ନିଜ ଅଫିସ ଷ୍ଟାଫଙ୍କୁ ବି ଛାଡ଼ିଲେନି ଲାଞ୍ଚୁଆ କର୍ମଚାରୀ, ଧରିଲା ଭିଜିଲାନ୍ସ
Published : Dec 4, 2023, 5:31 PM IST
ଅନୁଗୋଳ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଅନୁଗୋଳର ଜଣେ ସରକାରୀ କର୍ମଚାରୀ । ଜିଲ୍ଲାର କିଶୋର ନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟର କିରାଣୀ ନିଜର ଜଣେ କର୍ମଚାରୀଙ୍କଠାରୁ ଲାଞ୍ଚ ନେଇ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ନିଜ ଅଫିସର କର୍ମଚାରୀଙ୍କୁ ବି ଛାଡୁ ନାହାନ୍ତି ଲାଞ୍ଚୁଆ କର୍ମଚାରୀ । ଦରମା କରେଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବ୍ଲକ କାର୍ଯ୍ୟାଳୟର ସିନିୟର ଆସିଷ୍ଟାଣ୍ଡ ନିତ୍ୟାନନ୍ଦ ଗାଗରିଆ । ସେ ପୂର୍ଣ୍ଣଚନ୍ଦ୍ର ଭୁକ୍ତା ନାମକ ଅନ୍ୟ ଜଣେ ସରକାରୀ କର୍ମଚାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଅନୁଗୋଳ ଭିଜିଲାନ୍ସ ତାଙ୍କୁ କାବୁ କରିଛି ।
ଏହା ବି ପଢନ୍ତୁ- ଲାଞ୍ଚୁଆ ହସ୍ପିଟାଲ କର୍ମଚାରୀଙ୍କୁ ବିଦା କଲେ ଜିଲ୍ଲାପାଳ, 2 ନିଲମ୍ବିତ
ଅଭିଯୋଗ ମୁତାବକ କୌଣସି କାରଣ ବସତ ପୂର୍ଣ୍ଣଚନ୍ଦ୍ରଙ୍କ ଦରମା ଅଟକି ରହିଥିଲା । ଯାହାକୁ ପୁଣି ଥରେ ରେଗୁଲାର କରାଇବା ପାଇଁ ଏହି ସିନିୟର ଆସିଷ୍ଟାଣ୍ଡ ନିତ୍ୟାନନ୍ଦ ଗାଗରିଆ ତାଙ୍କୁ ଟଙ୍କା ମାଗିଥିଲେ । ଖାଲି ସେତିକି ନୁହେଁ ତାଙ୍କୁ ବାରମ୍ବାର ହଇରାଣ ମଧ୍ୟ କରାଇଥିଲେ । ଶେଷରେ ଆଜି ଭିଜିଲାନ୍ସ ସାହାଯ୍ୟରେ ତାଙ୍କୁ ଟଙ୍କା ଦିଆଯାଉଥିବା ବେଳେ ଅଧିକାରୀମାନେ ଲାଞ୍ଚୁଆ କର୍ମଚାରୀଙ୍କୁ କାବୁ କରିନେଇଥିଲେ । ଘଟଣା ପରେ ତାଙ୍କର ସରକାରୀ ଅଫିସ, ନିଜ ଘର ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଇଛି ।
ଇଟିଭି ଭାରତ, ଅନୁଗୋଳ