ଓଡିଶା

odisha

ଚାଲିଛି ତିନି ରଥର ବେଦୀ ସିଂହାସନ କାର୍ଯ୍ୟ

ETV Bharat / videos

RathaKhala Halchal: ଚାଲିଛି ତିନି ରଥର ବେଦୀ ସିଂହାସନ କାର୍ଯ୍ୟ

By

Published : Jun 14, 2023, 4:26 PM IST

ପୁରୀ: ପାଖେଇ ଆସିଲାଣି କାଳିଆ ସାଆନ୍ତେଙ୍କ ଘୋଷଯାତ୍ରା । ଭାଇ ଭଉଣୀଙ୍କୁ ଘେନି ମାଉସୀ ଘରକୁ ଯିବେ ମହାବାହୁ। ବଡଦାଣ୍ଡରେ ହେବ ଭକ୍ତ ଭଗବାନଙ୍କ ମିଳନ । ଚର୍ମଚକ୍ଷୁରେ ବିଶ୍ବନିୟନ୍ତାଙ୍କୁ ଦର୍ଶନ କରିବେ ବିଶ୍ବବାସୀ । ବିଶ୍ବବ୍ରହ୍ମାଣ୍ଡଙ୍କ ଘୋଷଯାତ୍ରା ପାଇଁ ବଡଦାଣ୍ଡ ରଥଖଳାରେ ରଥନିର୍ମାଣ ଅନ୍ତିମ ଚରଣରେ । ରଥ ନିର୍ମାଣ 51 ଦିନରେ ପହଞ୍ଚିଥିବା ବେଳେ ଆଜି ଚାଲିଛି ତିନି ରଥର ବେଦୀ ସିଂହାସନ କାର୍ଯ୍ୟ । ବେଦୀ ନିର୍ମାଣ ନିମନ୍ତେ ତିନିରଥ ରେ ୫ ଟି ଲେଖାଁଏ ଜଗତପୃଷ୍ଠ ଶେଣୀ ପଡିବା ସହ ତାର ଦୁଇ ପାର୍ଶ୍ଵରେ ତିନୋଟି ଲେଖାଁଏ 'ବାହୁଟ ଫାଳିଆ' ଲାଗିଛି ।

ତିନିରଥରେ ‘କନକମୁଣ୍ଡି' ସେଟିଙ୍ଗ ହୋଇଛି। ‘କନକମୁଣ୍ଡି' ତିନିରଥରେ ସଂସ୍ଥାପନ ପୂର୍ବରୁ ରଥର ପ୍ରଥମ ଭୂଇଁ ଚାରିନାହାକା ଚାରି ପାର୍ଶ୍ବରେ ୭/୧୨ ଆକାରର ଚାରିଗୋଟି ‘ଚୁନାଟ ପଟା' ବାଡ଼ିଆ ଯାଇ ପ୍ରତି ଚୁନାଟ ପଟାରେ ପାଞ୍ଚ ଟି ଲେଖାଁଏ ବିନ୍ଧ ହୋଇ ସେହି ବିନ୍ଧରୁ ୨୦ ଟି କାଣ୍ଡ ଲାଗି ହୋଇ କନକ ମୁଣ୍ଡିରେ ସଂଯୋଗ ହୋଇଛି। ଏଥିସହ ଚୁନାଟ ପଟା ସନିକଟ ଚାରି ନାହାକା ରୁ ମଧ୍ୟ ଗୋଟିଏ ଗୋଟିଏ କାଣ୍ଡ ଉଠି ମୋଟ ୨୪ ଗୋଟି କାଣ୍ଡ କନକ ମୁଣ୍ଡିରେ ସଂଯୋଗ ହୋଇ କନକ ମୁଣ୍ଡି ତିନିରଥ ରେ ସଂସ୍ଥାପନ ହୋଇଛି । ତିନିରଥର ବେଦିରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ଏଥି ସହ ତିନିରଥର ପାର୍ଶ୍ବ କୋଣ ମାନଙ୍କୁ ଛାଡ଼ି ରଥ ଉପରେ ପଟା ବାଡ଼ିଆ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନିରଥ ର ‘ଦୁଆର ବେଢା' ରଥକୁ ଉଠିଲା ପରେ ରଥ ଚାରି ପାର୍ଶ୍ବ କୋଣ ରେ ପଟା ବାଡ଼ିଆ ଯିବ। ଏଥିସହ ତିନିରଥର ଘୋଡା ବନ୍ଧାଯିବା ପାଇଁ ୨୦ ଫୁଟିଆ ‘ଇଶ' ରେ ବିନ୍ଧ ହୋଇ ଦୁଇଟି ଲେଖାଁଏ 'ଗୁଣ୍ଠି' ସଂଯୋଗ ହୋଇଛି। ଏହି ଗୁଣ୍ଠିରେ ଘୋଡା ଜୁଆଳି ଲାଗିବ। ରୂପକାର ସେବକ ମାନେ ତିନିରଥର ପ୍ରଭାରେ ରାହୁରୂପ ଖୋଦେଇ ଜାରି ରଖିଛନ୍ତି। ଚିତ୍ରକାର ସେବକ ମାନେ ତିନି ରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ସହ ପାର୍ଶ୍ବ ଦେବା ବେବୀ, ସିଂହାସନ, ହଂସ ପଟା ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳ ବେଦୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ଧୂଳି ଦଣ୍ଡା, ପ୍ରଭା ବିଡ଼ିଆ କଣ୍ଟା ନିର୍ମାଣ କରୁଛନ୍ତି।  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details