୁହେବା ପରେ ସାହିର ସମସ୍ତ ଘରେ ଘରେ ବଣ୍ଟନ କରିବାର ପରମ୍ପରା ରହିଛି । କେବଳ ସେତିକି ନୁହେଁ, ଏହି ପୂଜା ମଣ୍ଡପରେ ଦେବୀଙ୍କୁ ମା' ରୂପରେ ନୁହେଁ ବରଂ ଝିଅ ରୂପରେ ପୂଜା କରାଯାଇଥାଏ । ସେଥିପାଇଁ ତ ଝିଅ ବିଦା ଭଳି ମା'ଙ୍କୁ ବିଦା କରିବାର ପରମ୍ପରାକୁ ଏମାନେ ଆଜି ବି ପାଳନ କରୁଛନ୍ତି ।
ଏହା ବି ପଢନ୍ତୁ- ଦଶମୀରେ କାହିଁକି ସିନ୍ଦୂର ଖେଳି ମା'ଙ୍କୁ ବିଦାୟ ଦିଆଯାଏ ?
ବିଜୟାଦଶମୀ ଦିନ ମା'ଙ୍କ ନିକଟରେ ସିନ୍ଦୂର ଖେଳ ଖେଳିବାର ପରମ୍ପରା ବି ଏବେ ବି ଉଜ୍ଜୀବିତ ରହିଛି । ସଧଵା ମହିଳାମାନେ କେବଳ ଏହି ସିନ୍ଦୂର ଖେଳ ଖେଳିବାର ପରମ୍ପରା ରହିଛି । ମହିଳାମାନେ ପ୍ରଥମେ ମା'ଙ୍କ ପାଦରେ ସିନ୍ଦୂର ଦେଇଥାନ୍ତି । ପରେ ପରସ୍ପର ମଧ୍ୟରେ ସିନ୍ଦୂର ଲଗାଇ ମା'ଙ୍କୁ ବିଦାୟ ଦେଇଥାନ୍ତି । ତେବେ ଝିଅ ବିଦା ବେଳେ ଯେମିତି କୋହ ଆସେ, ମା'ଙ୍କୁ ବିଦା କରିବା ସମୟରେ ସେହିପରି କୋହ ଆସିଥାଏ ବୋଲି ମହିଳା ଭକ୍ତମାନେ କୁହନ୍ତି । ଏ ନେଇ ଜଣେ ଭକ୍ତ କହିଛନ୍ତି, " ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଆମେ ସିନ୍ଦୂର ଖେଳିଥାଉ । କେବଳ ସଧବା ମହିଳା ଏହି ଖେଳ ଖେଳିଥାନ୍ତି । ଖୁବ ଆନନ୍ଦ ଲାଗେ ।" ଆସନ୍ତାକାଲି ମେଲାଣି ନେବେ ମା' ଜଗତଜନନୀ । ସୁରକ୍ଷା ପାଇଁ ପ୍ରାୟ ୫୫ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି ।
ଇଟିଭି ଭାରତ, କଟକ