ଅନ୍ଧାରୀ ମୂଲକର ଆଶାର ଆଲୋକ ଆଶା ଦିଦି କୁମମଣି ଦେଇ - ସମାଜ ସେବାରେ ସମର୍ପିତ
Published : Dec 6, 2023, 10:03 PM IST
ବାଲେଶ୍ଵର: ଅନ୍ଧାରୀ ମୂଲକରେ ସେ ହେଉଛନ୍ତି ଆଶାର ଆଲୋକ । ସମାଜ ସେବାରେ ନିଜ ଜୀବନକୁ ସମର୍ପିତ କରିଦେଇଛନ୍ତି । ଯେଉଁ କାର୍ଯ୍ୟ ପାଇଁ ସେ ସରକାରୀ ସ୍ତରରେ ନିୟୋଜିତ ହୋଇଛନ୍ତି ତାହାର ପ୍ରକୃତ ଅର୍ଥ ସେ ବୁଝିବା ସହ ତାଠୁ ବହୁ ଅଧିକ କାର୍ଯ୍ୟ କରି କେବଳ ନିଜ ଅଞ୍ଚଳ ନୁହେଁ ବରଂ ବିଭିନ୍ନ ସ୍ଥାନରେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ସେ ହେଉଛନ୍ତି ଜଣେ ଆଶାକର୍ମୀ ।
ଏହା ମଧ୍ୟ ପଢ଼ନ୍ତୁ....ଖୁବଶୀଘ୍ର ଖୋଲିବ ହାତୀଙ୍କ ପାଇଁ ପାଠଶାଳା, ସାବାଡ୍ ହେବେ ଦୁଷ୍ଟ ଦନ୍ତା
ଆଶାକର୍ମୀ ଭାବେ କେବଳ ଯେ ଗର୍ଭବତୀ ମହିଳାଙ୍କ ସୁବିଧା ଅସୁବିଧା କଥା ବୁଝୁଛନ୍ତି ତାହା ନୁହେଁ ବରଂ ନିଜ ଅଞ୍ଚଳର ଯେକୌଣସି ଲୋକର ଅସୁବିଧା ସମୟରେ ଠିଆ ହୋଇଯାଉଛନ୍ତି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରକୋଣା ଗ୍ରାମର କୁମମଣି ଦେଇ । କୁମମଣି ଜଣେ ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ନିଜ ଅଞ୍ଚଳରେ ଜଣେ ଆଶାକର୍ମୀ ଭାବେ ନିଜର କାର୍ଯ୍ୟ ତୁଲାଉଛନ୍ତି । ଗାଁରେ ନିଜର ସେବାକାର୍ଯ୍ୟ ପାଇଁ ଆଜି ସେ ବାଲେଶ୍ଵର ଜିଲ୍ଲାର ଜଣେ ଏକ ନମ୍ବର ଆଶାକର୍ମୀ ଭାବେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି । ତାଙ୍କର ନିଷ୍ଠାପର ସେବା ମନୋଭାବ, ତାଙ୍କୁ ଏହି ସେବା କ୍ଷେତ୍ରରେ ବ୍ଲକ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ପରିଚୟ ଦେଇଛି ।
କୋରୋନା ସମୟରେ ପରିବାର ଓ ଗ୍ରାମବାସୀଙ୍କ ବାରଣ କରିବା ସତ୍ତ୍ବେ ଜଣେ ଏଡସ ପୀଡ଼ିତାଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଥିଲେ । ଯାହା ଫଳରେ ସେହି ପରିବାରଟି ନବ ଜୀବନ ପାଇଥିବାର କୁମମଣି ଦେଇ ପ୍ରକାଶ କରିଛନ୍ତି । ଏଡସ ପାଇଁ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବ୍ଲକ ସ୍ତରରେ ପ୍ରଥମ ହୋଇ ଜିଲ୍ଲାର ଶ୍ରେଷ୍ଠ ଆଶା ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି । ପଢା ସରିବା ପରେ ନିଜ ଗ୍ରାମରେ ଲୋକଙ୍କୁ ସାହାଯ୍ୟ ସହଯୋଗ କରିଆସୁଥିଲେ । ବିବାହ ପରେ ମଧ୍ୟ ଶଶୁର ଘର ଗ୍ରାମରେ ଆଶା ଭାବେ କାର୍ଯ୍ୟ କରିବା ସହ ଗରିବ, ଅସହାୟ ଲୋକଙ୍କୁ ନିଜ ଖର୍ଚ୍ଚରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଅନ୍ତି । ଯାହା ଫଳରେ ତାଙ୍କର ନିଷ୍ଠାପର କାର୍ଯ୍ୟ ପାଇଁ ଆଜି ବାଲେଶ୍ଵର ଜିଲ୍ଲାପାଳଙ୍କ ଠାରେ ସମ୍ବର୍ଦ୍ଧିତ ହୋଇ ଗାଁ ତଥା ବ୍ଲକର ନାମ ରଖି ପାରିଛନ୍ତି । ତେବେ କୁମମଣି ନିଜର ଦାୟିତ୍ୱ ଏବଂ କର୍ତ୍ତବ୍ୟ ଯେମିତି ଉଚିତ ଭାବେ ନିଭାଇ ପାରିଛନ୍ତି ତାହା ସମସ୍ତଙ୍କ ପାଇଁ ନିଶ୍ଚୟ ପ୍ରେରଣା ଯୋଗାଇବ।
ଇଟିଭି ଭାରତ, ବାଲେଶ୍ଵର