ଓଡିଶା

odisha

Rathakhala Halchal: 3 ରଥରେ ଲାଗିଲା ପାର୍ଶ୍ଵ ଦେବାଦେବୀ ଓ ଠେକେରା ବାଡ

By

Published : Jun 18, 2023, 3:25 PM IST

Rathakhala Halchal

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରାକୁ ରହିଲା ମାତ୍ର ଆଉ ଗୋଟାଏ ଦିନ । ଆସନ୍ତାକାଲି ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ । ମଙ୍ଗଳବାର ମହାପ୍ରଭୁଙ୍କ ଘୋଷ ଯାତ୍ରା । ଏଥିପାଇଁ ରଥ ନିର୍ମାଣ କାର୍ଯ୍ୟ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସେବାୟତମାନେ ରଥର ପ୍ରତ୍ୟେକ ଅଂଶକୁ ତନ ତନ କରି ନିରୀକ୍ଷଣ କରି ତ୍ରୁଟି ସୁଧାରୁଛନ୍ତି । ଆଉ ମାତ୍ର ମଝିରେ ଗୋଟିଏ ଦିନ । କେଇ ଘଣ୍ଟା ପରେ ସିଂହଦ୍ବାରେ ପହଞ୍ଚିବ ତିନିରଥ ।  ବିଭିନ୍ନ ନିର୍ମାଣ କାର୍ଯ୍ୟ ଧ୍ରୁତ ଗତିରେ ଆଗେଇ ଚାଲିଛି ।  

ମହାରଣା ସେବକ ଏବଂ ଭୋଇ ସେବକମାନେ ରଥ ସମ୍ମୁଖ ଭାଗକୁ ଛାଡ଼ି ରଥ 3 ପାର୍ଶ୍ବରେ ଲାଗିଥିବା 3ଟି ଲେଖାଁଏ ୯ଟି ଜଳଯନ୍ତ୍ରରେ ପାର୍ଶ୍ବ ଦେବାଦେବୀଙ୍କୁ ଜଳଯନ୍ତ୍ର ଖାପରେ ସେଟିଂ କରି ସେଥିରେ କଣ୍ଟାବାଡେଇ ଶିଖର ଡମ୍ବରୁ ସଂଯୋଗ କରିଛନ୍ତି । ଏତଦ ବ୍ୟତୀତ ତିନିରଥର ଠେକେରା ବାଡ଼ ଦାଢ଼ ଅଂଶରେ ହଂସପଟା ବାଡ଼ିଆ ଶେଷ ହୋଇଛି । ଆଜି ତିନିରଥ ଉପରେ ଠେକେରା ବାଡ଼ ବୁଲିବା କାର୍ଯ୍ୟ ଶେଷ ହେବ । ସେପଟେ ଦରଜି ସେବକମାନେ ତିନିରଥର କନା ଯୋଡ଼ା କାର୍ଯ୍ୟ ଶେଷ କରି କୋଠ ସୁଆଁସିଆ ସେବକମାନଙ୍କୁ ଯୋଗାଇଛନ୍ତି ।  

ଏହା ବି ପଢନ୍ତୁ- ନବ ଯୌବନ ଦର୍ଶନ ଓ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କୋଠ ସୁଆଁସିଆ ସେବକମାନେ ରଥରେ କନା ପକା କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଥମେ ତାଳଧ୍ବଜ ରଥର ଚାରି ପାର୍ଶ୍ବ ଦୁଆର ବେଢ଼ାରେ କନା ପଡିବା ପରେ ରଥର ବତା ଏବଂ ପୋଟଳ ଆଦିରେ କନା ପଡିବ। ତିନିରଥର ଦୁଇଟି ଲେଖାଁଏ ବ୍ରେକ୍‌ ପୁଲି ଲାଗିବା ସହ ବ୍ରେକଗୁଡିକର ତଳ ପାର୍ଶ୍ବ ଆବଶ୍ୟକ ମରାମତି ପରେ ରବର ମ୍ୟାଟ ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ତିନିରଥର ଘୋଡ଼ାଗୁଡିକର ଜଏଣ୍ଟ ସ୍ଥାନମାନଙ୍କରେ ଘୋଡ଼ା ବାଗିଆ କଣ୍ଟା ବସି ରଙ୍ଗ କାର୍ଯ୍ୟ ଶେଷ ହୋଇଛି । ସେହିପରି ତିନିରଥର ତିନି ସାରଥୀଙ୍କ ଜଙ୍ଘ, ହାତ ଜଏଣ୍ଟ ସ୍ଥାନରେ ସାରଥୀ ବାଗିଆ କଣ୍ଟା ବସି ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  

ରଥ ସିଂହଦ୍ବାରରେ ଲାଗିବା ପରେ ତିନି ସାରଥୀ ରଥ ଉପରକୁ ଉଠିବେ । ଚିତ୍ରକାର ସେବକମାନେ ତିନିରଥ ପ୍ରଭାରେ ରଙ୍ଗ କାର୍ଯ୍ୟର ଶେଷ ସ୍ପର୍ଶ ଦେଉଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନିରଥର ବ୍ରେକ ଜାମିନି କଣ୍ଟା, ୨୦ଟି ଲେଖାଁଏ ସାରଥୀ ବାଗିଆ କଣ୍ଟା, ଘୋଗା ବାଗୁଆ କଣ୍ଟା ଯୋଗାଇଛନ୍ତି । ପାହି ମହାରଣାମାନେ ଘାଟୁଆରୀ ସେବକଙ୍କ ପାଇଁ ବନକ ପେଡି, ଚାଙ୍ଗଡ଼ା ବାକ୍ସ, ଅଳଙ୍କାର ବାକ୍ସ ନିର୍ମାଣ ଶେଷ କରି ଯୋଗାଇଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details