ହାଇଦ୍ରାବାଦ: ବିଭିନ୍ନ ପ୍ରକାରର କର୍କଟ ମଧ୍ୟରୁ ଅଗ୍ନାଶୟ କ୍ୟାନ୍ସର ମାରାତ୍ମକ ହୋଇଥାଏ । କିନ୍ତୁ ସଠିକ୍ ସମୟରେ ରୋଗର ଲକ୍ଷଣ ବାବଦରେ ଜଣାପଡିଲେ ଜଣେ ରୋଗୀ ସୁସ୍ଥ ହୋଇପାରିବେ । ଏଥିପାଇଁ ରୋଗ ବାବଦରେ ପ୍ରତିଟି ରୋଗୀ ସଚେତନ ହେବା ଆବଶ୍ୟକ । ତେଣୁ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ନଭେମ୍ବର 17କୁ ବିଶ୍ୱ ଅଗ୍ନାଶୟ କର୍କଟ ଦିବସ(World Pancreatic Cancer Day) ରୂପେ ପାଳନ କରାଯାଉଛି ।
ପରିସଂଖ୍ୟାନ ଅନୁଯାୟୀ, କେବଳ ଯୁକ୍ତରାଷ୍ଟ୍ରରେ ପ୍ରତିବର୍ଷ ପ୍ରାୟ 55,000 ଲୋକ ଅଗ୍ନାଶୟ କର୍କଟରେ ପ୍ରାଣ ହରାନ୍ତି । ଅଗ୍ନାଶୟ କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର 8 ପ୍ରତିଶତ ଲୋକେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି । ଅନ୍ୟପଟେ, ଯେଉଁମାନଙ୍କର ଅଗ୍ନାଶୟ କର୍କଟ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୁଏ, ସେମାନଙ୍କୁ ଅସ୍ତ୍ରୋପଚାର ଦ୍ୱାରା ଆରୋଗ୍ୟ କରାଯାଇପାରିବ । ଏହି ରୋଗର ଏକମାତ୍ର ଚିକିତ୍ସା ହେଉଛି ଅସ୍ତ୍ରୋପଚାର । ଯଦିଓ ବଞ୍ଚିବାର ସମ୍ଭାବନା ବହୁତ କମ୍, ତଥାପି ଆରୋଗ୍ୟ ଆଶାରେ ବିଶେଷଜ୍ଞମାନେ ସମସ୍ତ ପ୍ରୟାସ କରନ୍ତି ।
ଅଗ୍ନାଶୟ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ 2000 ମସିହାରୁ ବିଶ୍ୱ ଅଗ୍ନାଶୟ କର୍କଟ ଦିବସ ପାଳନ କରାଯାଉଛି । ଭାରତରେ ଅଗ୍ନାଶୟ କର୍କଟ ରୋଗର ମାତ୍ରା କମ୍, କିନ୍ତୁ ଅଧିକାଂଶ ଅଗ୍ନାଶୟ କର୍କଟ ରୋଗ ନିର୍ଣ୍ଣୟ କରାଯାଏ, ଯେତେବେଳେ ଏହି କର୍କଟ ଶରୀର ଏବଂ ଅନ୍ୟ ଅଙ୍ଗକୁ ସାଧାରଣତ ଯକୃତ କିମ୍ବା ଫୁସଫୁସକୁ ବ୍ୟାପି ଯାଇଥାଏ ।
ଅଗ୍ନାଶୟ କର୍କଟ କ’ଣ(Whatis Pancreatic Cancer):-
ପାନକ୍ରିଏଟିକ୍ କର୍କଟ ଏକ ଅତ୍ୟନ୍ତ ଗମ୍ଭୀର ରୋଗ । ଏହା 60 ବୟସରୁ ଊର୍ଦ୍ଧ୍ବ ଲୋକଙ୍କଠାରେ ଅଧିକ ଦେଖାଯାଏ । ବୟସ ବଢିବା ସହିତ ଆମ DNAରେ କର୍କଟ ବୃଦ୍ଧି ଘଟିଥାଏ । ଏହି କାରଣରୁ 60 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କର ଅଗ୍ନାଶୟ କର୍କଟ ହେବାର ଆଶଙ୍କା ଅଧିକ ଥାଏ ।