ଲୋକଙ୍କ ପାଖରେ ପହଞ୍ଚିବ କେନ୍ଦ୍ରୀୟ ଯୋଜନା, କାର୍ଯ୍ୟକର୍ତ୍ତାଙ୍କୁ ସମୀରଙ୍କ ଗୁରୁମନ୍ତ୍ର - ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି
ଅନୁଗୋଳ: ଲୋକଙ୍କ ପାଖରେ ପହଞ୍ଚିବ କେନ୍ଦ୍ରୀୟ ଯୋଜନା । ଲୋକେ ପାଇବେ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ । ଏ ଦିଗରେ କାର୍ଯ୍ୟକ୍ରମ ଆଗକୁ ନେଇ ବିଜେପି ନେତା ଓ କର୍ମୀ କାମ କରିବେ । ଆଜି ନେତା କର୍ମୀଙ୍କୁ ଏହି ଗରୁମନ୍ତ୍ର ଦେଇଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି । ଅନୁଗୋଳ ଜିଲ୍ଲା ତାଳଚେର ଠାରେ ଆୟୋଜିତ ଜନ ସମ୍ପର୍କ ସମାବେଶରେ ଯୋଗଦେଇ କର୍ମୀଙ୍କୁ ଦେଇଛନ୍ତି ଗରୁମନ୍ତ୍ର ।
ଅନୁଗୋଳ ଜିଲ୍ଲା ତାଳଚେର ବଲଣ୍ଡାସ୍ଥିତ ଜଗନ୍ନାଥ କଳା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଛି ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ । ଏଥିରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ସହ ଏହି ସମୟରେ କରାଯାଇଥିବା ବିଜେପିର ସେବା, ସୁଶାସନ ଓ ଗରିବଙ୍କ କଲ୍ୟାଣ ଯୋଜନା ନେଇ ବିଜେପି ପକ୍ଷରୁ ଆୟୋଜିତ ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରାକ୍ତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ମୋଦି ସରକାରଙ୍କ ସମୟରେ କରାଯାଇଥିବା ଅନେକ ଯୁଗାନ୍ତକାରୀ ପଦକ୍ଷେପ ଉପରେ ଆଲୋକପାତ କରି ସେ କାର୍ଯ୍ୟକର୍ତ୍ତାଙ୍କ ମନୋବଳକୁ ଦ୍ବିଗୁଣିତ କରିଥିଲେ । ଏହାଛଡା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ରାଜ୍ୟ ବିଜେପିର ସଂପାଦକ କାଳନ୍ଦୀ ସାମଲ ତାଳଚେର ବିଧାନସଭା ସମେତ ଢେଙ୍କାନାଳ ଲୋକସଭା କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେଇଥିବା ଅନେକ ପଦକ୍ଷେପ ଓ ଲୋକକଲ୍ୟାଣ କାର୍ଯ୍ୟକୁ ପାଥେୟ କରି ଆଗକୁ ବଢ଼ିବା ପାଇଁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମଣ୍ଡଳ ସମେତ ବିଜେପିର ବିଭିନ୍ନ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।
ଇଟିଭି ଭାରତ, ଅନୁଗୋଳ